ସୋଶାଲ୍ ମିଡିଆରେ ଯବାନଙ୍କ ଦରଦଭରା କାହାଣୀ, ତତ୍ପର ହେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

ସୋଶାଲ୍ ମିଡିଆରେ ଯବାନଙ୍କ ଦରଦଭରା କାହାଣୀ, ତତ୍ପର ହେଲା ପୁଲିସ୍‌

ନୀଳଗିରି (ଓଡ଼ିଶା ରିପୋର୍ଟର): ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ। ଅନ୍ୟପକ୍ଷରେ ନିଜ ଗାଁରେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ତାଙ୍କ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଥିଲେ। ସେଥିପାଇଁ ଜମ୍ମୁରୁ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ପରିବାର ପାଇଁ ନ୍ୟାୟ ଓ ସୁରକ୍ଷା ଭିକ୍ଷା କରିଥିଲେ ଯବାନ ଜଣଙ୍କ।

ଏହି ଯବାନଙ୍କ ନାଁ ନନୀଗୋପାଳ ମହାପାତ୍ର। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ତିନିଦେଶ ଗାଁରେ।

ନନୀଗୋପାଳଙ୍କ ଅଭିଯୋଗ ଅନୁଯାୟୀ, ଜାଗା ଓ ଘରକୁ ନେଇ ତାଙ୍କ ବାପାମା’ ପଡ଼ୋଶୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ସେମାନଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଦିଆଯାଉଛି। ଏପରିକି ନିକଟସ୍ଥ ଅଯୋଧ୍ୟା ଫାଣ୍ଡିର ଜଣେ କନଷ୍ଟେବଳ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଛନ୍ତି। ତାଙ୍କ ଚାକିରି ନେଇଯିବେ ବୋଲି କହିଛନ୍ତି।

ସୋଶାଲ୍ ମିଡିଆରେ ଜାରି କରିଥିବା ଭିଡିଓରେ ଯବାନ ଜଣଙ୍କ କହିଛନ୍ତି, ନ୍ୟାୟ ପାଇଁ ସୋଶାଲ୍ ମିଡିଆର ସାହାରା ନେଉଛି। କ’ଣ ପାଇଁ ମୋ ପରିବାରକୁ ବିପଦକୁ ଟାଣି ନିଆଯାଉଛି। ଦେଶର ସୁରକ୍ଷା ପାଇଁ ଆମେ ସୀମାରେ ଡ୍ୟୁଟି କରୁଛୁ। ସମସ୍ତଙ୍କୁ ସୁରକ୍ଷା ଦେଉଥିଲେ ମଧ୍ୟ ଆମ ପରିବାର ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ମିଥ୍ୟା ଅଭିଯୋଗ ଆଣି ମୋ ପରିବାରକୁ ହଇରାଣ କରାଯାଉଛି। ମୁଁ ସୀମାରେ ଡ୍ୟୁଟି କରୁଥିବା ବେଳେ ମୋ ବାପା,ମା’ ସେଠାରେ କାନ୍ଦୁଛନ୍ତି। ଏ ଜୀବନ ରଖିବାର ଆଉ କିଛି ମାନେ ନାହିଁ। ଏପରିକି ଏଠାରେ ମୁଁ ଡ୍ୟୁଟିରେ ଥିବା ବେଳେ ମୋ ନାଁରେ ମଧ୍ୟ ଅଭିଯୋଗ ଅଣାଯାଇଛି।

ଅନ୍ୟପକ୍ଷରେ ସୀମାରେ ନିୟୋଜିତ ଜଣେ ଯବାନଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ତତ୍ପରତା ପ୍ରକାଶ କରିଛି। ନୀଳଗିରି ପୁଲିସ୍ ଘଟଣାର ତନାଘନା କରୁଛି। ନିଜେ ନୀଳଗିରି ଏସ୍‌ଡିପିଓ ରୀତେଶ ମହାପାତ୍ର ତିନିଦେଶ ଗାଁକୁ ଯାଇ ନନୀଗୋପାଳ ମହାପାତ୍ରଙ୍କ ବାପାମା’ଙ୍କୁ ଭେଟିଛନ୍ତି। ଏପରିକି ତାଙ୍କ ମୋବାଇଲ ନମ୍ବର ଦେଇଛନ୍ତି ଓ ଆବଶ୍ୟକ ସ୍ଥଳେ କେହି ଧମକଚମକ ଦେଲେ ସିଧାସଳଖ ତାଙ୍କୁ ଫୋନ୍ କରିବାକୁ କହିଛନ୍ତି।

ଏସ୍‌ଡିପିଓ କହିଛନ୍ତି, ମୁଁ ତାଙ୍କ (ଯବାନଙ୍କ) ପରିବାର ଲୋକଙ୍କ ସହିତ ଗ୍ରାମବାସୀଙ୍କ ସହ କଥା ହୋଇଛି। ସେ ଯବାନଙ୍କ ପରିବାର ଗାଁରେ ଗୋଟିଏ ଘର କରିଛନ୍ତି। ତେବେ ସେମାନେ ଉଦ୍ଦିଷ୍ଟ ଜାଗା ଠାରୁ ଅଧିକ ଜାଗାରେ ଅର୍ଥାତ୍ ରାସ୍ତାକୁ ମଡ଼ାଇ ଘର କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଉ ଏଇ କଥାକୁ ନେଇ ପ୍ରତିପକ୍ଷଙ୍କ ସହିତ ତାଙ୍କ ପରିବାରର ବିବାଦ ଲାଗି ରହିଛି। ଏଥିପାଇଁ ମେ’ ମାସରେ ବଡ଼ ଧରଣର କଳିଝଗଡ଼ା ହୋଇଥିଲା। ତେଣୁ ଅଯୋଧ୍ୟା ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଆପୋଷ ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ କୌଣସି ସମାଧାନ ହୋଇପାରି ନଥିଲା।

ଏହା ପରେ ଯବାନଙ୍କ ପ୍ରତିପକ୍ଷ ଲୋକ ନୀଳିଗିରି ଥାନାରେ ଏକ କେସ୍ କରିଥିଲେ। ଅଗଷ୍ଟ ୧୭ରେ ଏନେଇ ମାମଲା ରୁଜୁ ହୋଇଛି। ସେଥିରେ ସେମାନେ ଏହି ଯବାନ ଓ ତାଙ୍କ ବାପାମା’ଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଗତକାଲି ତାଙ୍କ ଘରକୁ ପୁଲିସ୍ ଯାଇଥିଲା। ଫାଣ୍ଡି ଅଧିକାରୀ ଓ କନଷ୍ଟେବଳ ତାଙ୍କ ବାପାମା’ଙ୍କୁ ତଦନ୍ତରେ ସହଯୋଗ କରିବାକୁ ବୁଝାଇବା ସହିତ ନୋଟିସ୍ ଗ୍ରହଣ କରିବାକୁ କହିଥିଲେ। ତେବେ ଯବାନଙ୍କ ବାପାମା’ ହୁଏତ ଏହି କେସ୍‌ର ଗୁରୁତ୍ୱକୁ ବୁଝିପାରି ନଥିଲେ। ତେଣୁ ସେମାନେ କୌଣସି ପ୍ରକାର ସହଯୋଗ କରି ନଥିଲେ। ସେଥିଯୋଗୁ ସାମାନ୍ୟ ବିରକ୍ତ ହୋଇ ସଂପୃକ୍ତ କନଷ୍ଟେବଳ (ଏହି କନଷ୍ଟେବଳଙ୍କ ବିରୋଧରେ ଯବାନ ନନୀଗୋପାଳ ମହାପାତ୍ର ଅଭିଯୋଗ ଆଣିଥିଲେ) ସେମାନଙ୍କୁ କହିଥିଲେ ଯେ ଏହା ଦ୍ୱାରା ସେମାନଙ୍କ ପୁଅର ଚାକିରି ଉପରେ ପ୍ରଭାବ ପଡ଼ିପାରେ। କାରଣ ସେ ଜଣେ ସରକାରୀ ଚାକିରିଆ। ତଥାପି ସେମାନେ ତଦନ୍ତରେ ସହଯୋଗ କରିବାକୁ ତତ୍ପର ହୋଇନଥିଲେ। ଏହାପରେ ପୁଲିସ୍ କର୍ମଚାରୀମାନେ ସେଠାରୁ ପଳାଇ ଆସିଥିଲେ। ଏହା ପରେ ଗତକାଲି ଯବାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ବୋଲି ଏସ୍‌ଡିପିଓ ଶ୍ରୀ ମହାପାତ୍ର କହିଛନ୍ତି।

ଯବାନ ନନୀଗୋପାଳ ମହାପାତ୍ରଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ପଡ଼ୋଶୀ ପ୍ରଦୀପ ବିଶ୍ୱାଳ।

The post ସୋଶାଲ୍ ମିଡିଆରେ ଯବାନଙ୍କ ଦରଦଭରା କାହାଣୀ, ତତ୍ପର ହେଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3ggDcKr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages