ମୁମ୍ବାଇ: ଦିନେ ଆନନ୍ଦୀ ରୋଲ୍ ଦେଖି ଖୁବ୍ ଖୁସି ହୋଇ ଯାଉଥିବା ଓ ନିଜେ ବି ୟୁ-ଟ୍ୟୁବ୍ ଦେଖି ସେପରି ଆକ୍ଟିଂ କରିବାକୁ ଚେଷ୍ଟା କରୁଥିବା ୪ ବର୍ଷୀୟା ଝିଅ ଏବେ ପାଲଟି ଯାଇଛି ‘ଆନନ୍ଦୀ’। ବାଲିକା ବଧୂ ସିରିଏଲର ପ୍ରଥମ ସିଜିନ ଘରେ ଘରେ ପରିଚିତ ହୋଇପାରିଥିବା ବେଳେ ଏହାର ଆନନ୍ଦୀ ଚରିତ୍ରକୁ ସବୁଠୁ ଅଧିକ ଦର୍ଶକଙ୍କ ଭଲ ପାଇବା ମିଳିଥିଲା। ଏବେ ଏହାର ସିଜିନ-୨ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ଆନନ୍ଦି ରୋଲ ପ୍ଲେ କରିବେ ଶ୍ରେୟା ପଟେଲ।
‘ବାଲିକା ବଧୂ’ ପରି ସୁପରହିଟ୍ ସିରିଏଲ୍ରେ ଝିଅ ସୁଯୋଗ ପାଇଥିବାରୁ ବେଶ୍ ଖୁସି ଥିବା ଶ୍ରେୟାଙ୍କ ମା’ କହିଛନ୍ତି, ଛୋଟ ଥିବା ବେଳେ ଝିଅ ଆନନ୍ଦୀ ରୋଲ ଦେଖି ବେଶ୍ ଖୁସି ହୋଇ ଯାଉଥିଲା। ଏପରିକି ନିଜେ ୟୁ-ଟ୍ୟୁବ୍ରୁ ଆନନ୍ଦୀକୁ ହିଁ ସବୁବେଳେ ଦେଖୁଥିଲା। ଆନନ୍ଦୀ ରୋଲ୍ ପାଇବା ତା’ ପାଇଁ ଏକ ସ୍ୱପ୍ନ ଥିବା ବେଳେ ଦିନେ ଏହି ରୋଲ ସେ ପାଇବ ବୋଲି ଭାବି ନ ଥିଲା। ହେଲେ ଏବେ ତାହା ପୂରଣ ହୋଇଥିବାରୁ ସେ ବହୁତ ଖୁସି।
ଏଥିସହ ସେ କହିଛନ୍ତି, ଶ୍ରେୟା ମୋର ଏକ ମାତ୍ର ଝିଅ ହୋଇଥିବାରୁ ମୁଁ ତାକୁ ଦୁନିଆର ସବୁ ଖୁସି ଦେବାକୁ ଚାହୁଁଛି। ଆମେ କେବେ ଆମ ବିଚାର ତା’ ଉପରେ ଲଦି ଦେବୁ ନାହିଁ। ଆକ୍ଟିଂ ବି ତା’ ଖୁସି ପାଇଁ ସେ କରୁଛି। ଆମ ତରଫରୁ ଏଥିପାଇଁ କୌଣସି ପ୍ରେସର ନାହିଁ।
ସିରିଏଲ୍ର ଆଉଟଡୋର ଶୁଟ୍ ଏବେ ଯୋଧପୁରରେ ଚାଲିଥିବା ବେଳେ ଝିଅ ମଥାରେ ସିନ୍ଦୂର ଦେଖି ଥରେ ନର୍ଭସ ହୋଇ ଯାଇଥିଲେ ତାଙ୍କ ମା’। ଏପରିକି ସିରିଏଲ୍ ପାଇଁ ତାଙ୍କ ଝିଅକୁ ଏପରି ଗେଟଅପ୍ରେ ସଜା ଯାଇଥିବା ଭୁଲିଗଲେ। ଝିଅ ବିବାହିତ ବୋଲି ବାହାର ଲୋକ କାଳେ ଭାବିଦେବେ ସେଥିଲାଗି ମନେ ମନେ ଭୟଭୀତ ହୋଇ ଯାଇଥିବା ମଧ୍ୟ କହିଛନ୍ତି ତାଙ୍କ ମା’ ।
୧୧ ବର୍ଷୀୟା ଶ୍ରେୟା ମାତ୍ର ୪ ବର୍ଷରୁ ଆକ୍ଟିଂ ଆରମ୍ଭ କରି ଦେଇଛନ୍ତି। ଏଥିସହ ସେ ବିଭିନ୍ନ ଡ୍ୟାନ୍ସ ଓ ଡ୍ରାମା ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇସାରିଛନ୍ତି। । ଆନନ୍ଦୀ ରୋଲ ପାଇଁ ଝିଅର ଚୟନ ହେବା ଲାଗି ବେଶ୍ ଷ୍ଟ୍ରଗଲ କରିବାକୁ ପଡ଼ିଥିଲା। ଏକ ନନ୍ ଫିଲ୍ମ ବ୍ୟାଙ୍କ ଗ୍ରାଉଣ୍ଡରୁ ଆସିଥିବାରୁ ଅଡ଼ିସନ ବିଷୟରେ କୌଣସି ଧାରଣା ନ ଥିଲା। ଏଥିପାଇଁ ବହୁ କଷ୍ଟ କରିବାକୁ ପଡ଼ିଛି ବୋଲି କହିଛନ୍ତି ଶ୍ରେୟାଙ୍କ ମା ’ ।
ଶ୍ରେୟା ଘର ନିକଟ ଏକ କନଭେଣ୍ଟ ସ୍କୁଲରେ ଷ୍ଟାଣ୍ଡାର୍ଡ-୬ରେ ପଢ଼ୁଥିବା ଏବେ ଅନଲାଇନ୍ରେ କ୍ଲାସ୍ କରୁଛନ୍ତି। ଏଥିପାଇଁ ସେ ଆଉଟଡୋର ଶୁଟିଂ କରିପାରୁଛନ୍ତି । ଏତେ ଛୋଟ ବୟସରୁ ଆକ୍ଟିଂ ଆରମ୍ଭ କରିଥିଲେ ବି ପାଠପଢ଼ାକୁ କେବେ କି ଅଣଦେଖା କରି ନାହାନ୍ତି ଶ୍ରେୟା। ସବୁଦିନ ଅନଲାଇନ୍ରେ ନିଜ କ୍ଲାସ୍ କରି ସାରିବା ପରେ ସୁଟିଂକୁ ଆସୁଥିବା ଶ୍ରେୟା ଭବିଷ୍ୟତରେ ଜଣେ ଭଲ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । କୌଣସି କାରଣରୁ ଅଭିନେତ୍ରୀ ନ ହୋଇ ପାରିଲେ ସେ ମହାକାଶଚାରୀ ହେବେ ବୋଲି ଇଚ୍ଛାବ୍ୟକ୍ତି କରିଛନ୍ତି।
The post ‘ଭାବି ନ ଥିଲି ଦିନେ ଆନନ୍ଦୀ ରୋଲ୍ ପାଇବି’ appeared first on Odisha Reporter.
from Odisha Reporter https://ift.tt/3Ao1nxW
No comments:
Post a Comment