ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): କରୋନା ମୃତ୍ୟୁର ଅଡିଟ୍ ସାରିବାକୁ ସରକାରଙ୍କୁ ଆହୁରି କେତେ ଦିନ ଲାଗିବ? ଏହି ପ୍ରଶ୍ନ ଓଡ଼ିଶା ରିପୋର୍ଟର ଜୁଲାଇ ୨୬ରେ ପ୍ରଥମେ ପଚାରିଥିଲା। ଯାହାର ଜବାବ ଦେବାକୁ ଯାଇ ଜୁଲାଇ ୨୮ରେ ଡିଏମଇଟି ସିବିକେ ମହାନ୍ତି କହିଥିଲେ ‘ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ କରୋନାର ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ’। ଅର୍ଥାତ୍ ଅଗଷ୍ଟ ୧୫ ସୁଦ୍ଧା ପରେ ପ୍ରତିଦିନ କରୋନାରେ କେତେ ଲୋକ ପ୍ରାଣ ହରାଉଛନ୍ତି ତାର ରିପୋର୍ଟ ଲୋକଙ୍କ ଆଗରେ ରହିବ। ଏବେ ଅଗଷ୍ଟ ୧୫ ସରି ଅଗଷ୍ଟ ୨୧ରେ ପହଞ୍ଚିଲାଣି ହେଲେ ଏବେ ବି ରାଜ୍ୟ ସରକାର କରୋନାର ପୁରୁଣା ମୃତ୍ୟୁସଂଖ୍ୟା ଜାରି କରୁଛନ୍ତି। ଏବେ କିଛି ଦିନ ଧରି ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ପାଖାପାଖି ୬୫ ରହିଛି।
ଶନିବାର ରାଜ୍ୟ ସରକାର ଦେଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ମୋଟ ସଂଖ୍ୟା ମଧ୍ୟରେ ଆଉ ୬୬ ଜଣ ଯୋଡ଼ି ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୨୮୯କୁ ବୃଦ୍ଧି ପାଇଛି।
ସେହିପରି ଅଗଷ୍ଟ ୨୦ (ଶୁକ୍ରବାର) ୬୯ ଜଣ, ଅଗଷ୍ଟ ୧୯ (ଗୁରୁବାର) ୬୮ ଜଣ, ଅଗଷ୍ଟ ୧୮ (ବୁଧବାର) ୬୫ ଜଣ, ଅଗଷ୍ଟ ୧୭ (ମଙ୍ଗଳବାର) ୬୮ ଜଣ, ଅଗଷ୍ଟ ୧୬ (ସୋମବାର) ୬୬ ଜଣ, ଅଗଷ୍ଟ ୧୫ (ରବିବାର) ୬୪ ଜଣଙ୍କ ମୃତ୍ୟୁ ସଂଖ୍ୟା ଯୋଡ଼ି ହୋଇଛି।
ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି ସରକାର କହୁଛନ୍ତି। ହସ୍ପିଟାଲରେ ପୂର୍ବଭଳି ଗହଳି ନାହିଁ ବୋଲି ମଧ୍ୟ ଦାବି କରିଛନ୍ତି। ରାଜ୍ୟ ସରକାର ଯେଉଁଭଳି କରୋନାକୁ ନିୟନ୍ତ୍ରଣ କରିଛନ୍ତି ତାହା ଦେଶ ବିଦେଶରେ ପ୍ରଶଂସା ସାଉଁଟୁଛି ବୋଲି ଶାସକ ଦଳର ନେତା କହୁଛନ୍ତି। ତେବେ ଦୈନିକ ମୃତ୍ୟୁ ରିପୋର୍ଟ ଜାରି କରିବାରେ ସରକାରଙ୍କର ଅସୁବିଧା କେଉଁଠି ରହୁଛି?
ପୂର୍ବରୁ ହୋଇଥିବା ମୃତ୍ୟୁର ଅଡିଟ୍ କରାଯାଇ ପାରିନଥିଲା। କାରଣ ସେତେବେଳେ ହସ୍ପିଟାଲରେ ଗହଳି ଅଧିକ ଥିଲା। ଏବେ ପିଛିଲା ମୃତ୍ୟୁ ରିପୋର୍ଟକୁ ଅଡିଟ୍ କରାଯାଇ ଜାରି କରାଯାଉଛି।
ରାଜ୍ୟରେ ଏହି ମୃତ୍ୟୁ ସଂଖ୍ୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକଙ୍କ କହିବା କଥା ଏବେ ହସ୍ପିଟାଲରେ ଗୁରୁତର ରୋଗୀଙ୍କ ସଂଖ୍ୟା ଯଦି କମିଛି ତା’ହେଲେ ପ୍ରତିଦିନ କୋଭିଡରେ କେତେ ପ୍ରାଣ ହରାଉଛନ୍ତି ରିପୋର୍ଟ ଜାରି କରିବାରେ ଅସୁବିଧା କେଉଁଠି? ମହାରାଷ୍ଟ୍ର ଭଳି ବଡ଼ ରାଜ୍ୟ ଯଦି ବିଗତ ୨୪ ଘଣ୍ଟାରେ ମୃତ୍ୟୁ ରିପୋର୍ଟ ଜାରି କରିପାରୁଛି ତାହେଲେ ଓଡ଼ିଶା ଭଳି ରାଜ୍ୟରେ ଅସୁବିଧା କେଉଁଠି? ମହାରାଷ୍ଟ୍ର, ବିହାର ଓ ମଧ୍ୟ ପ୍ରଦେଶ ସରକାର କରୋନା ମୃତ୍ୟୁର ଅଡିଟ୍ କରିବା ପରେ ଏକାଥରକେ ମୃତ୍ୟୁସଂଖ୍ୟା କେଇ ଗୁଣ ବୃଦ୍ଧି ପାଇଥିଲା। ତାହାକୁ ନେଇ ସେହି ରାଜ୍ୟସରକାରଗୁଡ଼ିକ ମୃତ୍ୟୁସଂଖ୍ୟା ଲୁଚାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଓଡ଼ିଶା ସରକାର ସେହିପରି ଆଶଙ୍କା କରି କରୋନା ମୃତ୍ୟୁର ଅଡିଟ୍ ବିଳମ୍ବ କରାଉଛନ୍ତି ଓ ଏକାଥରକେ ଅଡିଟ୍ ହୋଇଥିବା ମୃତ୍ୟୁସଂଖ୍ୟା ପ୍ରକାଶ ନକରି ଦୈନିକ ମୃତ୍ୟୁସଂଖ୍ୟାରେ କିଛି କିଛି ପୁରୁଣା ମୃତ୍ୟୁସଂଖ୍ୟା ଯୋଡ଼ି ପ୍ରକାଶ କରୁଥିବା ସନ୍ଦେହ କରାଯାଉଛି।
The post କରୋନା ମୃତ୍ୟୁ ଅଡ଼ିଟ୍ ସାରିବାକୁ ଆଉ କେତେ ଦିନ ନେବେ ସରକାର? appeared first on Odisha Reporter.
from Odisha Reporter https://ift.tt/2WbbnvY
No comments:
Post a Comment