ଭଦ୍ରକ(ପାର୍ଥସାରଥୀ ବେହେରା) : ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ପୁଲିସ୍ ଟିମ୍ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଗ୍ରାମବାସୀ ପୁଲିସ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିବା ସହ କଟୁରୀ, ପନିକିରେ ହାଣିଥିଲେ। ଏହି ଆକ୍ରମଣ ଘଟଣାରେ ୪ ପୁଲିସ୍ କର୍ମଚାରୀ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗତରାତିରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ତୋରଣପଦା ଗାଁରେ ଘଟିଛି।
ସୂଚନାଯୋଗ୍ୟ, ତୋରଣପଦା ଗାଁରେ ଥିବା ଏକ ଇଟା ଭାଟି ମାଲିକ ଓ ସରପଞ୍ଚଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଗତ ଗୁରୁବାର ରାତିରେ ସରପଞ୍ଚଙ୍କ ସମ୍ପର୍କୀୟ ପୁଅକୁ ମାଡ଼ ମାରିଥିବା ଅଭିଯୋଗରେ ଗତକାଲି ଇଟାଭାଟି ମାଲିକଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ।
ଘଟଣାର ତଦନ୍ତ ପାଇଁ ଗତ ରାତିରେ ସାବରଙ୍ଗ ଥାନାର ଜଣେ ମହିଳା କନଷ୍ଟେବଳଙ୍କ ସମେତ ୪ କନଷ୍ଟେବଳ ତୋରଣପଦା ଗାଁକୁ ଯାଇଥିଲେ। ମାତ୍ର ସେଠାରେ ଅତର୍କିତ ଭାବେ ଗ୍ରାମବାସୀ ସେମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଠେଙ୍ଗାରେ ନିର୍ଧୂମ ପିଟିଥିବା ବେଳେ କଟୁରୀ, ପନିକିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏସବୁ ଘଟଣା ସିସିଟିଭିରେ କଏଦ ହୋଇଛି।
ଗୁରୁତର ଅବସ୍ଥାରେ ପୁଲିସ୍ କର୍ମଚାରୀମାନେ ଦୌଡ଼ି ଦୌଡ଼ି ଗାଁ ବାହାରକୁ ଆସି ଜୀବନ ରକ୍ଷା କରିଥିଲେ। ଏହାପରେ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଏହି ଘଟଣା ପରେ ତୋରଣପଦା ଗାଁରେ ବ୍ୟାପକ ପୁଲିସ୍ ମୁତୟନ ହୋଇଥିବା ବେଳେ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗ୍ରାମବାସୀଙ୍କୁ ଅଟକ ରଖାଯାଇଛି। ସମଗ୍ର ଅଞ୍ଚଳରେ ଉତ୍ତେଜନାର ବାତାବରଣ ଖେଳିଯାଇଛି।
The post ତଦନ୍ତ ପାଇଁ ଯାଇଥିଲା ପୁଲିସ୍ ଟିମ୍, ଗୋଡ଼ାଇ ଗୋଡ଼ାଇ ହାଣିଲେ ଲୋକ appeared first on Odisha Reporter.
from Odisha Reporter https://ift.tt/3jzvQT0
No comments:
Post a Comment