କୋଣାର୍କ(ସଞ୍ଜୟ ପତି): କରୋନାର ଦ୍ଵିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର। ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର୍ କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ ।
କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜିଙ୍ଗ, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଥିବା ବେଳେ ଦିନକୁ ଦୁଇବେଳା ଦୁଇ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଛି । ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ଥିବା ବାର କୋଡକୁ ନିଜ ମୋବାଇଲରେ ସ୍କାନ କରି ଟିକେଟ କରିବା ବ୍ୟବସ୍ଥା କରାଯାଇଛି ।
ଆଜି ସକାଳ ୬ଟାରେ ମନ୍ଦିର ଗେଟ ଖୋଲିବା ପରେ ପର୍ଯ୍ୟଟକମାନେ ଲାଇନ୍ରେ ଭିତରକୁ ପ୍ରବେଶ କରିଛନ୍ତି । ତେବେ ମନ୍ଦିରକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିବା ବେଳେ ସ୍ଥାନୀୟ ଗାଇଡ଼ ,ଫଟୋଗ୍ରାଫର , ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିନଥିବାରୁ ସେମାନେ ନିରାଶ ହୋଇଛନ୍ତି ।
ସୂର୍ଯ୍ୟମନ୍ଦିର ଖୋଲିବା ନିଷ୍ପତିକୁ କୋଣାର୍କ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ନିରବି ଯାଇଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଥରେ ଚଳଚଂଚଳ ହେବ ଓ ଜୀବନ ଜୀବିକା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଜାରି ଗାଇଡଲାଇନ୍ ଅନୁଯାୟୀ, ମଙ୍ଗଳବାରଠୁ ସମଲେଶ୍ୱରୀ ମନ୍ଦିର ଖୋଲିବ। ଏଥିସହ ଆସନ୍ତାକାଲିଠୁ ନନ୍ଦନକାନନ ଖୋଲିବାକୁ ମଧ୍ୟ ଆଲୋଚନା ହୋଇଛି। ଏହାବାଦ ଆସନ୍ତା ୫ ତାରିଖରେ ଭିତରକନିକା ଖୋଲିବ।
ଅଗଷ୍ଟ ଗାଇଡଲାଇନ୍ ଅନୁଯାୟୀ, ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା। ଭୁବନେଶ୍ୱର, କଟକ ଓ ପୁରୀ ସହରକୁ ଛାଡ଼ିଦେଲେ ଉପକୂଳର ଅନ୍ୟ ଅଞ୍ଚଳରୁ ସପ୍ତାହାନ୍ତ ଶଟଡାଉନ୍ ହଟିଯିବା ସହ ସନ୍ଧ୍ୟା ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ଫଳରେ ପ୍ରାୟ ତିନି ମାସ ପରେ ସନ୍ଧ୍ୟା ସମୟରେ ଚଳପ୍ରଚଳ ହୋଇଛି ବଜାର। ସେହିପରି ମଲ୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବା ପରେ ଏଠାକୁ ବି ଗ୍ରାହକଙ୍କ ଆଗମନ ଆରମ୍ଭ ହୋଇଛି। ସିନେମା ହଲ୍ ଗୁଡ଼ିକ ବି ଖୋଲିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।
The post ଖୋଲିଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ଅନଲାଇନ୍ ଟିକେଟ କରି ପଶିଲେ ପର୍ଯ୍ୟଟକ appeared first on Odisha Reporter.
from Odisha Reporter https://ift.tt/2V576tR
No comments:
Post a Comment