ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ପୁଲିସ୍ ହାତରେ ଧରାପଡ଼ିଛି ନକଲି ଟଙ୍କା ତିଆରି କରୁଥିବା ଗ୍ୟାଙ୍ଗ। ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ସେମାନଙ୍କଠାରୁ ଜବତ ହୋଇଛି ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ୍। ତା’ସହିତ ନକଲି ନୋଟ୍ ପ୍ରସ୍ତୁତ କରିବାକୁ ବ୍ୟବହୃତ ହେଉଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ସାଗର ସାହୁ (୨୬), ଅଶୋକ ସାହୁ (୨୭), ଶିବ ଶଙ୍କର ବଣିଆ (୩୦), ଗୁଣନିଧି ଭୋଇ (୩୮), ସତ୍ୟନାରାୟଣ ନିରଳ (୨୬) ଓ ଅଭିରାମ ଝାଙ୍ଗଡ଼େ (୪୮)।
ସାଗର ଓ ଅଶୋକର ଘର ବରଗଡ଼ ଜିଲ୍ଲା ଭଟ୍ଟଲୀର ଗୋପାଳପୁରରେ ହୋଇଥିବା ବେଳେ ଶିବ ଶଙ୍କର ଓ ଗୁଣନିଧିର ଘର ଯଥାକ୍ରମେ ଅମ୍ବାଭୋନାର କୁମ୍ବୋ ଓ କାଶୀପାଲି ଗାଁରେ। ସେହିପରି ସତ୍ୟନାରାୟଣ ଓ ଅଭିରାମର ଘର ରାୟଗଡ଼ ଅଞ୍ଚଳରେ।
ସାଗର ଠାରୁ ୧୮୦୦ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିବା ବେଳେ ଅଶୋକ ଠାରୁ ୫୦୦୦, ଶିବ ଶଙ୍କର ଠାରୁ ୮୯ ହଜାର, ଗୁଣନିଧି ଠାରୁ ୫୦ ହଜାର, ସତ୍ୟନାରାୟଣ ଠାରୁ ୮ ଲକ୍ଷ ଓ ଅଭିରାମ ଠାରୁ ୪ ଲକ୍ଷ ୪୬ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି। ଏଗୁଡ଼ିକ ମଧ୍ୟରେ ୧୦୦ ଟଙ୍କିଆ, ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆର ନକଲି ନୋଟ୍ ରହିଛି।
ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ନକଲି ୧୦୦ ଟଙ୍କିଆ ନୋଟ୍ ବାଣ୍ଟୁ ଥିବା ନେଇ ସମ୍ବଲପୁରର ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶନିବାର ଏହି ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ନକଲି ଟଙ୍କା ଜବତ କରିଛି। ଏହି ନକଲି ଟଙ୍କା କାରବାରରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ତା’ର ତଦନ୍ତ କରାଯାଉଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
The post ୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ୬ ଗିରଫ appeared first on Odisha Reporter.
from Odisha Reporter https://ift.tt/3lNSnhT
No comments:
Post a Comment