ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାର ୩ୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଛି, ବିଭିନ୍ନ ହସ୍ପିଟାଲରେ ବେଡ୍ ଓ ଔଷଧ ମହଜୁଦ ରହିଛି । ତାସହ ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।
ଛୋଟ ପିଲା ଅଧିକ ଆକ୍ରାନ୍ତ ସମ୍ଭାବନା ଥିବାରୁ ସେଥିପାଇଁ ମଧ୍ୟ ମେଡିକାଲର ସମସ୍ତ ବ୍ୟବସ୍ଥା ହୋଇଛି। ଏହା ସହିତ ଆଗକୁ ପାର୍ବଣ ଋତୁ ଥିବାବେଳେ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ କୋଭିଡ ନିୟମ ପାଳନ କଲେ କରୋନାର ତୃତୀୟ ଲହରକୁ ହରାଇପାରିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ତୃତୀୟ ଲହରରେ ରାଜ୍ୟରେ ପ୍ରାୟ ୯୨ହଜାର ଶିଶୁ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତୃତୀୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ କୋଭିଡ ପ୍ରତିକ୍ରିୟା ଯୋଜନା ବା ଏନ୍ସିଆର୍ପି-୨କୁ ମଞ୍ଜୁରୀ ମିଳିଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା କାମ ଶେଷ କରିବା ଲାଗି ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ନିର୍ଦେଶ ଦିଆଯାଇଛି। ଇସିଆରପି-୨ରେ ଡାଏଗ୍ନୋଷ୍ଟିକ, ଟେଲିମେଡିସିନ୍, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତ, କୋଭିଡ କେୟାର ସେଣ୍ଟର, ଶିଶୁଙ୍କ ପାଇଁ ଆଇସିୟୁ ଓ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ତୃତୀୟ ଲହରର ମୁକାବିଲା ଯୋଜନାରେ ଔଷଧ ପାଇଁ ୩୦ କୋଟି ମଞ୍ଜୁର ହୋଇଛି। ବରଗଡ଼, ରାୟଗଡ଼ାରେ ୩୨ ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍ ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି। ଏଥିରେ ୨୦ ଆକ୍ସିଜେନ୍ ଶଯ୍ୟା, ୮ ଏଚ୍ଡିୟୁ ଓ ୪ ଆଇସିୟୁ ଶଯ୍ୟା ରହିବ। ସେହିପରି ୨୬ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୨ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍ ଓ ୪ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଙ୍କ ପାଇଁ ୨୦ଟି ଶଯ୍ୟା ରହିବ। ରାଜ୍ୟରେ ୨୮ଟି ଫିଲ୍ଡ ହସ୍ପିଟାଲ ପ୍ରତିଷ୍ଠା କରାଯିବା ଲାଗି ମଞ୍ଜୁରୀ ମିଳିଛି। ଏଥିପାଇଁ ୧୭,୬୦୦ଲକ୍ଷ ଟଙ୍କା ଖର୍ଚ କରାଯିବ। ଏଥିପାଇଁ ଜିଲ୍ଲାସ୍ତରରେ ୮-୯ହଜାର ବର୍ଗ ଫୁଟ୍ର ମୁକ୍ତ ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
The post ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3yqzILu
No comments:
Post a Comment