ନୂଆଦିଲ୍ଲୀ: ଦଳୀୟ ନେତାଙ୍କ ପରେ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ମଧ୍ୟ ଲକଡ ହୋଇଯାଇଛି। ଟ୍ୱିଟର ଦଳର ଅଫିସଆଲ ଆକାଉଣ୍ଟକୁ ଲକ କରି ଦେଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯିବା ସହ ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି।
ଦଳ ନିଜର ଫେସବୁକ ଓ ଇନଷ୍ଟାଗ୍ରାମରେ ଟ୍ୱିଟର ଆକାଉଣ୍ଟ ଲକ ହୋଇଥିବା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି। ଗୁରୁବାର ସକାଳୁ କଂଗ୍ରେସ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଟ୍ୱିଟର ଆକାଉଣ୍ଟ ଲକ ହୋଇଯାଇଥିବା ଲେଖାର ସ୍କ୍ରିନଶଟ୍ ଶେୟାର କରିଥିଲା।
ଏଥିରେ ଲେଖାଯାଇଛି ଯେ ଏହି ଟ୍ୱିଟର ଆକାଉଣ୍ଟ(କଂଗ୍ରେସ) କମ୍ପାନୀର ନିୟମକୁ ଉଲ୍ଲଙ୍ଘନ କରିଛି। ବିଶେଷ କରି ଆପଣ ପ୍ରାଇଭେଟ୍ ସୂଚନା ପୋଷ୍ଟ କରିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଆପଣ ବିନା ଅନୁମତିରେ ଅନ୍ୟମାନଙ୍କ ବ୍ୟକ୍ତିଗତ ସୂଚନାକୁ ପବ୍ଲିଶ କିମ୍ବା ପୋଷ୍ଟ କରିପାରିବେ ନାହିଁ।
କଂଗ୍ରେସ ଏହି ସ୍କ୍ରିନଶଟ୍କୁ ଶେୟାର କରି ଲେଖିଛି ଯେ “ଆମ ନେତାମାନଙ୍କୁ ଯେତେବେଳେ ଜେଲରେ ଭର୍ତ୍ତି କରି ଦିଆଯାଇଥିଲା ସେତେବେଳେ ଆମେ ଡରି ନଥିଲୁ। ଏପରି ସ୍ଥିତିରେ ଆମ ଟ୍ୱିଟର ଆକାଉଣ୍ଟକୁ ଲକଡ କରିଦେଲେ ଆମେ କାହିଁକି ଡରିବୁ? ଆମେ ସମସ୍ତେ କଂଗ୍ରେସ। ଏହା ଲୋକଙ୍କ ବାର୍ତ୍ତା। ଆମେ ଲଢ଼େଇ କରିବୁ ଓ ଲଢ଼େଇ ଜାରି ରଖିବୁ।”
ଇନଷ୍ଟାଗ୍ରାମରେ ମଧ୍ୟ କଂଗ୍ରେସ ସ୍କ୍ରିନଶଟ୍ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି। ଏଥିରେ ଦଳ ଲେଖିଛି, “ମୋଦି ଜୀ, ଆପଣ କେତେ ଭୟଭୀତ? ଗୋଟିଏ କଥା ମନେ ରଖନ୍ତୁ: କଂଗ୍ରେସ ପାର୍ଟି ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲା। ଦଳ ସବୁବେଳେ ସତ୍ୟ, ଅହିଂସା ଓ ଲୋକଙ୍କ ଇଚ୍ଛାରେ କାମ କରିଛି। ଆମେ ସେତେବେଳେ ଜିତିଥିଲୁ ଓ ଆମେ ପୁଣି ଜିତିବୁ।”
ଏହାପୂର୍ବରୁ ଗତକାଲି ରାତିରେ ଦଳର ମହାସଚିବ ପ୍ରଣବ ଝା ଟ୍ୱିଟ କରି ରାହୁଲ ଗାନ୍ଧିଙ୍କ ପରେ ଏବେ ରଣଦୀପ ସୂର୍ଯ୍ୟେୱାଲା, ଅଜୟ ମାକେନ, ଜିତେନ୍ଦ୍ର ସିଂହ, ଏମ ଟାଗୋର ଓ ସୁସ୍ମିତା ଦେବଙ୍କ ଆକାଉଣ୍ଟକୁ ଲକ୍ କରି ଦିଆଯାଇଥିବା ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଦିଲ୍ଲୀର ନଙ୍ଗାଲ ଗାଁରେ ଜଣେ ୯ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ହତ୍ୟା ପରେ ପୀଡ଼ିତାଙ୍କ ଶବକୁ ଅଭିଯୁକ୍ତମାନେ ଜୋରଜବରଦସ୍ତି ସତ୍କାର କରିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିବାରୁ ଏହାକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଥିଲା।
View this post on Instagram
ଏସବୁ ଭିତରେ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳର ଫଟୋକୁ ପରବର୍ତ୍ତୀ ଅବସ୍ଥାରେ ଟ୍ୱିଟ କରିଥିଲେ। ଉକ୍ତ ଫଟୋ ଦ୍ୱାରା ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଥିଲା। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନସିପିସିଆର ଟ୍ୱିଟରକୁ କହିଥିଲେ। ଏହାପରେ ଟ୍ୱିଟର ଉକ୍ତ ଟ୍ୱିଟକୁ ହଟାଇବା ସହ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ଅସ୍ଥାୟୀ ରୂପେ ସସପେଣ୍ଡ କରିଛି।
The post ନେତାଙ୍କ ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ବି ଅଚଳ appeared first on Odisha Reporter.
from Odisha Reporter https://ift.tt/3yJLQbt
No comments:
Post a Comment