ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଡ଼ୁଆରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ତାଙ୍କ ନାଁରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ। ତାଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଭର୍ତ୍ତୃହରିଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ଲୋକରଞ୍ଜନଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବର ଅନୁଯାୟୀ, ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମଙ୍ଗଳବାର ଥାନାରେ ଏଫ୍ଆଇଆର୍ ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮ (ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି।
‘ନବଭାରତ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ, ଭର୍ତ୍ତୃହରିଙ୍କ ବୋହୂ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାହାଘରରେ ତାଙ୍କ ବାପ ଘରେ ଲୋକେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ତାଙ୍କୁ ଶ୍ୱଶୁର ଘର ଲୋକେ ଏତିକିରେ ସନ୍ତୁଷ୍ଟ ନଥିଲେ। ସେମାନେ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି। ବାହାଘର ପରେ ପରେ ହିଁ ତାଙ୍କ ଉପରେ ଯୌତୁକ ପାଇଁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ସେଥିପାଇଁ ସେ ଭୋପାଳକୁ ତାଙ୍କ ବାପ ଘରକୁ ପଳାଇ ଆସିଥିଲେ ଓ କୋର୍ଟରେ ମାମଲା ରୁଜୁ କରିଥିଲେ।
ସେ ଆହୁରି କହିଛନ୍ତି ଯେ ତାଙ୍କୁ ପାଖରେ ରଖିବା ଲାଗି କୋର୍ଟ ତାଙ୍କ ସ୍ୱାମୀ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶ୍ୱଶୁର ଘର ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନଥିଲା। ୨୦୧୮ରେ ଯେତେବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ସେତେବେଳେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ତେଣୁ ସେ ପୁଣି ଭୋପାଳ ଫେରି ଯାଇଥିଲେ। ତେବେ ସେ ଆଶା ଛାଡ଼ି ନଥିଲେ ଓ ଅପେକ୍ଷା କରିଥିଲେ। କିନ୍ତୁ ଶ୍ୱଶୁର ଘର ପକ୍ଷରୁ ତାଙ୍କୁ ଗ୍ରହଣ କରିବା ନେଇ କୌଣସି ସୂଚନା ନ ଆସିବା ପରେ ସେ ବାଧ୍ୟ ହୋଇ ମହିଳା ଥାନାରେ ଏଫ୍ଆଇଆର୍ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୧୬ ଡିସେମ୍ବରରେ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋରଞ୍ଜନ (୩୮)ଙ୍କ ବାହାଘର ହୋଇଥିଲା।
The post ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଥାନାରେ ଏଫ୍ଆଇଆର୍ ଦେଲେ ବୋହୂ appeared first on Odisha Reporter.
from Odisha Reporter https://ift.tt/37WAFk8
No comments:
Post a Comment