ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ। ଆବଶ୍ୟକ ପଡ଼ିଲେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି।
ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଆଜି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯିବା ପରେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ହସ୍ପିଟାଲ୍ରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଜମାନବନ୍ଦୀ ନେଲା ବେଳେ ଡିଏଫଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି। କିନ୍ତୁ କ’ଣ ଲେଖାଯାଉଥିଲା, ସେ ତାହା ଜାଣି ନଥିବା କହିଛନ୍ତି।
କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଆହୁରି କହିଛନ୍ତି, ସୌମ୍ୟରଞ୍ଜନଙ୍କୁ ଡିଏଫ୍ଓ ଜାଣିଶୁଣି ନାଇଟ୍ ଡ୍ୟୁଟିରେ ପକାଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ଜେରା ବେଳେ ସେହି ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା। ତେବେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର ସଂପର୍କ ଥିବା ବିଷୟରେ ମଧ୍ୟ ପଚରା ଯାଇଥିଲା। ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର କିଛି ସଂପର୍କ ନଥିଲା ବୋଲି ଡିଏଫଓ କହିଥିଲେ।
ସେ ଆହୁରି କହିଛନ୍ତି, ବିଦ୍ୟାଭାରତୀ ପଣ୍ଡା ଓ ତାଙ୍କ ପରିବାର ଲୋକଙ୍କୁ ଏଯାଏଁ ପଚରାଉଚରା କରାଯାଇ ନାହିଁ। ସେମାନଙ୍କୁ ପଚରାଉଚରା କରିବା ପରେ ସବୁ କଥାକୁ ତର୍ଜମା କଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇ ବାହାରକୁ ଆସିବା ପରେ ଗଣମାଧ୍ୟମରେ କିଛି କହିବାକୁ ମନା କରି ଦେଇଥିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୌମ୍ୟରଞ୍ଜନଙ୍କ ଜମାନବନ୍ଦୀ ନେଲା ବେଳେ ସେ ଉପସ୍ଥିତ ଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ସେଠାରେ ନଥିଲେ ବୋଲି କହିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ସମ୍ମୁଖରେ ସେ ସେତେବେଳେ ଉପସ୍ଥିତ ଥିବା କହିଥିଲେ।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍ରେ କ୍ରାଇମ୍ବ୍ରାଞ୍ଚର ୪ ଜଣିଆ ଟିମ୍ ଡିଏଫଓ ଶ୍ରୀ ବେହେରାଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲା।
The post ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କର ହେବ ଲାଇ ଡିଟେକ୍ସନ ଟେଷ୍ଟ! appeared first on Odisha Reporter.
from Odisha Reporter https://ift.tt/2XMlYhB
No comments:
Post a Comment