ବାରିପଦା(ମାଣିକ ଲାଲ ପାଣି): ସାମାନ୍ୟ ଟଙ୍କା ପ୍ରଲୋଭନ ଦେଖାଇ ମା’ କୋଳରୁ ଜୋର ଜବରଦସ୍ତି ଭାବେ ଛୁଆକୁ ଛଡ଼ାଇ ନେଉଥିଲେ । ଅସହାୟ ମା’ ଛୁଆକୁ ପାଇବାକୁ କାର୍ ପଛେ ପଛେ ଦୌଡ଼ି ଶେଷରେ ନିରାଶ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଶିଶୁ ଅପହରଣରେ ସାମିଲ ଥିବା ୩ ଜଣଙ୍କୁ ଗିରଫ କରିଛି। ଶେଷରେ ମା’ କୋଳକୁ ଫେରିଛି ୨ ମାସର ଶିଶୁ। ଏପରି ଅଭାବନୀୟ ଘଟଣା ଗତକାଲି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ଅଞ୍ଚଳରେ ଘଟିଛି।
ସାରସକଣା ଅଞ୍ଚଳର ସ୍ୱାମୀ ପରିତ୍ୟକ୍ତା ମହିଳାଜଣକ ଅସୁସ୍ଥ ଥିବା ନିଜ ୨ ମାସର ଶିଶୁ ପୁତ୍ରକୁ ଗତକାଲି ଶିର୍ଷା ମେଡିକାଲ ନେଇ ଯାଇଥିଲେ। ସେଠାରୁ ଫେରିବା ବାଟରେ ସେ ଦଲାଲ ତପନ ଦଣ୍ଡପାଟଙ୍କ ହାବୁଡ଼ରେ ପଡ଼ିଥିଲେ। ପିଲାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ସହ ଅନ୍ୟାନ୍ୟ ସୁବିଧା କରାଇଦେବାକୁ କହି ତପନ ସମ୍ପୃକ୍ତ ମହିଳାଙ୍କୁ ନିକଟସ୍ଥ ଜାମୁପୁରା ଗାଁକୁ ନେଇଥିଲେ।
କିଛି ସମୟ ପରେ ସେଠାରେ କାର୍ ଧରି ପ୍ରହଲ୍ଲାଦ ପତିହାରୀ ଓ ତାଙ୍କ ପତ୍ନୀ ଲିଜା ପତିହାରୀ ପହଞ୍ଚିଥିଲେ। ଏହାପରେ ସମ୍ପୃକ୍ତ ମହିଳାଙ୍କୁ ପ୍ରଲୋଭିତ କରି ତାଙ୍କ ହାତରେ ୧୧ଶହ ଟଙ୍କା ଦେଇ ଜୋରଜବରଦସ୍ତି ଭାବେ ତାଙ୍କୁ ପିଲାଟିକୁ କାର୍ରେ ନେଇଯାଇଥିଲେ। ମାତ୍ର ନିଜ ପିଲାକୁ ଦେବାକୁ ଅମଙ୍ଗ ଥିବା ମହିଳାଜଣକ କାର୍ ପଛରେ ବହୁ ବାଟ ଦୌଡ଼ିଥିଲେ ମଧ୍ୟ ଛୁଆକୁ ପାଇପାରିନ ଥିଲେ।
ଏନେଇ ମହିଳାଜଣକ ଶିର୍ଷା ଛକରେ କିଛି ଲୋକଙ୍କୁ କହିବାରୁ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ତପନ ଦଣ୍ଡପାଟଙ୍କୁ କାବୁ କରିଥିଲା। ଏହାପରେ ତାଙ୍କଠୁ ସୂଚନା ପାଇ ରାଇରଙ୍ଗପୁର ଅଞ୍ଚଳରୁ ପ୍ରହଲ୍ଲାଦ ଓ ତାଙ୍କ ପତ୍ନୀ ଲିଜାଙ୍କୁ ଗି଼ରଫ କରିବା ସହ ସେମାନଙ୍କ ନିକଟରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି।
ପୁଲିସ୍ ଶିଶୁଟିକୁ ତା’ ମା’କୁ ହସ୍ତାନ୍ତର କରିଥିବା ବେଳେ ଉଭୟ ମା’ ଶିଶୁ ଏବେ ବାରିପଦା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଏହାପରେ ଉଭୟଙ୍କ ସ୍ୱଧାର ଗୃହକୁ ସ୍ଥାନାନ୍ତର କରାଯାଇ କିଛି ଦିନ ରଖାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି।
ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯିବ।
The post ମା’ କୋଳରୁ ଛଡ଼ାଇ ନେଲେ ୨ ମାସର ଶିଶୁ, ହେଲେ… appeared first on Odisha Reporter.
from Odisha Reporter https://ift.tt/3sCqjzk
No comments:
Post a Comment