କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଓଡ଼ିଶାରେ ବାରମ୍ବାର ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ପ୍ରୟାସ କରୁଥିବା ଆନ୍ଧ୍ର ନିଜ ଲୋକଙ୍କ ସମସ୍ୟାକୁ କିନ୍ତୁ ଦେଖିପାରୁନି। ଓଡ଼ିଶାରେ ପଶି ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଆନ୍ଧ୍ର ନିଜର ବହୁ ଅଞ୍ଚଳକୁ ରାସ୍ତା ନ ଥିବା ଭୁଲି ଯାଇଛି। ଫଳରେ ସେଠାକାର ଲୋକେ ଓଡ଼ିଶାକୁ ସାହାଯ୍ୟ କରିବାକୁ ଗୁହାରୀ କରୁଛନ୍ତି। ନିକଟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆନ୍ଧ୍ର ସରକାର ଏହାକୁ ସହଜେ ଗ୍ରହଣ କରିପାରି ନାହାନ୍ତି।
କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଫାଟୁସିନେରୀକୁ ଲାଗି ରହିଛି ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତ । ଏହି ପଞ୍ଚାୟତ ଆନ୍ଧ୍ର ଅଧୀନରେ ଥିବା ବେଳେ ସାଲୁର ମଣ୍ଡଳମର ସବୁଠାରୁ ପଛୁଆ ଅଂଚଳ ଭାବେ ପରିଚିତ । ଆନ୍ଧ୍ର ପ୍ରଶାସନj ଅବହେଳା ଯୋଗୁ କୋଡ଼ମା ପଂଚାୟତକୁ ରାସ୍ତା ହୋଇ ନାହିଁ। ସେଥିପାଇଁ ପଞ୍ଚାୟତବାସୀ ନିଜ ଉଦ୍ୟମରେ ରାସ୍ତା କାମ ଆରମ୍ଭ କରିଛନ୍ତି।
ଗତ ସୋମବାର କୋଡମା ଅଧିବାସୀ ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ କୋରାପୁଟ ଜିଲ୍ଲାର ୫ ବିଧାୟକଙ୍କୁ ଅନୁରୋଧ କରିଥିଲେ । ସମସ୍ୟାରେ ଥିବା ପଡୋଶୀ ରାଜ୍ୟ ଲୋକଙ୍କ ଏହି ଅନୁରୋଧକୁ ରକ୍ଷା କରି କୋରାପୁଟ ଜିଲ୍ଲାର ୫ ବିଧାୟକ ଏକ ଲକ୍ଷ ଟଙ୍କା ଲେଖାଏ ଦେଇଥିଲେ। ଫାଟୁସିନେରୀଠାରୁ କୋଡାମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମର ଶୁଭାରମ୍ଭ କରିଥିଲେ ।
ମଙ୍ଗଳବାରଠାରୁ ସେଠାରେ ରାସ୍ତା କାମ ମଧ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆନ୍ଧ୍ର ସରକାର ଏଥିରେ ବାଧା ଦେଇଥିଲେ। ଉକ୍ତ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହୋଇଥିବା ଯୋଗୁଁ ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ ବୋଲି କହିଥିଲେ । ଏହାସହିତ ଆନ୍ଧ୍ରପ୍ରଦେଶର ବନ ବିଭାଗ ରାସ୍ତା ନିର୍ମାଣ କାମକୁ ବନ୍ଦ କରିଦେଇଥିଲା ।
ଏହାପରେ ପାର୍ବତୀପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ପି .କୂର୍ମନାଥ ଫାଟୁସିନେରୀ ଅଂଚଳରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯାଇଥିବା ବେଳେ କୋଡ଼ମା ପଞ୍ଚାୟତବାସୀ ତାଙ୍କୁ ଘେରିଥିଲେ । କୋଡ଼ମା ପଂଚାୟତକୁ ପ୍ରଶାସନ ଲଗାତର ଭାବେ ଅବହେଳା କରିଚାଲିଛି ବୋଲି କହିଥିଲେ। ଏହାସହ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେବା ନେଇ କ୍ଷୋଭ ପ୍ରକାଶ କରିଥିଲେ । କୂର୍ମନାଥ ଏ ସମ୍ପର୍କରେ ବନବିଭାଗ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
The post ନିଜ ଅଞ୍ଚଳରେ ରାସ୍ତା କରିପାରୁନି ଆନ୍ଧ୍ର, ଓଡ଼ିଶାର ପଶି ଲୋଭ ଦେଖାଉଛି appeared first on Odisha Reporter.
from Odisha Reporter https://ift.tt/2UDudeM
No comments:
Post a Comment