କାହିଁକି ଅଲିମ୍ପିକ୍ସରେ ଟାର୍ଗେଟ୍ ମିସ୍ କରିଗଲେ ମନୁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

କାହିଁକି ଅଲିମ୍ପିକ୍ସରେ ଟାର୍ଗେଟ୍ ମିସ୍ କରିଗଲେ ମନୁ?

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଶୁଟର ମନୁ ଭାକର ଚଳିତ ଟୋକିଓ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ତାଙ୍କ ଠାରୁ ଭାରତ ଅତିକମରେ ଗୋଟିଏ ପଦକ ଆଶା ରଖିଥିଲା। କିନ୍ତୁ ସେ ଖାଲି ହାତରେ ଦେଶକୁ ଫେରିଛନ୍ତି। ୧୦ ମିଟର୍ ଏୟାର୍ ପିସ୍ତଲ ଇଭେଣ୍ଟରେ ତାଙ୍କର ବନ୍ଧୁକ ଖରାପ ହୋଇଯାଇଥିଲା। ୧୦ ମିଟର୍ ମିକ୍ସଡ୍ ଇଭେଣ୍ଟରେ ସୌରଭ ଚୌଧୁରୀଙ୍କ ସହ ମଧ୍ୟ ସେ ବିଫଳ ହୋଇଥିଲେ ଏବଂ ପରେ ୨୫ ମିଟର୍ ଇଭେଣ୍ଟର ଫାଇନାଲକୁ କ୍ୱାଲିଫାଏ କରିପାରିନଥିଲେ। ଟୋକିଓରୁ ଫେରିବା ପରେ ମନୁ କହିଛନ୍ତି ଯେ ସେ ନିଜର ପ୍ରଥମ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ଏହାସହ ସେ ତାଙ୍କର ପୂର୍ବତନ କୋଚ ଯଶପାଲ୍ ରାଣାଙ୍କୁ ଟାର୍ଗେଟ୍ କରିଛନ୍ତି।

୧୯ ବର୍ଷୀୟ ଶୁଟର୍ ମନୁ କହିଛନ୍ତି ଯେ ପୂର୍ବତନ କୋଚ୍ ଯଶପାଲ୍ ରାଣାଙ୍କ ସହ ବିବାଦ କାରଣରୁ ତାଙ୍କର ଅଲିମ୍ପିକ୍ସ ପ୍ରସ୍ତୁତି ପ୍ରଭାବିତ ହୋଇଥିଲା। ରାଣା ତାଙ୍କୁ ୨୫ ମିଟର୍ ପିସ୍ତଲ ଇଭେଣ୍ଟରୁ ନିଜ ନାଁ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ମନୁ କହିଛନ୍ତି ଯେ ସେ ୨୫ ମିଟର୍ ଇଭେଣ୍ଟରେ ଶୁଟିଂ ଜାରି ରଖିବେ। ନକାରାତ୍ମକ ମନୋଭାବ ଓ ରାଣାଙ୍କ ସହ ବିବାଦ ବ୍ୟତୀତ କୌଣସି ପରିସ୍ଥିତିରେ ପଦକ ଜିତିବାର ଚାପ ଯୋଗୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା।

ମନୁ କହିଛନ୍ତି ଯେ ତାଙ୍କୁ ବାରମ୍ବାର କୁହାଯାଇଥିଲା ଯେ ୨୫ ମିଟରରୁ ନିଜ ନାଁ ପ୍ରତ୍ୟାହାର କର, କାରଣ ଏଥିରେ ତାଙ୍କର ସ୍ତର ସେତେଟା ଭଲ ନୁହେଁ। ମନୁ ମ୍ୟୁନିକରେ ଆଇଏସଏସଏଫ୍ ବିଶ୍ୱକପରେ ଟୋକିଓ ଅଲିମ୍ପିକ୍ସ ପାଇଁ ଏହି କୋଟା ହାସଲ କରିଥିଲେ। ମନୁ କହିଛନ୍ତି, ଅଲିମ୍ପିକ୍ସ ଯିବା ପୂର୍ବରୁ ମୁଁ ସମ୍ପୂର୍ଣ୍ଣ ନକାରାତ୍ମକ ଥିଲି, କାରଣ ମୋ ମାତାପିତାଙ୍କୁ ମଧ୍ୟ ଏହି ପୂରା ମାମଲାରେ ସାମିଲ୍ ହେବାକୁ ବାଧ୍ୟ କରାଯାଇଥିଲା। ଯେତେବେଳେ ମୁଁ ଅଭ୍ୟାସ ଓ ଟ୍ରାଏଲ୍ସ ପାଇଁ ଭୋପାଳରେ ଥିଲି, ମୋ ସହ ମାତାପିତା କାହିଁକି ଅଛନ୍ତି ବୋଲି ପଚରାଯାଇଥିଲା। ଏହାଛଡ଼ା କିଛି ଟେକ୍ନିକାଲ୍ ସମସ୍ୟା ଥିଲା, ଯାହାକୁ ପୂର୍ବତନ କୋଚ୍ ସମାଧାନ କରିନଥିଲେ।

ଏହାଛଡ଼ା ମନୁ ସ୍ପଷ୍ଟ କରିଛନ୍ତି ଯେ ସେ ଚଳିତ ବର୍ଷ ଦିଲ୍ଲୀରେ ଆଇଏସଏସଏଏଫ୍ ବିଶ୍ୱକପ୍ ଚାଲିଥିବା ବେଳେ ରାଣାଙ୍କୁ କୌଣସି ବାର୍ତ୍ତା ପଠାଇନଥିଲେ। ମନୁ କହିଛନ୍ତି ଯେ ଏହି ବାର୍ତ୍ତା ତାଙ୍କ ମା’ ପଠାଇଥିଲେ, ଯିଏ ନିଜ ଝିଅକୁ ନେଇ ଚିନ୍ତିତ ଥିଲେ। ମନୁଙ୍କ ବ୍ରୋଞ୍ଜ ପଦକ ଜିତିବା ପରେ ରାଣାଙ୍କୁ ବାର୍ତ୍ତା ମିଳିଥିଲା, ଯେଉଁଥିରେ ଲେଖାଥିଲା ‘ଏବେ ତୁମକୁ ଶାନ୍ତି ମିଳିଗଲା ତ’। ଏହା ପରେ ରାଣା ନିଜ ଧରା ଟି-ଶାର୍ଟ ପଛରେ ଏହି ବାର୍ତ୍ତାକୁ ଲେଖି କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ପହଞ୍ଚିଥିଲେ, ଯାହା ପରେ ଭାରତୀୟ ଜାତୀୟ ରାଇଫଲ୍ ସଂଘ ଏଥିରେ ହସ୍ତକ୍ଷେପ କରିଥିଲା।

ମନୁ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଆରଏଆଇ ଓ ତା’ର ଅଧ୍ୟକ୍ଷ ରନିନ୍ଦର ସିଂହ ଭାରତର ପୂର୍ବତନ ଶୁଟର୍ ରୌନକ ପଣ୍ଡିତଙ୍କୁ ତାଙ୍କ କୋଚ୍ ଭାବେ ନିଯୁକ୍ତ କଲେ। ରୌନକ ପଣ୍ଡିତ ମଧ୍ୟ ଯଥାସମ୍ଭବ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଥିଲେ। ଅଲିମ୍ପିକ୍ସରେ ନିଜ ପ୍ରଦର୍ଶନକୁ ନେଇ ମନୁ କହିଛନ୍ତି, ଅଲିମ୍ପିକ୍ସର ପ୍ରଥମ ଅନୁଭୂତିରୁ ମୁଁ ବହୁତ କିଛି ଶିଖିବାକୁ ପାଇଛି, ଯାହା ଭବିଷ୍ୟତରେ କାମ ଦେବ। ସତ କହିବାକୁ ଗଲେ ଅଲିମ୍ପିକ୍ସକୁ ମୁଁ ବହୁତ କିଛି ଶିଖିବାକୁ ପାଇଲି। ମୁଁ ଏବେ ଯୁବ ଅଛି ଏବଂ ମୋ କ୍ୟାରିୟର ବହୁତ ଲମ୍ବା ଅଛି। ତେଣୁ ଆଗାମୀ ଦିନରେ ପ୍ରୟାସ ଜାରି ରଖିବି ବୋଲି ମନୁ କହିଛନ୍ତି।

The post କାହିଁକି ଅଲିମ୍ପିକ୍ସରେ ଟାର୍ଗେଟ୍ ମିସ୍ କରିଗଲେ ମନୁ? appeared first on Odisha Reporter.



from Odisha Reporter https://ift.tt/3jbyZIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages