ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ୍ବୁଲାନ୍ସ, ପଇଡ଼ ଓ କଦଳୀ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚାଲାଣ କଥା ତ ଅପାଣମାନେ ଆଗରୁ ଜାଣିଥିବେ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ମାଫିଆମାନେ କୋରିଅର ମାଧ୍ୟମରେ ବି ଗଞ୍ଜେଇ ଚାଲାଣ କରୁଛନ୍ତି। ପୁଣି ଯେମିତି କାହାକୁ ସନ୍ଦେହ ନ ହେବ ସେଥିପାଇଁ ପ୍ୟାକେଟ୍ ଉପରେ ପୋଷାକ ରଖି ଦେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ସହିଦ ନଗର ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪୫ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଗିରଫ ଯୁବକ ଦ୍ୱୟ ଦିଲ୍ଲୀର।
ଜୋନ୍-୫ ଏସିପି ସଞ୍ଜୀବ ଶତପଥୀ ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି, ଗିରଫ ଯୁବକ ଦ୍ୱୟ ଦିଲ୍ଲୀରୁ ଆସି ଏଠାରେ ଘର ଭଡ଼ା ନେଇ ରହୁଥିଲେ। ମୁଖ୍ୟତଃ ଗଜପତି ଓ ମୋହନା ଅଞ୍ଚଳରୁ ସେମାନେ ଗଞ୍ଜେଇ କିଣୁଥିଲେ। ସେଠାରେ ସେମାନେ ଏଜେଣ୍ଟ ରଖିଛନ୍ତି। ସେହି ଏଜେଣ୍ଟମାନେ ବସ୍ ଯୋଗେ ଗଞ୍ଜେଇ ପଠାଉଥିଲେ। ଆଉ ଅଭିଯୁକ୍ତମାନେ ଗଞ୍ଜେଇକୁ ଭଲ ଭାବେ ପ୍ୟାକିଂ କରି କୋରିଅରରେ ଦିଲ୍ଲୀ ପଠାଉଥିଲେ। ଯେମିତି ଧରା ନପଡ଼ିବେ ସେଥିପାଇଁ ଗଞ୍ଜେଇ ପ୍ୟାକେଟ୍ରେ ସେମାନେ ପୋଷାକ ବି ରଖୁଥିଲେ।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କ ନାଁରେ ଦିଲ୍ଲୀକୁ ଜିନିଷ ପଠାଉଥିଲେ। ପ୍ୟାକେଟ୍ ଦିଲ୍ଲୀରେ ପହଞ୍ଚିବା ଆଗରୁ ଦୁଇ ଜଣ ଯାକ ସେଠାରେ ପହଞ୍ଚି ଯାଉଥିଲେ। ବିମାନ ନ ହେଲେ ଟ୍ରେନ୍ ଯୋଗେ ସେମାନେ ସେଠାକୁ ଚାଲି ଯାଉଥିଲେ ଏବଂ ନିଜେ ପ୍ୟାକେଟ୍ ଗୁଡ଼ିକୁ ସଂଗ୍ରହ କରୁଥିଲେ। ବେଶ୍ ଯୋଜନାବଦ୍ଧ ଭାବେ ସେମାନେ ଏହି କାରବାର ଚଲାଇଥିଲେ। ସେମାନେ ଏହା ପୂର୍ବରୁ ଏଭଳି ଚାରି ପାଞ୍ଚ ଥର କୋରିଅର ଜରିଆରେ ଦିଲ୍ଲୀକୁ ଗଞ୍ଜେଇ ପଠାଇଥିବା ଆମେ ସନ୍ଦେହ କରୁଛୁ। ଏବେ ସବୁ ଦିଗକୁ ବିଚାର କରି ତଦନ୍ତ କରାଯାଉଛି। ଯଦି ଏଥିରେ କୌଣସି କୋରିଅର ସଂସ୍ଥା ଅବା ଏଜେଣ୍ଟଙ୍କ ସଂପୃକ୍ତି ଥିବ, ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସିପି କହିଛନ୍ତି।
ସେ କହିଛନ୍ତି ଯେ ଡ୍ରଗ୍ସ ଓ ମାଦକ ଦ୍ରବ୍ୟ ବିରୋଧରେ କମିଶନରେଟ୍ ପୁଲିସ୍ ଅଭିଯାନ ଚଲାଇଛି। ଏହି ଅଭିଯାନକ୍ରମରେ ଏଭଳି ଭାବେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ତଥ୍ୟ ହସ୍ତଗତ ହୋଇଥିଲା। ତଦନ୍ତ ଏବେ ପ୍ରାଥମିକ ସ୍ତରରେ ଅଛି। ଦରକାର ପଡ଼ିଲେ ଅଭିଯୁକ୍ତ ଦ୍ୱୟଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ। ଏହି ଗ୍ୟାଙ୍ଗରେ ଆଉ କିଏ ଅଛନ୍ତି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରାଯିବ।
The post କୋରିଅରରେ ଭୁବନେଶ୍ୱରରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ, ୨ ଗିରଫ appeared first on Odisha Reporter.
from Odisha Reporter https://ift.tt/2UWTmkJ
No comments:
Post a Comment