କାବୁଲ: ତାଲିବାନର କଥା ଗୋଟିଏ କାମ ଆଉ ଗୋଟିଏ। ନିକଟରେ ତାଲିବାନ ଏକ ପ୍ରେସ କନଫରେନସ କରି କହିଥିଲା ଆଫଗାନିସ୍ତାନରେ ଶରିଆ ନିୟମ ଲାଗୁ ହେବ। ମହିଳାମାନେ ହିଜାବ ପିନ୍ଧିବେ କିନ୍ତୁ ସେମାନଙ୍କୁ ସ୍ୱାଧୀନତା ମିଳିବ। ମିଡିଆ ହାଉସ ମଧ୍ୟ ସ୍ୱାଧୀନ ଭାବରେ କାମ କରିବେ। କିନ୍ତୁ ଆଫଗାନିସ୍ତାନର ଜଣେ ଲୋକପ୍ରିୟ ମହିଳା ନ୍ୟୁଜ ଆଙ୍କର କିନ୍ତୁ ଏହି ସୁବିଧା ପାଇବାରୁ ଏବେ ବଞ୍ଚିତ ହୋଇଛନ୍ତି। ସେ ତାଙ୍କ ଟିଭି ଚ୍ୟାନେଲରେ ପ୍ରବେଶ କରୁଥିଲେ ଅନ୍ୟ ପୁରୁଷ ସହଯୋଗୀଙ୍କ ସହିତ। ହେଲେ ଅଫିସ କହିଥିଲା ନିୟମରେ ପରିବର୍ତ୍ତନ ହୋଇଛି ତେଣୁ ସେ ଆଉ ଅଫିସ ଭିତରେ ପ୍ରବେଶ କରିପାରିବେ ନାହିଁ। ଏହାପରେ ସଂପୃକ୍ତ ମହିଳା ନ୍ୟୁଜ ଆଙ୍କର ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ବାର୍ତ୍ତା ଜାରି କରିଛନ୍ତି।
ଏହି ମହିଳା ନ୍ୟୁଜ ଆଙ୍କର ଜଣଙ୍କ ହେଉଛନ୍ତି ଶବନମ ଦଓ୍ୱରନ। ସେ ସୋଶାଲ ମିଡିଆରେ ତାଙ୍କର ଭିଡିଓ ପୋଷ୍ଟ କରିବା ପରେ ଅନେକ ସାମ୍ୱାଦିକ ତାଙ୍କର ଭିଡିଓକୁ ଶେଆର କରି ରିଟ୍ୱିଟ୍ କରି ସାରା ବିଶ୍ୱ ପାଖରେ ତାଲିବାନର ଅସଲ ଚେହେରାକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଶବନମ ଦଓ୍ୱରନ ମାସେ ପୂର୍ବରୁ ତାଲିବାନଙ୍କ ଆକ୍ରମଣର ଶିକାର ହୋଇଥିଲେ ବୋଲି ସୂଚନା ରହିଛି।
ଶବନମ ଦଓ୍ୱରନ ହିଜାବ ପିନ୍ଧି ଶେଆର କରିଥିବା ଭିଡିଓରେ କହିଛନ୍ତି, ସେ ୬ ବର୍ଷ ହେବ ଆଫଗାନିସ୍ତାନର ସରକାରୀ ଟିଭି ଚ୍ୟାନେଲ ଆରଟିଏରେ କାମ କରନ୍ତି। ଚଳିତ ସପ୍ତାହରୁ ସେ ଅଫିସକୁ ଆଉ ପ୍ରବେଶ କରିପାରୁ ନାହାନ୍ତି।
ସେ କହିଛନ୍ତି,’ ମୁଁ ମୋର ଅଫିସରେ ପ୍ରବେଶ କରିପାରୁ ନାହିଁ। ମୋର କିନ୍ତୁ ଆଇଡି କାର୍ଡ ରହିଛି। ମୋର ପୁରୁଷ ସହଯୋଗୀ କିନ୍ତୁ ଅଫିସରେ ପ୍ରବେଶ କରି ପାରୁଛନ୍ତି। ଯେହେତୁ ଦେଶର ସିଷ୍ଟମରେ ପରିବର୍ତ୍ତନ ହୋଇଛି ତେଣୁ ମୋତେ ଅଫିସ ଭିତରକୁ ପ୍ରବେଶ କରିବାକୁ ଛଡ଼ା ଯାଉନି ବୋଲି କୁହାଯାଇଛି। ମୋତେ ଯେଉଁମାନେ ଶୁଣିପାରୁଛ ଟିକିଏ ସହଯୋଗ କର, ଏଠାରେ ଆମ ଜୀବନ ପ୍ରତି ବିପଦ ରହିଛି’।
ନିକଟରେ କିନ୍ତୁ ଗୋଟିଏ ଟିଭି ଚ୍ୟାନେଲକୁ ଜଣେ ମହିଳା ଆଙ୍କର ଜଣେ ତାଲିବାନୀଙ୍କ ସହ ସାକ୍ଷାତକାର ନେଇଥିଲେ। ସେହିପରି ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମହିଳା ସାମ୍ୱାଦିକ ବୁର୍ଖା ପିନ୍ଧି ତିନି ଜଣ ତାଲିବାନୀଙ୍କ ସହ ଏକ ସାକ୍ଷାତକାର କରୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ମହିଳା ରାଜନୀତିରେ ପାଦ ଥାପିବା ଦରକାର କି ନାହିଁ ପ୍ରଶ୍ନରେ ସମ୍ପୃକ୍ତ ତାଲିବାନୀ ଦେଇଥିବା ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓରେ ମହିଳା ସାମ୍ବାଦିକ ପଚାରିଛନ୍ତି ଯେ, ଆଫଗାନିସ୍ତାନ ନାଗରିକମାନେ ଜଣେ ମହିଳାଙ୍କୁ ଭୋଟ୍ ଦେବାର ଏବଂ ତାଙ୍କୁ କ୍ଷମତାକୁ ଆଣିବାର ଅଧିକାର ପାଇବେ କି? ପ୍ରଶ୍ନର ଉତ୍ତର ନ ଦେଇ ତାଲିବାନ ସଦସ୍ୟ ହସୁଥିବା ଦେଖିବାକୁ ମିଳିଛି। ଏହା ପରେ ଏହି ସଦସ୍ୟ କ୍ୟାମେରା ବନ୍ଦ କରିବାକୁ କହୁଥିବା ଦେଖିବାକୁ ମିଳିଛି।
The post ତାଲିବାନ୍ ରାଜ୍, ଅଫିସରେ ପଶିପାରିଲେନି ମହିଳା ନ୍ୟୁଜ୍ ଆଙ୍କର appeared first on Odisha Reporter.
from Odisha Reporter https://ift.tt/3szGLQP
No comments:
Post a Comment