ସ୍ୱାମୀ ଥାଇ ବିଧବା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ସ୍ୱାମୀ ଥାଇ ବିଧବା!

  • ଡ଼ଃ ରିନା ରାଉତରାୟ

କଇଁ କଇଁ ହୋଇ କାନ୍ଦୁଥିଲା ଝିଅଟି। ଅଳ୍ପ ବୟସ, ରୁଗ୍ଣ ସ୍ୱାସ୍ଥ୍ୟ, ବେଶ ପୋଷାକରେ ନିଜକୁ ଅବହେଳା କରୁଥିବାର ସମସ୍ତ ଲକ୍ଷଣ। ତଥାପି ତା ଚେହେରାରେ ନିରୀହ ସୌନ୍ଦର୍ଯ୍ୟର ଝଲକ ଥିଲା। ସ୍ୱଚ୍ଛଳ ଘର ପରି ଜଣା ପଡ଼ୁଥିଲା। କେଉଁଠୁ ମୋ ଫୋନ ନମ୍ବର ପାଇ ଯୋଗାଯୋଗ କରି ଆସିଥିଲା ମୋ ପାଖକୁ ତାର କିଛି ପାରିବାରିକ ସମସ୍ୟା ନେଇ। ଅଭିଯୋଗ ନୁହେଁ କି ସମାଧାନ ନୁହେଁ ତାର ଭାରାକ୍ରାନ୍ତ ହୃଦୟକୁ ଟିକେ ଲାଘବ କରିବା ପାଇଁ ମୋ ସହିତ କିଛି ଦୁଃଖ ବାଣ୍ଟିବାକୁ ଚାହୁଁଥିଲା। ନିଜର ତଥା ପରିବାରର ସମ୍ମାନ ପାଇଁ ମଧ୍ୟ ଚିନ୍ତିତ ଥିଲା। କହିଚାଲିଥିଲା ସିଏ ତାର ଅତି ପ୍ରିୟ ସ୍ୱାମୀଙ୍କର କଥା। ଭଦ୍ରଲୋକର ମୁଖା ତଳେ ଲୁଚି ରହିଥିବା ଆସୁରିକ ପ୍ରବୃତ୍ତିର କଥା। ତାର ସବୁଠାରୁ ବଡ଼ ଦୁଃଖ ଥିଲା ଯେ ତାକୁ ତାର ବାପଘର ବା ଶାଶୁଘରର ଲୋକମାନଙ୍କ ପାଖରୁ କୌଣସି ସମବେଦନା ମିଳୁ ନ ଥିଲା। ବରଂ ସମସ୍ତେ କହୁଥିଲେ ସିଏ ଏତେ ଭଦ୍ରପିଲାଟା। ତୋର ନିଶ୍ଚୟ କଣ ଭୁଲ ଥିବ ନା ..!

ସେହିକଥା କହି ସେ ବିକଳ ହୋଇ କାନ୍ଦୁଥିଲା। ହଁ, ମ୍ୟାଡ଼ମ ସେମାନେ ବି ସତ କହୁଛନ୍ତି। ପ୍ରକୃତରେ ସେ ବାହାରକୁ ଏତେ ଭଦ୍ର ବ୍ୟବହାର କରନ୍ତି ଯେ ପ୍ରେମ ବିବାହ ହୋଇ ମଧ୍ୟ ମୁଁ ବି ତାଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଜାଣି ପାରି ନ ଥିଲି। ସମସ୍ତଙ୍କ ସମ୍ମୁଖରେ ସେ ମୋତେ ବହୁତ ଭଲ ବ୍ୟବହାର କରନ୍ତି। ଖାଇବା ପିଇବାରେ ମଧ୍ୟ ମୋର କିଛି ଅସୁବିଧା ନାହିଁ।

ପଚାରିଲି, ତାହେଲେ ତୁ ଏତେ ଦୁର୍ବଳ କାହିଁକି ଦିଶୁଛୁ ମାଆ?

ଶୁଖିଲା ହସ ଟେ ହସିଦେଲା। କହିଲା କାହିଁକି କେଜାଣି ବଞ୍ଚିବାର ଆଗ୍ରହ ଆଉ ନାହିଁ, ମରି ବି ପାରୁନି ଛୋଟିଆ ଝିଅଟିକୁ ଛାଡ଼ି। ଖାଇବାକୁ ଇଛା ହେଉନି କି ନିଜର ଯତ୍ନ ନେବାକୁ ଇଛା ନାହିଁ।

ପଚାରିଲି, ତାହେଲେ ତୋର ଅସୁବିଧା କେଉଁଠି? ତୋ’ଠୁ ମୁଁ ଯେତିକି ଶୁଣିଲି ସତରେ ସେ ଗୋଟେ ଭଦ୍ରଲୋକ ବୋଲି ମୁଁ ବି ଅନୁମାନ କରୁଛି।

ଟିକିଏ ଚୁପ ରହି ମୋ ମୁହଁକୁ ଅତି କରୁଣ ଦୃଷ୍ଟିରେ ଅନେଇ କହିଲା, ମ୍ୟାଡ଼ମ ଭଦ୍ରଲୋକ ଆଉ ଭଲ ମଣିଷ ଭିତରେ ଆକାଶ ପାତାଳ ଫରକ।

ମୁଁ ହଠାତ ଚୁପ ହୋଇଗଲି। କେତେବଡ଼ ଗହନ ସମୀକ୍ଷାର କଥାଟା କହିଦେଲା ଝିଅଟି।

କହୁଥାଏ, ଆପଣଙ୍କୁ ମୁଁ ବହୁତ ଦିନ ହେଲା ଦେଖି ଆସୁଛି। କାହା ଆଗରେ କେବେ ବି ଏ କଥା ମୁଁ ପ୍ରକାଶ କରି ନାହିଁ। କାହିଁକି କେଜାଣି ମୋର ବିଶ୍ୱାସ ହେଲା ଯେ ଆପଣ ହିଁ ମୋର ପ୍ରକୃତ ଦୁଃଖକୁ ବୁଝି ପାରିବେ। ମୁଁ ଏବେ ବି କୌଣସି ଆଇନଗତ ସମାଧାନ କିମ୍ବା ତାଙ୍କଠାରୁ ଅଲଗା ହୋଇଯିବା ପାଇଁ କିମ୍ବା ତାଙ୍କୁ ଶାସ୍ତି ଦେବା ପାଇଁ ଚାହୁଁନି। କେବଳ ମୋର ଦୁଃଖକୁ ଆପଣଙ୍କ ସହିତ ବାଣ୍ଟିବାକୁ ଚାହୁଁଛି। ଯଦି ମୁଁ କହୁଥିବା କଥାର ଅର୍ଥ ଆପଣ ହୃଦୟଙ୍ଗମ କରି ଶହ ଶହ ଝିଅମାନଙ୍କ ଭବିଷ୍ୟତର ନିଷ୍ପତ୍ତି ନେଲା ବେଳେ ଏହି ଗୋଟିଏ କଥାକୁ ଲକ୍ଷ୍ୟ କରିବେ ଯେ ବାହାରକୁ ଭଦ୍ର ଲୋକ ଦେଖା ଯାଉଥିବା ସବୁ ଲୋକ ଭଲ ମଣିଷ ନୁହନ୍ତି ତାହେଲେ ହୁଏତ ଅନେକ ଅମୀମାଂସିତ ସମସ୍ୟାର ସହଜ ସମାଧାନ ହୋଇପାରିବ।

ସେ କହି ଚାଲିଥାଏ, ଆପଣ ଜାଣନ୍ତୁ ମ୍ୟାଡ଼ମ ମୋର ବାହାଘର ଆଜିକୁ ଦଶ ବର୍ଷ ହେଲାଣି। ପ୍ରଥମ ଗୋଟିଏ ବର୍ଷ ସବୁ କିଛି ଠିକ ଚାଲିଥିଲା। ଦ୍ଵିତୀୟ ବର୍ଷରୁ ଆଜି ପର୍ଯ୍ୟନ୍ତ ମୋର ତାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ନାହିଁ। ପ୍ରଥମେ ଭାବିଲି ବୋଧହୁଏ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ତାଙ୍କର ଅଛି। କିନ୍ତୁ ସେ ବାରମ୍ବାର ସେ କଥାକୁ ଏଡ଼ାଇ ଦିଅନ୍ତି। ଧୀରେ ଧୀରେ ଜାଣିବାକୁ ଲାଗିଲି ବାହାରେ ଅନେକ ଝିଅଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ଯେତେଥର ତାଙ୍କୁ ସେ କଥା ପଚାରେ ବହୁତ ଚତୁରତାର ସହିତ ଭୁଲାଇ ଦିଅନ୍ତି। ପୁଣି ତାଙ୍କୁ ବିଶ୍ୱାସକୁ ନିଏ। କିନ୍ତୁ ପୁଣି ସେଇ ଭୁଲ ସେ କରନ୍ତି। ବାହାରେ ଅନ୍ୟ ଯୁବତୀମାନଙ୍କ ସହିତ ସମ୍ପର୍କ ରଖି ଘରେ ନିଜ ପତ୍ନୀକୁ ଉପେକ୍ଷା କରିବା କ’ଣ ଏକ ଭଦ୍ରଲୋକର କାମ? ଦୀର୍ଘ ନଅ ବର୍ଷ ମୁଁ ମୋର ସ୍ତ୍ରୀର ଅଧିକାରରୁ ବଞ୍ଚିତ। ସାମାଜିକ ଲଜ୍ଜା ପାଇଁ କାହାକୁ ବି ଏ କଥା କହି ପାରୁନି। ପରିବାର ଭିତରେ ନୀରବରେ ସବୁ କାମ କରିଚାଲିଛି। ମୋର ସାନ ଝିଅଟିଏ, ତା ସହିତ ଶାଶୁ ଶଶୁର ବନ୍ଧୁ ବାନ୍ଧବ କୌଣସି କାମରେ ମୁଁ କେବେ ଅବହେଳା କରିନି। କିନ୍ତୁ ମୋର କେଉଁ ଅପରାଧରୁ ମୁଁ ଏହିଭଳି ଦଣ୍ଡ ପାଇବି?

ପଚାରିଲି, ଘରେ ଭାଉଜ କିମ୍ବା ଯାଆ ସମ୍ପର୍କୀୟ କାହା ସହିତ ଏ ବିଷୟରେ କଥା ହେଇଛ?

ଝିଅଟି କହିଲା, ନା କାହା ଆଗରେ ଏ କଥା କହି ପାରୁନି। କେବଳ ତାଙ୍କ ସମ୍ମାନକୁ ଜଗିକି। ଯେତେବେଳେ ବି ଏ ବିଷୟରେ ତାଙ୍କ ସହିତ କଥା ହେବାକୁ ଚେଷ୍ଟା କରେ ସେ ମୋ ପାଖକୁ ମଧ୍ୟ ଆସନ୍ତି ନାହିଁ କି ସେ ବିଷୟରେ କୌଣସି ଆଲୋଚନା ବି କରନ୍ତି ନାହିଁ। ମୁଁ କଣ କେବଳ ଗୋଟେ ବନ୍ଧା ହୋଇଥିବା ଗାଈର ଜୀବନ ବଞ୍ଚିବି ମ୍ୟାଡ଼ମ? ରକ୍ତମାଂସ ଧାରୀ ମଣିଷଟିଏ ଭାବରେ ମୋର କଣ କିଛି ଆବଶ୍ୟକତା ନାହିଁ? ଅବଚେତନ ମନରେ ବହୁତ ଥର ଭାବେ ତାଙ୍କ ପରି ମୁଁ ମଧ୍ୟ ମୋର ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ କିଛି ଉପାୟ କରିବି। କିନ୍ତୁ ମୋର ସଂସ୍କାର, ଧର୍ମଭୟ ଓ ସାମାଜିକ କଟକଣା ମୋତେ ସେ ପରି ଚିନ୍ତାରୁ ମଧ୍ୟ ନିବୃତ୍ତ ରହିବାକୁ ବାଧ୍ୟ କରେ। ସ୍ୱାମୀ ପାଖରେ ଥାଇ ମଧ୍ୟ ଏକ ବିଧବାର ଜୀବନ ବଞ୍ଚିବା କ’ଣ ସହଜ କଥା? ମୋ ପାଖରେ କଣ କମ ଥିଲା? ନା ସୁନ୍ଦର ନ ଥିଲି ନା ତାଙ୍କୁ ଭଲପାଇବାରେ କମ କରିଥିଲି? ମୋତେ ଅବହେଳା କରି ବାହାରେ ଆଜେବାଜେ ଝିଅଙ୍କ ସହିତ ସମ୍ପର୍କ ରଖିବା ମୋତେ କେତେ ଅପମାନ ଲାଗୁଥିବ କୁହନ୍ତୁ।

କ’ଣ କହିବି? କେମିତି ବୁଝେଇବି? କିଛି ଭାବି ପାରୁ ନ ଥିଲି। କହିଲି, ତୁମ ସ୍ୱାମୀଙ୍କ ସହିତ ମୁଁ ଏ ବିଷୟରେ କଥା ହେବି?

ଉଠି ଠିଆ ହେଲା ଝିଅଟି। କହିଲା, କିଛି ଲାଭ ନାହିଁ। ତାଙ୍କର ଚରିତ୍ରକୁ କେହି ବଦଳାଇ ପାରିବେ ନାହିଁ। ମୋ ଭାଗ୍ୟକୁ ଆଦରି ମୋତେ ରହିବାକୁ ପଡ଼ିବ। ମୋର ଏ ସମସ୍ୟାର କୌଣସି ସମାଧାନ ନାହିଁ ମୁଁ ଜାଣିଛି। କିନ୍ତୁ ଆପଣଙ୍କୁ ଏତିକି ଅନୁରୋଧ କରିବାକୁ ଆସିଥିଲି ପାରିବାରିକ ସମସ୍ୟା ସମାଧାନ କଲାବେଳେ ବାହାରକୁ ଭଦ୍ରଲୋକ ଦେଖାଯାଉଥିବା ଯେ ସବୁ ଲୋକ ଭଲ ମଣିଷ ନୁହନ୍ତି, ଏହାକୁ ଆପଣ ଟିକେ ଧ୍ୟାନ ଦେବେ।

ପଛକୁ ବୁଲି ଚାଲିବାକୁ ଆରମ୍ଭ କଲା ଝିଅଟି। ତା’ ଆଡ଼େ ଅନେଇ ରହି ମାପିବାକୁ ଚେଷ୍ଟା କରୁଥିଲି ତାର ସଂଭ୍ରମତା ଆଉ ଧୈର୍ଯ୍ୟଶକ୍ତିକୁ।

ଭୁବନେଶ୍ୱର

ଇମେଲ- rinaroutray@rediffmail.com

The post ସ୍ୱାମୀ ଥାଇ ବିଧବା! appeared first on Odisha Reporter.



from Odisha Reporter https://ift.tt/3xvFWct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages