ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ପରେ ଡରାଇଲାଣି ଡେଙ୍ଗୁ। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍ ରହିଛି। ଡେଙ୍ଗୁ ସ୍ଥିତି ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟରେ ଡେଙ୍ଗୁର ହଜାରେ କେସ୍ ଭିତରୁ କେବଳ ବିଏମ୍ସିରୁ ୭୧୪ଟି କେସ୍ ରହିଛି। ପ୍ରତିଦିନ ଡେଙ୍ଗୁ କେସ୍ ସାମ୍ନାକୁ ଆସୁଛି। ତେବେ ଡେଙ୍ଗୁ ଭାଇରସ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା କିନ୍ତୁ ଘରୋଇ ହସ୍ପିଟାଲଗୁଡିକ କେହି ବି ଏଲିସାରେ ଟେଷ୍ଟ କରୁନାହାନ୍ତି। କେବଳ କାର୍ଡ ଟେଷ୍ଟ କରୁଛନ୍ତି। ଫଳରେ ଫଲ୍ସ ପଜିଟିଭ କେସ୍ ଅଧିକ ଆସୁଛି। ତେଣୁ ଯଦି ପଜିଟିଭ ପାଉଛନ୍ତି ତେବେ ତୁରନ୍ତ ରକ୍ତ ନମୂନା କ୍ୟାପିଟାଲ ହସ୍ପିଟାଲ ଅବା ଆର୍ଏମ୍ଆର୍ସିକୁ ପଠାଇବାକୁ ସମସ୍ତ ଲାବ୍ରୋଟୋରୀକୁ ନିବେଦନ କରିଛନ୍ତି।
ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଡେଙ୍ଗୁ ଟେଷ୍ଟ ପାଇଁ ସମସ୍ତ ସହରାଞ୍ଚଳ PHC, CHCରେ ବ୍ୟବସ୍ଥା ହୋଇଛି। ତେଣୁ ଲୋକମାନେ ନିକଟସ୍ଥ ଅର୍ବାନ PHC, CHCକୁ ଯାଇ ପରୀକ୍ଷା କରାଇପାରିବେ।
ସୂଚନା ମୁତାବକ ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଏବେ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ବିଏମ୍ସି ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି। ଜ୍ୱର ସହ ମୁଣ୍ଡ, ହାତ ବିନ୍ଧା, ଦେହରେ ଲାଲ ଦାଗ, ବାନ୍ତି ଓ ମୁଣ୍ଡ ବିନ୍ଧା ହେଉଛି ଡେଙ୍ଗୁର ଲକ୍ଷଣ। ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ମଶା ବୃଦ୍ଧିର ଆଶଙ୍କା ଥିବା ପ୍ରାୟ ୩ ହଜାର ସ୍ଥାନରେ ସଫେଇ କରାଯାଇଛି। ୮୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଘରେ ମଧ୍ୟ ସଫେଇ ପରି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।
The post `ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍, ଫଲ୍ସ ପଜିଟିଭ ଅଧିକ’ appeared first on Odisha Reporter.
from Odisha Reporter https://ift.tt/3jNlyPx
No comments:
Post a Comment