ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ମାନବିକତା ଭୁଲି ଗଲେ ଜାତି ଭାଇ। ବଞ୍ଚି ଥାଉ ଥାଉ ବାସନ୍ଦ କରିଥିବା ବେଳେ ଆଖି ବୁଜିଲା ପରେ ବି ପାଖ ମାଡ଼ିଲେନି। ଅନ୍ୟ ଜାତିରେ ବିବାହ କରିଥିବାରୁ ଶେଷରେ ଶବ ଉପରେ ବି ରାଗ ଶୁଝାଇଲେ । ଦୀର୍ଘ ସମୟ ଧରି ଶବ ପଡ଼ି ରହିବା ସତ୍ତ୍ୱେ କେହି କାନ୍ଧ ଦେବାକୁ ଆଗେଇ ନ ଆସିବାରୁ ଶଗଡ଼ ଗାଡ଼ିରେ ନେଇ ବାପାଙ୍କ ଅନ୍ତିମ ସଂସ୍କାର କରିଛି ନାବାଳକ ପୁଅ । ଏପରି ହୃଦୟ ବିଦାରକ ଘଟଣା ପାଟଣାଗଡ଼ ବ୍ଲକ ମାରୁଆ ପଞ୍ଚାୟତ ର ପଢେଲ ଗାଁରେ ଘଟିଛି।
ପଢେଲ ଗାଁର ସୀତା ସରାଫଙ୍କୁ ଛତିଶଗଡ଼ ଅଞ୍ଚଳର କଲ୍ୟାଣ ସୁନାନୀ ପ୍ରେମ ବିବାହ କରିଥିଲେ। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ଜାତି କୁଳ ସେମାନଙ୍କୁ ବାସନ୍ଦ କରିଥିଲେ । କିଛି ଦିନ ଗାଁରେ ରହିବା ପରେ ଉଭୟ ପତିପତ୍ନୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପ୍ରାୟ ୧୦ ବର୍ଷ ରହିବା ପରେ ପୁଣି ଗାଁକୁ ଫେରି ଆସିଥିଲେ ।
ଇତି ମଧ୍ୟରେ ସୀତା ଓ କଲ୍ୟାଣଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ହୋଇ ସାରିଥିଲେ । ଗାଁରେ ସମସ୍ତେ ଏକାଠି ରହିବା ପରେ ଉଭୟ ପତିପତ୍ନୀକୁ ଜାତିକୁଳ ବାସନ୍ଦ କରିଥିଲେ । ବିଭିନ୍ନ ଘାତ ପ୍ରତିଘାତର ସାମନା କରିବା ପରେ ସ୍ୱାମୀ ସ୍ତ୍ରୀ ଦୁହେଁ ଏକାଠି ରହିଥିବା ବେଳେ ପିଲାମାନେ ଅନ୍ୟତ୍ର ରହି ଆସୁଥୁଲେ |
ଗତ ରବିବାର କଲ୍ୟାଣ ସୁନାନୀଙ୍କ ମୃତ୍ୟୁ ଘଟିଥିଲା । ଘଣ୍ଟା ଘଣ୍ଟା ଧରି ଘରେ ଶବ ପଡିରହିଥିଲେ ମଧ୍ୟ ପାଖକୁ କେହି ଭାଇ ବନ୍ଧୁ ଆସିନଥିଲେ। ଶେଷରେ ନିଜ ନାବାଳକ ପୁଅ ଶବକୁ ଶଗଡ଼ ଗାଡ଼ିରେ ମଶାଣିକୁ ନେଇଥିଲେ । ଖବର ପାଇ ଗାଁର କିଛିଲୋକ ଏବଂ ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଘଟଣାସ୍ଥଳରେ ପହଁଚି ଶବ ସତ୍କାର କରିବାରେ ସାହାଯ୍ୟ କରିଥିଲେ।
The post ବଞ୍ଚି ଥିଲା ବେଳେ ବାସନ୍ଦ କଲେ, ମଲା ପରେ ବି ପାଖ ମାଡ଼ିଲେନି appeared first on Odisha Reporter.
from Odisha Reporter https://ift.tt/3yxGy2L
No comments:
Post a Comment