କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ଅସଲ ଚେହେରା ପୁଣିଥରେ ସାମ୍ନାକୁ ଆସିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଗୋଟିଏ ଲିକ୍ ରିପୋର୍ଟ ଏହି କୁଖ୍ୟାତ ସଂଗଠନର କଥା ଗୋଟିଏ ଓ କାମ ଆଉ ଗୋଟିଏ ବୋଲି ପ୍ରମାଣିତ କରିଛି।
ପୂର୍ବରୁ ଅନେକ ଜାତିସଂଘ ଓ ସରକାରୀ କର୍ମଚାରୀଙ୍କୁ ଘର ଘର ବୁଲି ଖୋଜିବା ସହ ତାଲିବାନୀମାନେ ସେମାନଙ୍କୁ ଧମକ ଓ ମାଡ଼ ମାରୁଥିଲେ। ସୋମବାର ମଧ୍ୟ କାବୁଲରେ ସମାନ ଘଟଣା ଘଟିଛି। ଜାତିସଂଘର ଜଣେ କର୍ମଚାରୀଙ୍କ ଘରେ ୩ ଜଣ ବନ୍ଧୁକଧାରୀ ତାଲିବାନୀ ପହଞ୍ଚିଥିଲେ।
ଏହି ସମୟରେ କର୍ମଚାରୀ ଜଣଙ୍କ ସେଠାରେ ନଥିଲେ। ତାଲିବାନୀମାନେ ତାଙ୍କ ପୁଅଙ୍କୁ ବାପାଙ୍କ ଠିକଣା ପଚାରିଥିଲେ। ପୁଅ ଜଣଙ୍କ ବାପା କାମରେ ଅଛନ୍ତି ବୋଲି କହିଥିଲେ। ଏହାପରେ ସେମାନେ ତାଙ୍କୁ ମିଛ କହୁଛୁ ବୋଲି ଧମକ ଦେବା ସହ “ଆମେ ଜାଣିଛୁ ତୁମ ବାପା କେଉଁଠି ଅଛନ୍ତି ଓ କ’ଣ କାମ କରୁଛନ୍ତି” କହି ଚାଲି ଯାଇଥିଲେ।
ତାଲିବାନର ଏପରି ଅନେକ ଦାଦାଗିରି ଭିତରୁ ଏହା ହେଉଛି ଗୋଟିଏ। ଏକଥା ଜାତିସଂଘ ସୁରକ୍ଷା ପରିଷଦର ଆଭ୍ୟନ୍ତରୀଣ ଦସ୍ତାବିଜରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟରେ ଜାତିସଂଘ ଓ ସରକାରୀ ସମର୍ଥିତ ଲୋକଙ୍କ ଉପରେ ତାଲିବାନ କେଉଁଭଳି ଆକ୍ରମଣ କରୁଛି, ସେମାନଙ୍କୁ ଧମକ ଦେଉଛି, ଜାତିସଂଘ ଅଫିସକୁ ଲୁଟ କରୁଛି ଓ ଅଗଷ୍ଟ ୧୦ରୁ କେମିତି ଜାତିସଂଘ କର୍ମଚାରୀଙ୍କୁ ମାଡ଼ ମାରି ଚାଲିଛି ସେ ବିଷୟରେ ତଥ୍ୟ ପ୍ରକାଶ କରାଯାଇଛି।
ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଦେଶର ନାଗରିକଙ୍କ ସହ ବିଦେଶୀ ରାଷ୍ଟ୍ରର ଅଧିକାରୀଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବ ବୋଲି ବାରମ୍ବାର କହି ଆସୁଛି। ହେଲେ ଏହାର ବାସ୍ତବ ଚିତ୍ର କିଛି ଅଲଗା କଥା ବୟାନ କରୁଛି।
ଜାତିସଂଘ ମୁଖପାତ୍ର ଷ୍ଟେଫାନେ ଦୁଜାରସି କହିଛନ୍ତି, କାବୁଲ ଯେଉଁମାନଙ୍କ ଦଖଲରେ ରହିଛି ସେମାନେ ଜାତିସଂଘର ଅଫିସ ଓ ଅଧିକାରୀଙ୍କ ସୁରକ୍ଷା ପାଇଁ ଉତ୍ତରଦାୟୀ। ଆମେ ଏ ସମ୍ପର୍କରେ ସେମାନଙ୍କ ସହ ଯୋଗାଯୋଗରେ ରହିଛୁ। ତେବେ ସେ ଲିକ୍ ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଜାତିସଂଘ ପକ୍ଷରୁ ଆଫଗାନରେ କାମ କରୁଥିବା ୩୦୦ ଜଣ ବିଦେଶୀ ରାଷ୍ଟ୍ରର ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କୁ କାଜାଖସ୍ତାନକୁ ପଠାଇ ଦିଆଯାଇଛି। ତଥାପି ଆଫଗାନବାସୀଙ୍କ ସହଯୋଗ ପାଇଁ ଏବେ ବି କିଛି ଅଧିକାରୀ ସେଠାରେ ରହିଛନ୍ତି।
ଅନ୍ୟପକ୍ଷରେ ଜାତିସଂଘର ପାଇଁ କାମ କରୁଥିବା ପ୍ରାୟ ୩୦୦୦ ଆଫଗାନ ନାଗରିକ ଏବେ ବି ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଭିସା ଦିଆଯାଇ ଏୟାରଲିଫ୍ଟ କରାଯାଉ ବୋଲି ଜାତିସଂଘ ପକ୍ଷରୁ ଆହ୍ୱାନ କରାଯାଇଛି।
ତାଲିବାନୀମାନେ କର୍ମଚାରୀମାନଙ୍କୁ କାବୁଲ ଏୟାରପୋର୍ଟକୁ ଛାଡ଼ୁ ନାହାନ୍ତି। ଯେଉଁମାନେ ଆସିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅଧା ରାସ୍ତାରେ ଅଟକାଇ ନିର୍ଯାତନା ଦିଆଯାଉଥିବା ଜଣାପଡ଼ିଛି।
The post ଜାତିସଂଘ ରିପୋର୍ଟରେ ନୂଆ ତଥ୍ୟ: କର୍ମଚାରୀଙ୍କୁ ଧମକ ଦେବା ସହ ମାଡ଼ ମାରୁଛି ତାଲିବାନ appeared first on Odisha Reporter.
from Odisha Reporter https://ift.tt/3Bc9OwT
No comments:
Post a Comment