ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): “ଯେ ପର୍ଯ୍ୟନ୍ତ ବ୍ୟାରେଜ କାମ ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ହେବା ଉଚିତ । ପ୍ରଶାସନ ପ୍ରଥମେ ବ୍ୟାରେଜ କାମ ନ କଲେ ମୁନ୍ଦେ ବି ପାଣି ବାହାର ଜିଲ୍ଲାକୁ ଛାଡ଼ିବୁ ନାହିଁ। ଜିଲ୍ଲାପାଳଙ୍କ କଥାକୁ ବିଶ୍ୱାସ କରି ହେଉନି। ଦରକାର ପଡ଼ିଲେ ଆଇନକୁ ହାତକୁ ନେବୁ।” ଖରସ୍ରୋତା ପ୍ରକଳ୍ପକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହ ବୈଠକ ପରେ ଗଣମାଧ୍ୟମ ସମ୍ମୁଖରେ ଏପରି ମତ ରଖିଛନ୍ତି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଆବାହକ ଦେବ ଶର୍ମା।
ଖରସ୍ରୋତା ବିବାଦର ସମାଧାନ ପାଇଁ ଗତକାଲି ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସଭାଗୃହରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ । ୨ ଘଣ୍ଟା ଧରି ଏହି ବୈଠକ ଚାଲିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରି ନଥିଲା। ବ୍ୟାରେଜ ନିର୍ମାଣ ପରେ ପ୍ରକଳ୍ପ କାମ ଆଗେଇବା ଜିଦ୍ରେ ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଯେ ପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ଦାବି ନ ମାନିଛି ସେ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିବ ବୋଲି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି କହିଛି।
ଜିଲ୍ଲାପାଳ କହିଛନ୍ତି, ବ୍ୟାରେଜ ନିର୍ମାଣ ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି। ଏନେଇ ସରକାରଙ୍କୁ ଅବଗତ କରାଯାଇଛି। ଇଞ୍ଚିନିୟରମାନଙ୍କୁ ନେଇ ଇଞ୍ଜିନିୟର ଇନ୍ ଚିଫ୍ ଏକ ଟିମ୍ ଗଠନ କରିଛନ୍ତି। ଉକ୍ତ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ। ସେହି ଟିମ୍ ଆସିଲେ ସଂଗ୍ରାମ ସମିତି ସଦସ୍ୟମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ କଥାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଆନ୍ଦୋଳନକାରୀ। ସେମାନେ ଏବେ ଶାନ୍ତିପୂର୍ଣ୍ଣ ଭାବେ ନିଜ ଆନ୍ଦୋଳନ ଚଳାଇଥିବା ବେଳେ ଦରକାର ପଡ଼ିଲେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି।
ବିଜୟଙ୍କ କଥାକୁ ଖଣ୍ଡନ କଲେ ଜିଲ୍ଲାପାଳ
ଜଳସେଚନ ବିଭାଗର ବିନା ଅନୁମତିରେ ଏହି ପ୍ରକଳ୍ପ ହେଉଥିବା ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଣିଥିବା ଅଭିଯୋଗକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ୍ ତଥ୍ୟ ବୋଲି ସେ କହିଛନ୍ତି। ତା’ ସହିତ ୱାଟର ଆଲୋକେସନ କମିଟି ଏହାକୁ ଅନୁମୋଦନ କରିଥିବା ସେ କହିଛନ୍ତି।
ଏହି ପ୍ରୋଜେକ୍ଟ ଦ୍ୱାରା ଖରସ୍ରୋତା ନଦୀକୁ କୌଣସି ବିପଦ ନାହିଁ। ଏହାର ପାଣି କମିବ ନାହିଁ । ଏହି ପାଣି କୌଣସି କମ୍ପାନୀକୁ ଦେବାକୁ ନୁହେଁ, ଭଦ୍ରକ ଜିଲ୍ଲାର ୪ ବ୍ଲକ ଓ ୩ ମ୍ୟୁନିସିପାଲଟି ଅଞ୍ଚଳକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।
The post ‘ଜିଲ୍ଲାପାଳଙ୍କୁ ଭରସା ନାହିଁ, ଦରକାର ପଡ଼ିଲେ ଆଇନ ହାତକୁ ନେବୁ’ appeared first on Odisha Reporter.
from Odisha Reporter https://ift.tt/38jdgJw
No comments:
Post a Comment