ଗାନ୍ଧିଜୀଙ୍କ ସ୍ୱଦେଶୀ ଓ ସରଳ ଜୀବନଶୈଳୀ ଅନୁସରଣ କରୁ ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

ଗାନ୍ଧିଜୀଙ୍କ ସ୍ୱଦେଶୀ ଓ ସରଳ ଜୀବନଶୈଳୀ ଅନୁସରଣ କରୁ ଓଡ଼ିଶା

  • ସୁଧାଂଶୁ ରଞ୍ଜନ ଦାସ

ଆଜିକୁ ଶହେବର୍ଷ ତଳେ ଜାତିର ପିତା ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଆସି ଓଡ଼ିଶାର ସାଂସ୍କୃତିକ, ସମାଜିକ ଓ ସୂକ୍ଷ୍ମ ଆର୍ଥିକ ଗତିବିଧି ଦେଖି ପ୍ରଭାବିତ ହୋଇଥିଲେ। ବାଲେଶ୍ୱର ଜିଲ୍ଲାର ଗୋଟେ ଛୋଟ ଗାଁରେ ରହୁଥିବା କେତେକ ଲୁଣଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଗାନ୍ଧିଜୀଙ୍କୁ ବହୁତ କଷ୍ଟ ଦେଇଥିଲା। ପର ମୁହୂର୍ତ୍ତରେ ଗାନ୍ଧିଜୀ ବ୍ରିଟିଶ ସରକାରଙ୍କ ବିରୋଧରେ ଏକ ଅମୋଘ ଅସ୍ତ୍ର ପାଇଥିଲେ। ବିଶ୍ୱ ପ୍ରସିଦ୍ଧ ଲବଣ ସତ୍ୟାଗ୍ରହର ନିଆଁଧାସଟି ଗାନ୍ଧିଜୀ ବାଲେଶ୍ୱରରୁ ହିଁ ପାଇଥିଲେ।  ଏହି  ନିଆଁଧାସଟି ଏକ ବିରାଟ  ଅଗ୍ନିଶିଖାରେ ପରିଣତ ହୋଇ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥଲା। ଗାନ୍ଧିଜୀଙ୍କର ଓଡ଼ିଶା ଆଗମନର ଶତବାର୍ଷିକ ସମାରୋହ କାର୍ଯ୍ୟକ୍ରମ ବର୍ଷସାରା ଖୁବ ଧୁମଧାମରେ ପାଳନ କରିବାକୁ ଓଡ଼ିଶାର ନେତା ଓ ଗାନ୍ଧିବାଦୀମାନେ ମାର୍ଚ୍ଚ ମାସରେ ବହୁତ ଉତ୍ସାହ ଦେଖାଇଥିଲେ। ମହାତ୍ମା ଗାନ୍ଧୀ ୨୩ ମାର୍ଚ୍ଚ ୧୯୨୧ରେ  ପ୍ରଥମେ ଓଡ଼ିଶା ଆସିଥିଲେ ଓ ସେ ସମୁଦାୟ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ। କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଯୋଉଠିକି ଗାନ୍ଧିଜୀ ଯାଇଥିଲେ ସେଠାରେ ପଦଯାତ୍ରା, ରଥଯାତ୍ରା, ସଭା, ଭାଷଣ ପ୍ରତିଯୋଗିତା ଓ ଅନେକ ପ୍ରତିଯୋଗିତା ବର୍ଷ ଭରି ଚାଲିବ ବୋଲି ସଂକଳ୍ପ ନିଆଯାଇଥିଲା। ମଇ ମାସ ନପୂରୁଣୁ ଓଡ଼ିଶାର ନେତାଗୋଷ୍ଠୀ, ସ୍ୱେଛାସେବୀ, ଗାନ୍ଧିବାଦୀ ଓ ମିଡ଼ିଆର ଗାନ୍ଧିପ୍ରେମ ଉଭାନ ହୋଇଗଲା ଭଳି ଲାଗେ। ଗାନ୍ଧିଜୀଙ୍କୁ ପୂଜାକରି ମାଳା ପିନ୍ଧାଇବା ସହଜ କିନ୍ତୁ ତାଙ୍କ ଆଦର୍ଶକୁ ଅନୁକରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ।

କଟକର ଦକ୍ଷିଣ ପାର୍ଶ୍ୱରେ ଥିବା ଯେଉଁ କାଠଯୋଡ଼ି ଶଯ୍ୟାରେ ଗାନ୍ଧିଜୀ ପ୍ରଥମେ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ ଏହି ଶଯ୍ୟାରେ ଆଜି କଟକର ସମସ୍ତ ଆବର୍ଜନା ପଡୁଥିବାର ଦେଖାଯାଉଛି। କାଠଯୋଡ଼ି ନଦୀ ତାର ସ୍ରୋତ ହରାଇ ବସିଥିବାରୁ କଟକର ହଜାର ହଜାର ବାସିନ୍ଦା ଯେଉଁମାନେ କାଠଯୋଡ଼ିର ଶୀତଳ ଓ ନିର୍ମଳ ଜଳରେ ପ୍ରାତଃ ସ୍ନାନ କରି ଖୁସିରେ ପ୍ରତିଦିନର କାମ ଆରମ୍ଭ କରୁଥିଲେ ସେମାନେ ଆଜି ବୁନ୍ଦେ ବୁନ୍ଦେ କଳପାଣିରେ କାମ ଚଳାଉଛନ୍ତି। ଛତିଶଗଡ଼ ସରକାର ମହାନଦୀ ଉପରେ ଅସଂଖ୍ୟ ଡ୍ୟାମ କରିବା ଦ୍ୱାରା ଚିରସ୍ରୋତା ମହାନଦୀ ଓ କାଠଯୋଡ଼ି ଆଜି ଶୁଖିଯାଇଛି। ଏହି ଚିତ୍ର ଯଦି ଗାନ୍ଧିଜୀ ଆଜି ଦେଖିଥାନ୍ତେ ତେବେ ଏହା ତାଙ୍କୁ ଅତ୍ୟନ୍ତ ପୀଡ଼ା ଦେଇଥାନ୍ତା। ଗାନ୍ଧିଜୀ ଯେପରି ଖରାତରାରେ ବୁଲି ଲୋକ ସଚେତନତା ସୃଷ୍ଟି କରୁଥିଲେ ସେହିଭଳି ଓଡ଼ିଶାର ନେତା ଓ  ବୁଦ୍ଧିଜୀବୀ ଖରାରେ ରାସ୍ତାକୁ ଓହ୍ଲାଇ ଓଡ଼ିଶାର ଜଳସମ୍ପଦ ଯଥା ନଦୀ, ହ୍ରଦ, ପୋଖରୀ ଓ କୂଅଗୁଡ଼ିକର କିଭଳି ସୁରକ୍ଷା କରିହେବ, ଓଡ଼ିଶାର ଫସଲ ବିବିଧତା, ହସ୍ତ ଶିଳ୍ପ ପରମ୍ପରା, ହସ୍ତତନ୍ତ ପରମ୍ପରା ଓ କୁଟୀର ଶିଳ୍ପଗୁଡ଼ିକ କିଭଳି ବଞ୍ଚାଇ ହେବ ସେଥିପାଇଁ ବର୍ଷଭରି ଲୋକ ସଚେତନତା ସୃଷ୍ଟି କଲେ ଗାନ୍ଧିଜୀଙ୍କ ଆତ୍ମାକୁ ଟିକେ ସୁଖ ମିଳିବ। ଭାଷଣବାଜି କରି ଯଦି ଏହି ନେତାଗଣ ଓ ସମାଜସେବୀମାନେ ନିଜ ନିଜ ଶୀତତାପ ନିୟନ୍ତ୍ରିତ ଘରେ ଓ ଗାଡ଼ିଭିତରେ ପଶିଯିବେ ଏହା ଗାନ୍ଧିଜୀଙ୍କୁ ବିଦ୍ରୁପ କଲାଭଳି ହେବ।

ଗାନ୍ଧିଜୀଙ୍କ ଜୀବନରେ ବୃକ୍ଷରୋପଣ ଏକ ବିଶେଷ ଲକ୍ଷ୍ୟ ଥିଲା। ଆଜି ଓଡ଼ିଶାବାସୀ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବର୍ଷଭରି ଚଳାଇବା ଦରକାର। ବେଲ, ବର, ଅଶ୍ୱଶ୍‌ଥ, ଆମ୍ବ, ପିଜୁଳି, କଇଁଥ, ଶିମିଳି, ଜାମୁ, ନଡ଼ିଆ ଆଦି ଦେଶୀ ଗଛ ରୋପଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହକୁ ରୋକିବା ସଂଗେ ସଂଗେ ସ୍ଥାନୀୟ ଲୋକମାନଙ୍କର ସ୍ୱାସ୍ଥ୍ୟ, ପରିବେଶ ଓ ଆର୍ଥିକ ଅବସ୍ଥାରେ ସୁଧାର ଆଣିପାରିବ। ୟାସ ତୋଫାନ ବାଲେଶ୍ୱର ଜିଲାକୁ ଧ୍ଵସ୍ତ ବିଧ୍ଵସ୍ତ କରିଛି। ୧୯୭୧ ମସିହା ତୋଫାନ ପରେ ଏକ୍ସପର୍ଟ କମିଟି ଉପକୂଳବର୍ତ୍ତୀ ଜିଲାର ସୁରକ୍ଷା ନିମସ୍ତେ ବ୍ୟାପକ ବୃକ୍ଷ ରୋପଣ ପାଇଁ ସୁପାରିଶ  କରିଥିଲେ। ପଚାଶ ବର୍ଷ ଭିତରେ ଓଡ଼ିଶା ବୃକ୍ଷ ରୋପଣ ପରିବର୍ତ୍ତେ ଉପକୂଳବର୍ତ୍ତୀ ଇଲାକାରେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରିଥିବାରୁ ସାମୁଦ୍ରିକ ଝଡ଼ରେ ପ୍ରତିବର୍ଷ ଓଡ଼ିଶାର ଅନେକ ଧନଜୀବନ ନଷ୍ଟ ହେଉଛି। ପ୍ରକୃତି ସାଙ୍ଗରେ ସନ୍ତୁଳନ ରକ୍ଷା ନକରି ବିକାଶ କରାଯାଉଥିବାରୁ ଆଜି ସାରା ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବାକୁ ପଡୁଛି। ପରିବେଶ ବୈଜ୍ଞାନିକଙ୍କ କହିବା ଅନୁସାରେ ବିଗତ ତିରିଶ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟର  ପ୍ରକୋପ ଓ ସଂଖ୍ୟା ବହୁ ଅଧିକ ବଢ଼ିଯାଇଛି।

ଗାନ୍ଧିଜୀ କହୁଥିଲେ ମନୁଷ୍ୟର ଆବଶ୍ୟକତା ପୂରଣ ପାଇଁ ପ୍ରକୃତି ପ୍ରଚୁର ସମ୍ପଦ ରଖିଛି କିନ୍ତୁ ଏହି ସମ୍ପଦ ମନୁଷ୍ୟର ଲୋଭକୁ ଚରିତାର୍ଥ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ପ୍ରତି ବର୍ଷ ଗାନ୍ଧିଜୀଙ୍କ ବେକରେ ଗଜରା ମାଳ ପିନ୍ଧାଇ ପଛରେ ତାଙ୍କର ଆଦର୍ଶ ବିରୋଧରେ କାମକରିବା ଦ୍ୱାରା ଦେଶବାସୀ ନିଜକୁ ଘୋର ସଙ୍କଟ ଭିତରକୁ ଟାଣିନେଉଛନ୍ତି। ଏବେ ବି ମାନସିକତାକୁ ସୁଧାରିବା ପାଇଁ ସମୟ ଅଛି।

ଗାନ୍ଧିଜୀଙ୍କ କହିବା ଅନୁସାରେ ଦେଶ ଯଦି ତାହାର ହସ୍ତଶିଳ୍ପ ଓ ହସ୍ତତନ୍ତ ପରମ୍ପରାକୁ ସୁରକ୍ଷିତ ରଖିପାରିବ ତେବେ ସେ ବିଶ୍ୱ ବଜାରରୁ ଅନେକ ବିଦେଶୀ ମୁଦ୍ରା ଅର୍ଜନ କରିପାରିବ। ଓଡ଼ିଶାର ହସ୍ତଶିଳ୍ପ ଓ ହାତବୁଣା ଲୁଗା ବିଶ୍ୱ ପ୍ରସିଦ୍ଧ ଥିଲା। ଆଜି ଓଡ଼ିଶାର ହସ୍ତକଳାର ଗୁଣାତ୍ମକ ମାନରେ ଦ୍ରୁତ ଅବନତି ହୋଇଛି। ଗୁଣାତ୍ମକ ମାନ ହିଁ ହସ୍ତଶିଳ୍ପ ରପ୍ତାନୀରେ ସାହାଯ୍ୟ କରିଥାଏ। ଯଦି କିଏ ଓଡ଼ିଶାରେ ୩୦ ବର୍ଷ ତଳେ ତିଆରି ପଟ୍ଟଚିତ୍ର ସହିତ ଆଜିର ପଟ୍ଟଚିତ୍ରକୁ ତୁଳନା କରେ ତେବେ ଏହାର ଗୁଣାତ୍ମକ ମାନରେ ଫରକ ସହଜରେ ଜାଣିପାରିବ। ହସ୍ତ ଶିଳ୍ପ ବିଭାଗରେ ପ୍ରକୃତରେ ହସ୍ତଶିଳ୍ପ କଳା ଉପରେ ଅଭିଜ୍ଞ, ଓଡ଼ିଶା ପ୍ରେମୀ, ସଚ୍ଚୋଟ, କର୍ମଠ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି କରିବା ଉଚିତ। ହସ୍ତଶିଳ୍ପ ଉପରେ ଗବେଷଣା କରିବା ନିହାତି ଆବଶ୍ୟକ। ମହାତ୍ମା ଗାନ୍ଧୀଙ୍କର ଭାରତୀୟ ହସ୍ତଶିଳ୍ପ ଅତ୍ୟନ୍ତ ପ୍ରିୟ ଥିଲା। ଗାନ୍ଧୀଜୀଙ୍କର ସ୍ୱଦେଶୀ ଆନ୍ଦୋଳନ ଶହ ଶହ କୁଟୀର ଶିଳ୍ପ ପରମ୍ପରାକୁ ଆଜି ମଧ୍ୟ ସାରା ଭାରତ ବର୍ଷରେ ବଞ୍ଚାଇ ରଖିଛି। ଯଦି ଓଡ଼ିଶାବାସୀ ଗାନ୍ଧିଜୀଙ୍କୁ ପ୍ରକୃତରେ ସମ୍ମାନ କରୁଥିବେ ତେବେ ସେମାନେ ଓଡ଼ିଶାର ପ୍ରତ୍ୟେକ ସରକାରୀ ଓ ବେସରକାରୀ ଦପ୍ତର ଓ ନିଜ ଘରେ ସ୍ଵତଃପ୍ରବୃତ୍ତ ହୋଇ ହସ୍ତଶିଳ୍ପର ବ୍ୟବହାର କରିବେ। ହସ୍ତବୁଣା ଲୁଗାର ବିକାଶ ପାଇଁ ପ୍ରକୃତ ଓଡ଼ିଶା ପ୍ରେମୀ, ଦକ୍ଷ, ହସ୍ତବୁଣା ଲୁଗା ଉପରେ ଜ୍ଞାନ ଥିବା ବ୍ୟକ୍ତିକୁ ହସ୍ତତନ୍ତ ବିଭାଗର ଦାୟିତ୍ୱ ଦେବା ଉଚିତ।

ଗାନ୍ଧିଜୀ କହୁଥିଲେ କୃଷି, ହସ୍ତଶିଳ୍ପ ଓ ପରିବେଶକୁ ହାନି ନକରୁଥିବା ଛୋଟଛୋଟ ଆର୍ଥିକ ଗତିବିଧି ଲୋକଙ୍କ ଜୀବନର ମାନ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗାନ୍ଧିଜୀ କହୁଥିଲେ, “ଯଦି  ଆମେ କୋଟି କୋଟି ଗ୍ରାମବାସୀଙ୍କୁ ସହରରେ ରୋଜଗାର କରିବାକୁ  ଅବସର ଦେବା ତେବେ ସହରଗୁଡିକ ନଷ୍ଟ ହୋଇଯିବ”। ଗାନ୍ଧିଜୀଙ୍କ ବାଣୀ ଆଜି ଅକ୍ଷରେ ଅକ୍ଷରେ ସତ୍ୟ ହେଲା ଭଳି ଲାଗେ। ଭାରତର ସମସ୍ତ ସହର ଆଜି ବିକାଶର ବିକୃତିକରଣର ଶିକାର ହୋଇଛି। ଭାରତରେ ଥିବା ସମସ୍ତ ମେଟ୍ରୋ ନଗର ଆଉ ମନୁଷ୍ୟ ରହିବା ଉପଯୋଗୀ ନାହିଁ।

ଗାନ୍ଧିଜୀଙ୍କୁ ଯଦି ଆମେ ପ୍ରକୃତରେ ସମ୍ମାନ ଦେଉଥିବା ତେବେ ଆମେ ଆମର ଗ୍ରାମ ଓ ସହରଗୁଡିକରେ ସ୍ଵଚ୍ଛତା ରକ୍ଷା କରିବା ଉଚିତ। ସ୍ୱଚ୍ଛତା ଅନେକ ରୋଗରୁ ମନୁଷ୍ୟକୁ ବଞ୍ଚାଇ ଥାଏ। ପଚାଶ ବର୍ଷ ତଳେ ଓଡ଼ିଶାର ଲୋକେ କୂଅ ପାଣିକୁ ପାଇବା ପାଇଁ ବ୍ୟବହାର କରୁଥିଲେ। ଆଜି ସମସ୍ତେ ଆକ୍ଵାଗାର୍ଡ ଦରକାର କରୁଛନ୍ତି। ୧୯୯୦ ମସିହା ଯାଏଁ ପୁନେ ନଗରରେ କେହି ଏସିର ବ୍ୟବହାର କରୁନଥିଲେ। ପୁନେକୁ ପ୍ରାକୃତିକ ଏୟାର କଣ୍ଡିସନ ନଗର କୁହାଯାଉଥିଲା। ଆଜି ବିକାଶର ବିକୃତିକରଣ ଯୋଗୁଁ ଘରେ ଘରେ ଏସିର ଦରକାର ପଡୁଛି। ପୁନେରେ ଥିବା ସବୁଜ ବଳୟ, ଚନ୍ଦନ ଗଛର ଜଙ୍ଗଲ ଓ ସବୁଜ ପାହାଡ଼କୁ ନଷ୍ଟ କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଇଛି। ଫଳରେ ବିଗତ ୨୦ ବର୍ଷ ଭିତରେ ତାପମାତ୍ରା ଅସମ୍ଭବ ବୃଦ୍ଧି ପାଇଛି। ଚେନ୍ନାଇ, ମୁମ୍ବାଇ, ବାଙ୍ଗାଲୋର ଓ ହାଇଦ୍ରାବାଦରେ ୯୦ ପ୍ରତିଶତ ଜଳାଶୟ ନଷ୍ଟ ହେବାଦ୍ୱାରା ଏହି ନଗରଗୁଡିକ ଟର୍ଚର ଚାମ୍ବରରେ ପରିଣତ ହୋଇଛି। ଗାନ୍ଧିଜୀଙ୍କ କଥାକୁ ଲୋକେ ମାନିଥିଲେ ହୁଏତ ଏଭଳି ଦୁର୍ଗତି ହୋଇନଥାନ୍ତା। ଦେଶବାସୀ ଯଦି ଗାନ୍ଧୀଜୀଙ୍କର ସ୍ୱଚ୍ଛତା, ସ୍ୱଦେଶୀ ଓ ସ୍ୱାବଲମ୍ବୀ ହେବାର ବିଚାରଧାରାକୁ ପୁନର୍ଜୀବିତ କରିପାରିବେ ତେବେ  ସେମାନେ ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ କରିପାରିବେ।

The post ଗାନ୍ଧିଜୀଙ୍କ ସ୍ୱଦେଶୀ ଓ ସରଳ ଜୀବନଶୈଳୀ ଅନୁସରଣ କରୁ ଓଡ଼ିଶା appeared first on Odisha Reporter.



from Odisha Reporter https://ift.tt/3B03f0l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages