ନୂଆଦିଲ୍ଲୀ: ଗୋଟିଏ ପଟେ ମହାମାରୀ କରୋନା ତୃତୀୟ ଲହରର ଭୟ ସମସ୍ତଙ୍କୁ ଘାରିଥିବା ବେଳେ ଅନ୍ୟପଟେ ଦେଶରେ କ୍ରମାଗତ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ତୁଳନାରେ ଗୁରୁବାର ସାମ୍ନାକୁ ଆସିଥିବା ଦୈନିକ ସଂକ୍ରମଣରେ ୨୨.୭% ବୃଦ୍ଧି ଘଟିଛି।
କେବଳ ସଂକ୍ରମଣ ନୁହେଁ, ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରୁ ସମସ୍ତଙ୍କ ମନରେ ଛନକା ପଶିଛି। ବିଶେଷଜ୍ଞମାନେ ଦେଶର କିଛି ସ୍ଥାନରେ କରୋନା ତୃତୀୟ ଲହର ଆରମ୍ଭ ହୋଇସାରିଥିବା ମତ ଦେଇଛନ୍ତି। କିନ୍ତୁ ସରକାର ବିଧିବଦ୍ଧ ଭାବେ ତୃତୀୟ ଲହର ଦେଶରେ ଆରମ୍ଭ ହୋଇଯାଇଥିବା କଥା କହିନାହାନ୍ତି।
୨୪ ଘଣ୍ଟା ମଧ୍ୟରେ ଆଉ ୪୬,୧୬୪ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଦିନକରେ ଆଉ ୬୦୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩.୨୫ କୋଟିରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୪.୩୬ ଲକ୍ଷ ରହିଛି।
କେରଳ ସ୍ଥିତି ସବୁଠାରୁ ସଂଗୀନ ରହିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସଂକ୍ରମଣ ହାର ପ୍ରାୟ ୩୦% ବଢ଼ିଛି। ଦିନକରେ ୩୧,୪୪୫ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୫ ଜଣଙ୍କ ଜୀବନ ଯାଇଛି। କେରଳରେ ପଜିଟିଭିଟି ରେଟ୍ ୧୯.୦୩% ରହିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ରାଜ୍ୟରେ ଓଣମ ପର୍ବ ପାଳନ କରାଯାଇଥିଲା। ଶହଶହ ଲୋକ ୧୦ ଦିନ ଯାଏ ଏକାଠି ହୋଇ ଏହି ପର୍ବକୁ ପାଳନ କରିଛନ୍ତି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପଛରେ ଓଣମ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୦୩୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ଦିନକରେ ୨୧୬ ଜଣଙ୍କ ଜୀବନ ଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦୀର୍ଘ ୩୧ ଦିନ ହେଲାଣି ଦେଶରେ ପଜିଟିଭିଟି ରେଟ୍ ୩% ତଳେ ରହିଛି। ଜାତୀୟ ପଜିଟିଭିଟି ରେଟ୍ ୨.୫୮% ରହିଥିଲେ ହେଁ କିଛି ରାଜ୍ୟରେ ଏହା ୧୦% ଉପରେ ରହିଛି। କେରଳରେ ପଜିଟିଭିଟି ରେଟ୍ ୨୦% ଛୁଇଁବାକୁ ବସିଲାଣି। ଆକ୍ଟିଭ କେସ୍ ମୋଟ ମାମଲାର ୧.୦୩%। କିନ୍ତୁ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧୧,୩୯୮ ବୃଦ୍ଧି ପାଇଛି। ଏବେ ଦେଶର ବିଭିନ୍ନ ରାଜ୍ୟରେ ୩, ୩୩, ୭୨୫ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ଦେଶରେ ଆରୋଗ୍ୟ ହାର ୯୭.୬୩% ରହିଛି। ୨୪ ଘଣ୍ଟାରେ ୩୪,୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମୃତ୍ୟୁହାର ୧.୩୪% ରହିଛି।
The post ଦେଶରେ କ୍ରମାଗତ ଭାବେ ବଢ଼ୁଛି କରୋନା ସଂକ୍ରମଣ, ଚିହ୍ନଟ ହେଲେ ୨୨% ଅଧିକ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2WiHASx
No comments:
Post a Comment