ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଘର ଉପରେ ହେବ ବୋମା ମାଡ଼। ବୋମା ମାଡ଼ କରି ଉଡାଇଦେବେ ବିଗ୍ ବିଙ୍କ ଘର। କେବଳ ବିଗ୍ ବିଙ୍କ ଘର ନୁହେଁ ମୁମ୍ବାଇର ତିନି ପ୍ରମୁଖ ରେଳ ଷ୍ଟେସନ ଉପରେ ମଧ୍ୟ ହେବ ବୋମ ବିସ୍ଫୋରଣ। ଜଣେ ଦୁର୍ବୃତ୍ତ ଫୋନ୍ କଲ୍ରେ ମୁମ୍ବାଇ ପୁଲିସକୁ ଏଭଳି ଧମକ ଦେଇଛି। ଏହି ଧମକ ଆସିବା ପରେ ଏବେ ମୁମ୍ବାଇ ପୁଲିସର ନିଦ ହଜି ଯାଇଛି।
ମାୟାନଗରୀ ମୁମ୍ବାଇରେ ସୃଷ୍ଟି ହୋଇଛି ହଇଚଇ। ବୋମା ମାଡ ଧମକ ପରେ ଚାଲିଛି ଘନ ଘନ ସର୍ଚ୍ଚ ଅପରେସନ। ମୁମ୍ବାଇର ତିନି ପ୍ରମୁଖ ରେଳ ଷ୍ଟେସନ ସମେତ ଅମିତାଭ ବଚ୍ଚନଙ୍କ ଘରର ସୁରକ୍ଷା ବଢ଼ାଇ ଦିଆଯାଇଛି। ତେବେ ସର୍ଚ୍ଚ ଅପରେସନରେ ଏଯାଏଁ ବୋମା କିମ୍ବା କୌଣସି ବିସ୍ଫୋଟକ ସାମଗ୍ରୀ ମିଳିନାହିଁ।
ସେପଟେ ଏହି ମାମଲରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସିଆଇୟୁ ୟୁନିଟ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ରାଜୁ କାଙ୍ଗନେ ଏବଂ ରମେଶ ଶିରସାଠ। ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ନେଇ ସେମାନଙ୍କୁ ପୁଲିସ ପଚରାଉଚରା କରୁଛି।
ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ରାତିରେ ମୁମ୍ବାଇ ପୁଲିସର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି କହିଥିଲା, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଭାୟଖଲା, ଦାଦର ରେଲୱେ ଷ୍ଟେସନ ଏବଂ ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ବିସ୍ଫୋରଣ ହେବ। ଏହି ସବୁ ସ୍ଥାନରେ ବୋମା ରଖା ହୋଇଛି।
ଏହାପରେ ରେଲୱେ ପୁଲିସ, ରେଲୱେ ସୁରକ୍ଷାବଳ, ବମ୍ ଡିଟେକସନ୍ ଆଣ୍ଡ ଡିସ୍ପୋଜାଲ ସ୍କ୍ୱାଡ, ଡଗ ସ୍କ୍ୱାଡ ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବେ ଉକ୍ତ ସ୍ଥାନଗୁଡିକରେ ପହଞ୍ଚି ତଲାସି ଅଭିଯାନ ଚଳାଇଥିଲା। ତେବେ ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମଧ୍ୟ କିଛି ବି ସନ୍ଦିଗ୍ଧ ଜିନିଷ ମିଳିନଥିଲା। ଏବେବି ଉକ୍ତ ସ୍ଥାନଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ସହ ସର୍ଚ୍ଚ ଅପରେସନ ଜାରି ରହିଥିବା ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
The post ବିଗ୍ ବିଙ୍କ ଘର ଉପରେ ବୋମା ମାଡ଼ ଧମକ appeared first on Odisha Reporter.
from Odisha Reporter https://ift.tt/3AeGB3Q
No comments:
Post a Comment