ଲମତାପୁଟ (ଓଡ଼ିଶା ରିପୋର୍ଟର): ଟ୍ରକ୍ରେ ବୋଝେଇ ହୋଇଥିଲା ଆଲମାରୀ। କିନ୍ତୁ ଆଲମାରୀ ଭିତରେ ଥିଲା ଗଞ୍ଜେଇ। ଏମିତି ଉପାୟରେ ପୁଲିସ୍ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ। କିନ୍ତୁ କାମ ଦେଲାନି ସେମାନଙ୍କର ଏହି ଅଭିନବ ଉପାୟ। ପୁଲିସ୍ ସେମାନଙ୍କୁ ଧରି ପକାଇଲା। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ।
ପାଡ଼ୁଆ ଥାନା ଅନ୍ତର୍ଗତ ବାଡ଼େଲ ଅଞ୍ଚଳରୁ ଏକ ଆଲମାରୀ ବୋଝେଇ ଟ୍ରକ୍ରେ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ କୋରାପୁଟ ଏସ୍ପିଙ୍କ ନିକଟରେ ଖବର ପହଞ୍ଚିଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ୍ର ଏକ ମିଳିତ ଟିମ୍ ଚାଙ୍ଗୁଡ଼ିପଡ଼ା ଛକ ନିକଟରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ବାଡେଲ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏହି ଆଲମାରୀ ବୋଝେଇ ଟ୍ରକ୍କୁ ସେମାନେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ମିଳିଥିଲା।
ଉତ୍ତର ପ୍ରଦେଶର ନମ୍ବର ଥିବା ଏହି ଟ୍ରକ୍ରେ ୮ଟି ଆଲମାରୀ ଥିବା ବେଳେ ସେଥିରେ ୧୬୦ଟି ଗଞ୍ଜେଇ ପ୍ୟାକେଟ୍ ଥିଲା। ୧୬୦ଟି ପ୍ୟାକେଟ୍ରେ ୮୦୦ କେଜିରୁ ଅଧିକ ଗଞ୍ଜେଇ ଥିଲା। ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ।
ପୁଲିସ୍ ଗଞ୍ଜେଇ ସହିତ ଉକ୍ତ ଟ୍ରକ୍ ଓ ଆଲମାରୀଗୁଡ଼ିକୁ ଜବତ କରିଛି। ତା’ସହିତ ଯଶବନ୍ତ ସିଂହ ଓ ହରେନ୍ଦ୍ର ସିଂହ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ଉତ୍ତର ପ୍ରଦେଶର। ସେମାନଙ୍କ ଠାରୁ ପୁଲିସ୍ ଦୁଇଟି ମୋବାଇଲ୍ ଫୋନ୍ ଓ ଆଧାର କାର୍ଡ ଜବତ କରିଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।
The post ଟ୍ରକ୍ରେ ଥିଲା ଆଲମାରୀ, ଆଉ ଆଲମାରୀ ଭିତରେ… appeared first on Odisha Reporter.
from Odisha Reporter https://ift.tt/3lHNMxx
No comments:
Post a Comment