ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକର ସୁରକ୍ଷା ଦରକାର   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 3, 2021

ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକର ସୁରକ୍ଷା ଦରକାର  

  • ସୁଧାଂଶୁ ରଞ୍ଜନ ଦାସ

ଏକ ହଜାର ବର୍ଷରୁ ଉର୍ଦ୍ଧ୍ୱ କଟକ ନଗର ଏକଦା ଏକ ନଦୀବନ୍ଦର ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭକରିଥିଲା। କାର୍ତ୍ତିକ ମାସରେ ସାହାସୀ ଓଡ଼ିଆ ବ୍ୟବସାୟୀମାନେ ଅସ୍ତ୍ର ବିଦ୍ୟାରେ ନିପୁଣ କେତେକ ଓଡ଼ିଆ ଯୋଦ୍ଧାଙ୍କୁ ନେଇ ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଓଡ଼ିଶାର ବାଣିଜ୍ୟ ସମ୍ପର୍କ ଏସିଆ, ୟୁରୋପର ଗ୍ରୀସ ଓ ଆଫ୍ରିକୀୟ ଦେଶମାନଙ୍କ ସାଙ୍ଗରେ ଥିଲା ବୋଲି କେତେକ ଐତିହାସିକ ଉଲ୍ଲେଖ କରିଛନ୍ତି। ପ୍ରକୃତ ଗବେଷଣାର ଅଭାବରୁ ନୌବାଣିଜ୍ୟ ସମ୍ବନ୍ଧିତ ଅନେକ ତଥ୍ୟ ଆଜି ମଧ୍ୟ ଲୁକ୍କାୟିତ ଭାବରେ ଅଛି। ଆଜି ଓଡ଼ିଶାର ବାଣିଜ୍ୟ ଓ ରାଜନୈତିକ ପ୍ରାଣକେନ୍ଦ୍ର କଟକ ନଗରକୁ ଦେଖିଲେ ମନେହୁଏ ସତେଯେପରି  କଟକ ନଗର ତାର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ପରିବେଶକୁ ହରାଇ ବସିଛି।

ଆଜି କଟକରେ ଥିବା ଅନେକ ଧାର୍ମିକ ପୀଠସ୍ଥଳୀ ସଂରକ୍ଷଣର ଅଭାବରୁ ତାର ଆଧ୍ୟାତ୍ମିକ ପରିବେଶକୁ ହଜାଇ ଦେଇଛି। ଧର୍ମସ୍ଥଳୀଗୁଡ଼ିକର ଆଧ୍ୟାତ୍ମୀକରଣ ପରିବର୍ତ୍ତେ ବ୍ୟବସାୟୀକରଣ ପ୍ରକ୍ରିୟା ଅଧିକ ହେବାର ଦେଖାଯାଉଛି। ପ୍ରାଚୀନ ଧର୍ମସ୍ଥାନଗୁଡିକର ଭିତରେ ଓ ବାହାରେ  ମନଇଚ୍ଛା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଫଳରେ ଏହି ପ୍ରାଚୀନ ଧର୍ମପୀଠଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ମହତ୍ୱ ଲୋପପାଇଯିବାର ଜଣାପଡ଼େ। ଅନେକ ଜାଗାରେ ତୀର୍ଥସ୍ଥଳୀର ଚାରି ପାଖରେ ଥିବା ଜମିଗୁଡ଼ିକ ଜବରଦଖଲ ହୋଇ ଅସାମାଜିକ ଲୋକମାନଙ୍କର ଆଡ୍ଡାସ୍ଥଳୀ ବନିଯାଇଛି। କଟକ ନଗରରେ ଥିବା ପ୍ରାଚୀନ ଧର୍ମସ୍ଥଳୀର ଆଧ୍ୟାତ୍ମିକ ପରିବେଶର ଉନ୍ନତି ପାଇଁ ରାଜନୈତିକ ଇଚ୍ଛାଶକ୍ତି, ବସ୍ତିର ମୁରବି ଓ ଯୁବପିଢ଼ିର ସହଯୋଗ, ଦେବତ୍ତୋର କମିଶନରଙ୍କ ତତ୍ପରତା, ପୋଲିସ କର୍ମୀଙ୍କର ତୀକ୍ଷ୍ଣ ଦୃଷ୍ଟି ଓ ବୁଦ୍ଧିଜୀବୀମାନଙ୍କର ମାର୍ଗଦର୍ଶନ ନିହାତି ଆବଶ୍ୟକ। କଟକରେ ଥିବା ମନ୍ଦିର, ଗୁରୁଦ୍ୱାର, ଗୀର୍ଜାଘର ଓ ମସଜିଦର ପରିବେଶରେ ଯଦି ସୁଧାର ହୁଏ ତେବେ ଏହା ଅନେକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ସଂଗେ ସଂଗେ ରୋଜଗାରର ସମ୍ଭାବନା ସୃଷ୍ଟି କରିପାରିବ। ପରିବେଶର ଉନ୍ନତି ହେଲେ ପ୍ରାଚୀନ ଧର୍ମପୀଠ ଯଥା ଦାନ୍ତନ ସାହେବ ଗୁରୁଦ୍ୱାର, ଗଡ଼ଚଣ୍ଡୀ ମନ୍ଦିର, କଦମ ରସୁଲ, ରଘୁନାଥଜୀଉ ମନ୍ଦିର, ଧବଳେଶ୍ୱର ମନ୍ଦିର, ଚୌଧୁରୀ ବଜାରର ଜୈନ ମନ୍ଦିର, ମାନସିଂଗପାଟଣାର ଲକ୍ଷ୍ମୀ ନାରାୟଣ ମନ୍ଦିର, ଗଡ଼ଗଡ଼ିଆ ଶିବ ମନ୍ଦିର, ଅମରେଶ୍ୱର ମନ୍ଦିର ଓ ହୋଲି ରୋଜାରୀ ଚର୍ଚ୍ଚ ଇତ୍ୟାଦି କଟକରେ ତୀର୍ଥ ପର୍ଯ୍ୟଟନର ବାଟ ଖୋଲିଦେବ। କୌଣସି ତୀର୍ଥସ୍ଥାନର ଦୁରୁପଯୋଗ ଯେଭଳି ନହୁଏ ସେଥିପାଇଁ କର୍ତ୍ତୃପକ୍ଷ ସଜାଗ ରହିବା  ଦରକାର।

କଟକରେ ଲୋକକଳା ଅତ୍ୟନ୍ତ ଆକର୍ଷକ ହୋଇଥାଏ। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏଲକେ ଆଡ଼ଭାନୀ ୧୯୯୦ ମସିହା ପୂର୍ବରୁ ଯେତେବେଳେ ଅଯୋଧ୍ୟା ରଥଯାତ୍ରାରେ କଟକରେ ପ୍ରବେଶ କଲେ କଟକର ପ୍ରତ୍ୟେକ ସାହିର ସଂକୀର୍ତ୍ତନ ମଣ୍ଡଳୀ ଏକ କିଲୋମିଟର ଲମ୍ବା ବିରାଟ ଶୋଭାଯାତ୍ରାରେ ତାଙ୍କୁ ସ୍ୱାଗତ କରିଥିଲେ। ସେ ଲୋକକଳା ଓ ସଂକୀର୍ତ୍ତନ ମଣ୍ଡଳୀ ଆଜି ଆଉ ଦେଖିବାକୁ ମିଳୁନାହିଁ। ଅପସଂସ୍କୃତିର ବିକାଶ, ଲୋକ ସଚେତନତାର ଅଭାବ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ କଟକରୁ ଅନେକ ଉନ୍ନତ ଲୋକକଳା ପରମ୍ପରା ପ୍ରାୟ ଲୋପ ପାଇଗଲାଣି।

ସାମାଜିକ ପରିବେଶ

କଟକର ସାହିବସ୍ତିର ଅନେକ ଯୁବକ କେତେକ ଅସାଧୁ କୁଜି ରାଜନୈତିକ ନେତାଙ୍କ କୁସଙ୍ଗରେ ଆସି ନିଜର ମୂଲ୍ୟବାନ ସମୟକୁ ମଦ, ଗଂଜେଇ ଖାଇ ଓ ମଉଜ ମସ୍ତିରେ ନଷ୍ଟ କରିଦେଉଥିବାର ଦେଖାଯାଏ। ଏହି କେତେକ ଅସାଧୁ କୁଜିନେତାମାନେ ଯୁବପିଢ଼ିକୁ ପ୍ରଲୋଭନ ଦେଖାଇ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରିଥାନ୍ତି। କୁଜିନେତାମାନେ ନିର୍ବାଚନ ସମୟରେ ଏହି  ଯୁବକମାନଙ୍କ ମାଧ୍ୟମରେ ସାହି ବସ୍ତିର ଭୋଟରମାନଙ୍କୁ ପ୍ରଭାବିତ କରିଥାନ୍ତି। ଯୁବକମାନେ ବିନା ପରିଶ୍ରମରେ ପଇସା ପାଇ କୁମାର୍ଗରେ ଯାଇ ନିଜର ପରିବାର ଓ ସମାଜର କ୍ଷତି କରିଥାନ୍ତି। କଟକର ଅନେକ କ୍ଳବଗୁଡ଼ିକରେ ପିଲାମାନେ ଖେଳକୁଦ କରିବା ପରିବର୍ତ୍ତେ ବେଶୀ ଭୋଜି ଭାତ କରିବାରେ ଆନନ୍ଦ ପାଉଛନ୍ତି। ଅନେକ କ୍ଳବରେ ଯୁବକମାନେ ମଦ୍ୟପାନ ନିୟମିତ ଭାବରେ କରୁଥିବାର ଦେଖାଯାଉଛି। କଟକର ରାସ୍ତାକଡ଼ ଉଠା କ୍ୟାବିନରେ ବସି ମଦ୍ୟପାନ କରି ଅସଭ୍ୟ ଭାଷାରେ ପାଟିତୁଣ୍ଡ କରିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଏହି ପରିବେଶ ସାଧାରଣ ଭାବରେ ଜୀବନଯାପନ କରୁଥିବା ଶିକ୍ଷିତ ପରିବାର ଓ ସେମାନଙ୍କର ପାଠ ପଢୁଥିବା ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକାଉଛି। ସାହୀ ମୁରବୀମାନଙ୍କର ନିଷ୍କ୍ରିୟତା, ମିଡ଼ିଆର ଉଦାସୀନତା ଓ ପୋଲିସ କର୍ତ୍ତୃପକ୍ଷଙ୍କ ଶୀଥିଳତା ଏହି ସାମାଜିକ ସମସ୍ୟାକୁ ଆହୁରି ଖରାପ କରିଦେଇଛି। ଶିକ୍ଷିତ ଲୋକେ ଘରୁ ବାହାରି ଏହି ମାଦ୍ୟପମାନଙ୍କୁ ସାମନା କରିବାକୁ ଡରୁଛନ୍ତି। କଟକରେ ଯଦିଓ ପର୍ଯ୍ୟଟନ ବିକାଶ ପାଇଁ ଅନେକ ସମ୍ଭାବନା ଅଛି ମାତ୍ର ସାମାଜିକ ପରିସ୍ଥିତିର ଅବନତି ହେବାରୁ ପର୍ଯ୍ୟଟନ କ୍ଷେତ୍ରରୁ ରୋଜଗାର ସୃଷ୍ଟି କରିବା କଷ୍ଟକର ହେଉଛି। ଅପରାଧ ନିରାକରଣ ଓ ସାମାଜିକ ପରିବେଶର ଉନ୍ନତି ହେଲେ କଟକରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ। ଏଥିପାଇଁ ସାହୀ ମୁରବୀମାନଙ୍କର ସହଯୋଗ ନିହାତି ଆବଶ୍ୟକ।

ଆଜି ସାହସୀ, ସ୍ୱାଭିମାନୀ ଓ କର୍ମଠ କଟକବାସୀ ତାଙ୍କର ନିଜତ୍ୱ ଭୁଲିଯିବାକୁ  ବସିଛନ୍ତି। କଟକର ସାହିବସ୍ତିର ହଜାର ହଜାର ଯୁବକ ସ୍ୱଳ୍ପ ବେତନରେ ମାରୁଆଡ଼ି ଓ ଗୁଜୁରାଟୀ ବ୍ୟବସାୟୀଙ୍କ ପାଖରେ କାମ କରୁଛନ୍ତି। କଟକର ବସ୍ତିବାସିନ୍ଦାମାନଙ୍କ ପାଖରେ ଅନେକ ପ୍ରକାରର ଜ୍ଞାନ କୌଶଳ ଥିଲେ ମଧ୍ୟ ପୁଞ୍ଜି ଓ ନିଜ ଭିତରେ ସହଯୋଗର ଅଭାବରୁ ସେମାନେ ବଡ଼ ବଡ଼ ବ୍ୟବସାୟରେ ତିଷ୍ଠି ପାରୁନାହାନ୍ତି। ଓଡ଼ିଆଙ୍କର କଙ୍କଡ଼ା ଦୋଷ ସେମାନଙ୍କର ଅବନତିର କାରଣ ହୋଇଛି। ଆତ୍ମବିଶ୍ୱାସର ଅଭାବ, ନିଜ ଭିତରେ ଗୋଡ଼ ଟଣାଟଣି ଭାବ, ପରିଶ୍ରମ କାତରତା ଓ ଓଡ଼ିଆ ବୁଦ୍ଧିଜୀବୀମାନଙ୍କର ନିଷ୍କ୍ରିୟତା ଓଡ଼ିଆ ଯୁବକମାନଙ୍କ ପାଇଁ  ନିଜ ରାଜ୍ୟରେ ବ୍ୟବସାୟ କରିବା ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି କରିପାରୁନାହିଁ। ଦୂର ରାଜ୍ୟରୁ ଆସି ଲୋକେ କଟକରେ ନିଜର ବ୍ୟବସାୟ ଯଦି କରିପାରୁଛନ୍ତି ତେବେ ନିଜ ଘରେ ଥାଇ ଆମ ଓଡ଼ିଆ ଲୋକେ ବ୍ୟବସାୟ କାହିଁକି କରିପାରିବେନି? ଯୁବକମାନଙ୍କର ମାନସିକତାରେ ପରିବର୍ତ୍ତନ, ଉପଯୁକ୍ତ ତାଲିମ, ମୁରବୀମାନଙ୍କର ମାର୍ଗଦର୍ଶନ, ରାଜନୈତିକ ଇଚ୍ଛା ଶକ୍ତି, ପରସ୍ପର ଭିତରେ ସହଯୋଗ ଓ ବ୍ୟାଙ୍କ ଋଣର ଉପଯୁକ୍ତ ବିନିଯୋଗ କଟକର ଯୁବପିଢ଼ିକୁ ନିଜ ଘରେ ରହି ନିଜର ଆର୍ଥିକ ମାନଦଣ୍ଡକୁ ସୁଧାରିବାରେ ସାହାଯ୍ୟ କରିବ।

ଗମନାଗମନର ସୁବିଧା ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିଥାଏ। କଟକରେ ଥିବା ମୁଖ୍ୟ ରାସ୍ତା ଷ୍ଟେସନରୁ ବାହାରି ରାଣୀହାଟ, ମଙ୍ଗଳାବାଗ, ବକ୍ସି ବଜାର, ଚୌଧୁରୀ ବଜାର, ବାଲୁ ବଜାର ଦେଇ ଚାନ୍ଦିନଚୌକରେ ମିଶିଛି। ସେହିଭଳି ଅନ୍ୟ ଏକ ରାସ୍ତା ରାଣୀହାଟରୁ ବାହାରି ଦୋଳମୁଣ୍ଡାଇ, ହରିପୁର, ଚୌଧୁରୀ ବଜାର ହୋଇ ବିନୋଦ ବିହାରୀରେ ମିଶିଛି। ଏହି ରାସ୍ତାଗୁଡ଼ିକରେ ଜବର ଦଖଲ ହେବା ଫଳରେ ଯାନବାହାନ ଚଳାଚଳରେ ଘୋର ଅସୁବିଧା ହେଉଛି। କଟକର ଗଳିକନ୍ଦିରେ ମଧ୍ୟ ବସ୍ତି ବାସିନ୍ଦାମାନେ ରାସ୍ତା ଉପରେ ସ୍ଲାବ ପକାଇ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳେ। ଯଦି କର୍ତ୍ତୃପକ୍ଷ ନିଜର ବୁଦ୍ଧିମତା, ନିଷ୍ଠାପର ଭାବ ଓ ଦକ୍ଷତା ଦେଖାଇ ଏହି ରାସ୍ତାଗୁଡିକ ଜବରଦାଖଲରୁ ମୁକ୍ତ କରିପାରନ୍ତେ ତେବେ ଏହା ଅନେକ ଛୋଟ ଛୋଟ ଆର୍ଥିକ ଗତିବିଧିକୁ ବଢ଼ିବାରେ ସାହାଯ୍ୟ କରନ୍ତା। କଟକ ରାସ୍ତା ଉପରୁ ଯାନବାହାନର ଭାର କମାଇବାକୁ ହେଲେ ଇ-ରିକ୍ସାର ନିହାତି ଆବଶ୍ୟକତା  ଅଛି। ଏହା ଛଡ଼ା କଟକର ମୁଖ୍ୟ ରାସ୍ତାଗୁଡିକରେ ବ୍ୟାଟେରୀ ଚାଳିତ ମିନି ବସ ଚଳାଇବାର ମଧ୍ୟ ଆବଶ୍ୟକତା ଅଛି। କଟକ ନଗରର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବେଶର ସୁଧାର କଟକବାସୀଙ୍କ ଉପରେ ନିର୍ଭରକରେ।

The post ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକର ସୁରକ୍ଷା ଦରକାର   appeared first on Odisha Reporter.



from Odisha Reporter https://ift.tt/3lqU6Jy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages