ପୁଣେ: ୬ ମାସର ସଂଘର୍ଷ। ପୁଳା ପୁଳା ଟଙ୍କା ଖର୍ଚ୍ଚ। ଜୀବନ ବଞ୍ଚାଇବାକୁ ଚାଲିଥିଲା ଏକ ପ୍ରକାରର ଯୁଦ୍ଧ। ଶେଷରେ ଏହି ଯୁଦ୍ଧରେ ହାରିଗଲେ। ସବୁ ଚେଷ୍ଟା ପରେ ବି ଆଖିବୁଜିଲା ୧୧ ମାସର କୁନିଝିଅ। ଫେଲ୍ ମାରିଲା ୧୬ କୋଟି ଟଙ୍କାର ଇଞ୍ଜେକସନ୍।
ପୁଣେର ୧୧ ମାସକର କୁନି ଝିଅ ବେଦିକା ସିନ୍ଦେ। ସେ ୬ ମାସରୁ ଅଧିକ ଦିନ ହେବ ଏସ୍ଏମ୍ଏ ତଥା ସ୍ପାଇନାଲ ମସ୍କୁଲାର ଟାଇପ୍-୧ ରୋଗରେ ପୀଡିତ ଥିଲା। ବେଦିକାଙ୍କ ଏହି ବିରଳ ରୋଗ ବିଷୟରେ ଜାଣିବା ପରେ ଭାଙ୍ଗି ପଡିଥିଲେ ତାଙ୍କ ବାପା ମା’। ତଥାପି ଛୁଆର ଜୀବନ ବଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ସଂଘର୍ଷ। ବେଦିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ଏହି ବିରଳ ରୋଗର ଚିକିତ୍ସା ପାଇଁ ଲୋଡା ପଡିଥିଲା କୋଟି କୋଟି ଟଙ୍କାର ଇେଞ୍ଜକସନ୍ ସାଙ୍ଗକୁ ଔଷଧ।
ଏହାପରେ ବେଦିକାର ବାପା ମା’ ତା’ ଚିକିତ୍ସା ପାଇଁ ସୋଶାଲ ମିଡିଆରେ ସହାୟତା ମାଗିଥିଲେ। ତାଙ୍କୁ ସହାୟତା କରିବା ପାଇଁ ଅନେକ ଲୋକ ଆଗେଇ ଆସିଥିଲେ। ଏହାପରେ ଏହି କୁନି ଝିଅ ପାଇଁ ଆମେରିକାରୁ ଆସିଥିଲା ୧୬ କୋଟି ଟଙ୍କାର ଇଞ୍ଜେକସନ୍। ସେତେବେଳେ କେନ୍ଦ୍ର ସରକାର ମଧ୍ୟ ଏହି ଇଞ୍ଜେକସନ୍ର ଆମଦାନୀ ଶୁଳ୍କ ଛାଡ କରିଥିଲେ।
ଜୁନ୍ ୧୫ରେ ବେଦିକାକୁ ୧୬ କୋଟି ଟଙ୍କାର ଇଞ୍ଜେକସନ୍ ଦିଆଯାଇଥିଲା। ଜୁନ୍ ୧୬ରେ ତାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଘରକୁ ଆସିବା ପରେ ସବୁକିଛି ଠିକ୍ ଠାକ୍ ଥିଲା। ଏପରିକି ବେଦିକାର ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ନେଇ ନିକଟରେ ତା’ ବାପା ସୌରଭ ସିନ୍ଦେ ସୋଶାଲ ମିଡିଆରେ ସୂଚନା ଦେଇଥିଲେ। ହେଲେ ହଠାତ୍ ରବିବାର ବିଗିଡି ଯାଇଥିଲା ବେଦିକାର ସ୍ୱାସ୍ଥ୍ୟାବସ୍ଥା। ଧୀରେ ଧୀରେ କମିଥିଲା ତା’ର ଅକ୍ସିଜେନ ଲେବୁଲ। ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାକୁ ପୁଣେର ଏକ ପ୍ରଇଭେଟ ହସ୍ପିଟାଲରେ କରାଯାଇଥିଲା। ହେଲେ ରବିବାର ରାତିରେ ଡାକ୍ତର ବେଦିକାକୁ ମୃତ ଘୋଷଣା କରିଥିଲେ।
ବେଦିକାଙ୍କ ମୃତ୍ୟୁ ପରେ ତା’ର ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ଶୋକପ୍ରକାଶ କରାଯାଇଛି। ଅନେକ ଲୋକ କୁନି ଝିଅର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
The post ୧୬ କୋଟିର ଇଞ୍ଜେକସନ୍ ବି ବଞ୍ଚାଇ ପାରିଲାନି ଜୀବନ appeared first on Odisha Reporter.
from Odisha Reporter https://ift.tt/2TQz7Vb
No comments:
Post a Comment