ମୁମ୍ବାଇ: ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରି ଚିଠି ଦେବା ଅପରାଧ। ଏପରି ନିବେଦନ ମହିଳାଙ୍କ ଚରିତ୍ରକୁ ଆଘାତ ପହଞ୍ଚାଇବାକୁ ଯଥେଷ୍ଟ ବୋଲି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ କହିଛନ୍ତି। ଏଥିସହ ଜଣେ ବିବାହିତା ମହିଳାଙ୍କୁ ଚିଠି ଲେଖି କବିତା ମାଧ୍ୟମରେ ପ୍ରେମ ନିବେଦନ କରିଥିବା ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ପୀଡ଼ିତାଙ୍କୁ କ୍ଷତିପୂରଣ ଆକାରରେ ଦିଆଯିବ।
ମାମଲାର ଶୁଣାଣି କରି ଜଷ୍ଟିସ ରୋହିତ ଦେଓ କହିଛନ୍ତି, ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରି ତାଙ୍କ ଉପରକୁ ଚିଠି ଫୋପାଡ଼ିବା ଓ ଏହି ଚିଠିରେ କବିତା ଲେଖିବା ମହିଳାଙ୍କ ଚରିତ୍ରହାନୀ କରିବା ନେଇ ଯଥେଷ୍ଟ ପ୍ରମାଣ। ଏହାପୂର୍ବରୁ ଅକୋଲା ସେସନ୍ସ କୋର୍ଟ ଅଭିଯୁକ୍ତ ଶ୍ରୀକୃଷ୍ଣ ତିୱାରୀଙ୍କୁ ଆଇପିସିର ୩୫୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ।
ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କାର ଫାଇନ ଦେବାକୁ କହିଥିଲେ। ଏହି ଫାଇନ ଅର୍ଥରୁ ୩୫ ହଜାର ଟଙ୍କା ପୀଡ଼ିତାଙ୍କୁ ମିଳିବ ବୋଲି କୋର୍ଟ କହିଥିଲେ।
ମିଳିଥିବା ସୂଚନା ଅନୁସାରେ, ୨୦୧୧ ମସିହା ଅକ୍ଟୋବର ୪ରେ ଜଣେ ୪୫ ବର୍ଷୀୟ ମହିଳା ଅକୋଲାରେ ଥିବା ସିଭିଲ ଲାଇନ ପୁଲିସ୍ ଷ୍ଟେସନରେ ଶ୍ରୀକୃଷ୍ଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏଥିରେ ସେ କହିଥିଲେ ଯେ ୨୦୧୧ ମସିହା ଅକ୍ଟୋବର ୩ରେ ଅଭିଯୁକ୍ତ ଜଣଙ୍କ ତାଙ୍କ ପାଖକୁ ଆସିବା ସହ ଗୋଟିଏ ଚିଠି ଦେବାକୁ ଚାହିଁଥିଲେ।
ଅଭିଯୁକ୍ତ ଜଣଙ୍କ ତାଙ୍କ ଘର ନିକଟରେ ଗ୍ରୋସରୀ ଦୋକାନ କରିଥିଲେ। ଚିଠି ନେବାକୁ ମହିଳା ଜଣଙ୍କ ମନା କରିବାରୁ ଶ୍ରୀକୃଷ୍ଣ ଏହା ତାଙ୍କ ଉପରକୁ ଫୋପାଡ଼ି ଥିଲା। ଏହାପରେ ‘ଆଇ ଲଭ ୟୁ’ କହି ଦୌଡ଼ି ପଳାଇଥିଲେ। ପରଦିନ ଶ୍ରୀକୃଷ୍ଣ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଚିଠିରେ ଥିବା ବିଷୟବସ୍ତୁ କାହା ଆଗରେ ନ କହିବାକୁ ଧମକ ଦେଇଥିଲେ। ଚିଠି ଦେବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଉପରକୁ ବାରମ୍ବାର ଛୋଟଛୋଟ ବାଲି ଗରଡ଼ା ଫୋପାଡ଼ିବା ସହ ଅନେକ ପ୍ରକାରର କମେଣ୍ଟ କରିଥିଲେ।
ଚିଠିରେ ଥିବା ବିଷୟବସ୍ତୁ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଅକୋଲା ସେସନ୍ସ କୋର୍ଟ ଶ୍ରୀକୃଷ୍ଣଙ୍କୁ ମହିଳାଙ୍କ ଚରିତ୍ରକୁ ଆଘାତ ପହଞ୍ଚାଇବା ଘଟଣାରେ ଆଇପିସିର ୩୫୪, ୫୦୬ ଓ ୫୦୯ ବଳରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ।
ହାଇକୋର୍ଟ ଏହାର ଶୁଣାଣି କରି ତାଙ୍କୁ ୫୦ ହଜାର ଟଙ୍କାର ଜୋରିମାନା କରିଛନ୍ତି। ତଥାପି ଅଭିଯୁକ୍ତଙ୍କୁ ସୁଧୁରିବା ପାଇଁ ଗୋଟିଏ ସୁଯୋଗ ମିଳିବା ଉଚିତ ବୋଲି କହିଛନ୍ତି। ଜଷ୍ଟିସ ଦେଓ କହିଛନ୍ତି, ଅଭିଯୁକ୍ତଙ୍କୁ ନିଜ ଦୋଷକୁ ସୁଧାରିବା ପାଇଁ ଗୋଟିଏ ସୁଯୋଗ ମିଳିବା ଦରକାର। ତାଙ୍କୁ ଆଉ ଅଧିକ ଜେଲ୍ ଦଣ୍ଡ ଦେବା ଠିକ୍ ନୁହେଁ।
କାରଣ ସେ ୪୫ ଦିନ ଜେଲରେ ରହିଛନ୍ତି। ଆଇପିସିର ଧାରା ୩୫୪ରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ସର୍ବନିମ୍ନ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ଶ୍ରୀକୃଷ୍ଣ ହାଇକୋର୍ଟ ଲାଗୁ କରିଥିବା ୫୦ ହଜାର ଓ ସେସନ୍ସ କୋର୍ଟ ଲାଗୁ କରିଥିବା ୪୦ ହଜାର ଟଙ୍କା ଫାଇନ ଆକାରରେ ତଳ କୋର୍ଟରେ ଦାଖଲ କରିବେ। ଏହା ପୀଡ଼ିତାଙ୍କୁ ଦିଆଯିବ। ଏହାପରେ କୋର୍ଟ ଆବେଦନକୁ ଖାରଜ କରିଥିଲେ।
The post କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ: ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ ଅପରାଧ appeared first on Odisha Reporter.
from Odisha Reporter https://ift.tt/37xd5tI
No comments:
Post a Comment