ନୂଆଦିଲ୍ଲୀ: ଆଫଗାନିସ୍ତାନର ସ୍ଥିତି ବିଗୁଡ଼ୁଥିବା ବେଳେ ଅନେକ ସାଧାରଣ ଲୋକ ଓ ରାଜନେତା ଦେଶ ଛାଡ଼ୁଛନ୍ତି। ଭାରତ ମଧ୍ୟ ଅନେକଙ୍କୁ ଉଦ୍ଧାର କରି ନୂଆଦିଲ୍ଲୀ ଆଣୁଛି। ହେଲେ ଆଫଗାନର ଜଣେ ମହିଳା ସାଂସଦଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବଳପୂର୍ବ ବିଦା କରିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମହିଳା ସାଂସଦ ଜଣଙ୍କ ଶରଣାର୍ଥୀ ଭାବେ ଏଠାକୁ ଆସି ନଥିଲେ। ବରଂ ମେଡିକାଲ ଚିକିତ୍ସା ପାଇଁ ଆସିଥିଲେ। ତଥାପି ତାଙ୍କୁ ଏୟାରପୋର୍ଟରୁ ବାହାରକୁ ନ ଛାଡ଼ି ପୁଣି ବିମାନରେ ଇସ୍ତାବୁଲ ପଠାଇ ଦିଆଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଭାରତ ସରକାରଙ୍କ ପକ୍ଷରୁ ମହିଳା ସାଂସଦଙ୍କୁ ଫୋନ କରି ଦୁଃଖ ପ୍ରକାଶ କରାଯାଇଛି।
ଆଫଗାନିସ୍ତାନର ଫରୟାବ ପ୍ରଦେଶରେ ଥିବା ୱଲେସି ଜିରଗାର ସାଂସଦ ହେଉଛନ୍ତି ରଙ୍ଗିନା କାରଗର। ସେ ଶନିବାର ମେଡିକାଲ ଚିକିତ୍ସା ପାଇଁ ଇସ୍ତାନବୁଲରୁ ଦିଲ୍ଲୀ ଆସିଥିଲେ। ତାଙ୍କ ପାଖରେ ଅଫିସିଆଲ ପାସପୋର୍ଟ ଥିଲେ ମଧ୍ୟ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ବାହାରକୁ ଛଡ଼ା ଯାଇ ନଥିଲା।
ତାଙ୍କୁ ଦିଲ୍ଲୀ ଏୟାରପୋର୍ଟର ସୁରକ୍ଷା ଅଧିକାରୀମାନେ ସକାଳ ୬ଟାରୁ ରାତି ୧୦ଟା ଯାଏ ଅଟକ ରଖିବା ପରେ ଦୁବାଇ ରୁଟ୍ରେ ଇସ୍ତାନବୁଲ ପଠାଇ ଦେଇଛନ୍ତି। ଏହି ଘଟଣାରେ ମର୍ମାହତ କାରଗର କହିଛନ୍ତି, “ସେଠାରେ ଖାଦ୍ୟ କିମ୍ବା ପାଣି ନଥିଲା। ମୁଁ ଜଣେ ସାଂସଦ ବୋଲି ସେମାନଙ୍କୁ କହିଥିଲେ ହେଁ ସେମାନେ ମୋତେ ଛାଡ଼ି ନଥିଲେ। ଆମ ଆଫଗାନ ସ୍ଥିତି ବଦଳି ଯାଇଥିବାରୁ ସମ୍ଭବତଃ ସେମାନେ ମୋ ସହ ଏମିତି କରିଛନ୍ତି। କିନ୍ତୁ ମୁଁ ଭାରତକୁ ଗୋଟିଏ କଥା କହିବାକୁ ଚାହୁଁଛି, ଆମେ ଦିନେ ନା ଦିନେ ଆଫଗାନିସ୍ତାନରେ ପୁଣି କ୍ଷମତା ଦଖଲ କରିବୁ। ସେତେବେଳେ ଆପଣ କ’ଣ କରିବେ?”
ଏହି ଘଟଣା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପ୍ରଥମେ ଅବଗତ ନଥିଲା। ତେବେ ଘଟଣା ଜଣାପଡ଼ିବା ପରେ ମନ୍ତ୍ରଣାଳୟର ପାକିସ୍ତାନ-ଇରାନ-ଆଫଗାନିସ୍ତାନ ରିଜନ ପାଇଁ କାମ କରୁଥିବା ଯୁଗ୍ମ ସଚିବ ଜେପି ସିଂହ ସାଂସଦ କାରଗରଙ୍କୁ ଫୋନ କରିଥିଲେ। ଏଥିସହ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ।
କାରଗର ଏ ସମ୍ପର୍କରେ କହିଛନ୍ତି, “ମୁଁ ବିଦା ହେବା ପରେ ମନ୍ତ୍ରଣାଳୟର ଜଣେ ସଚିବ ଫୋନ କରିଥିଲେ। ସେ ମୋ ସହ ଘଟିଥିବା ଘଟଣା ପାଇଁ ସରି କହିଛନ୍ତି। ସେ ମୋତେ କହିଛନ୍ତି ମୁଁ ଯଦି ଭାରତ ଆସିବାକୁ ଚାହୁଁଛି, ତା’ହେଲେ ଇ-ଭିସା ଦ୍ୱାରା ମୋତେ ଆବେଦନ କରିବାକୁ ପଡ଼ିବ। କିନ୍ତୁ ଏହା ଅଧିକ ଟଙ୍କା। ମୋର ବର୍ଷକର ଝିଅ ଭିସା ପାଇଁ ଦୀର୍ଘ ଦିନ ହେଲା ଆବେଦନ କରିଥିଲେ ହେଁ ଏଯାଏ ମିଳିନାହିଁ। ଭାରତ ପକ୍ଷରୁ ମୋତେ ବିଦା କରାଯିବ ସହ ମୋ ସହ ଅପରାଧୀଙ୍କ ଭଳି ବ୍ୟବହାର କରାଯାଇଛି। ମୋତେ ଦୁବାଇରେ ମଧ୍ୟ ପାସପୋର୍ଟ ଦିଆଯାଇ ନଥିଲା। ମୁଁ ଇସ୍ତାନବୁଲରେ ପହଞ୍ଚିବା ପରେ ପାସପୋର୍ଟ ପାଇଥିଲି।”
ଆଫଗାନ ଶିଖ ଓ ହିନ୍ଦୁମାନଙ୍କୁ ଉପଯୁକ୍ତ ସୁବିଧା ମିଳୁଥିବା ବେଳେ ମୁସଲିମଙ୍କ ସହ କେଉଁଭଳି ପାତରଅନ୍ତର କରାଯାଉଛି, ସେକଥା ବି କାରଗର କହିଛନ୍ତି। ସେ କହିଛନ୍ତି, ଆମ ମାନଙ୍କ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି। ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆଫଗାନମାନଙ୍କୁ ଶରଣାର୍ଥୀ ଭାବେ ରଖାଯାଉଛି। ମୁଁ ଭାରତକୁ ଶରଣାର୍ଥୀ ଭାବେ ଆସି ନଥିଲି। ତଥାପି ସେମାନେ ମୋତେ ଛାଡ଼ିଲେନି।
ଯଦି ମୁଁ ଶରଣ ପଶିବାକୁ ଆସିଥାଆନ୍ତି, ତା’ହେଲେ ସେମାନେ ମୋତେ ଗ୍ରହଣ କରିଥାଆନ୍ତେ। ହେଲେ ମୁଁ ଚିକିତ୍ସା ପାଇଁ ଆସିଥିବାରୁ ସେମାନେ ମୋତେ ଅନୁମତି ଦେଇ ନଥିଲେ। ସେମାନେ ଅନାରକଲି ଓ ନରେନ୍ଦ୍ର ସିଂହ ଖାଲସାଙ୍କ ଭଳି ସାଂସଦଙ୍କୁ ଗ୍ରହଣ କରୁଛନ୍ତି। ହେଲେ ମୋତେ ଗ୍ରହଣ କରିପାରୁ ନାହାନ୍ତି।
ଆମେ କେବେ ହେଲେ ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନ ଓ ପାତରଅନ୍ତର ଦେଖି ନଥିଲୁ। ଏହା ପ୍ରଥମଥର ଘଟିଛି। ସେମାନେ ଆମକୁ ଭାଗଭାଗ କରୁଛନ୍ତି। ସେମାନେ ଆଫଗାନ ହିନ୍ଦୁ ଓ ଶିଖଙ୍କ ପାଇଁ ଘରୋଇ ବିମାନ କାବୁଲ ପଠାଉଛନ୍ତି। ହେଲେ ମୋତେ ଗ୍ରହଣ ପାରୁ ନାହାନ୍ତି ବୋଲି ସାଂସଦ କାରଗର କ୍ଷୋଭର ସହ ପ୍ରକାଶ କରିଛନ୍ତି।
The post ଦିଲ୍ଲୀ ଏୟାରପୋର୍ଟରୁ ବିଦା ହେଲେ ଆଫଗାନ ସାଂସଦ, ଭାରତର ଦୁଃଖ ପ୍ରକାଶ appeared first on Odisha Reporter.
from Odisha Reporter https://ift.tt/3DmXQ5u
No comments:
Post a Comment