ଯାଜପୁର(ଅଭୟ ପତି/ସଞ୍ଜୀବ ନାୟକ): ଦିନେ ଅପପୁଷ୍ଟିର ଇଲାକା ଭାବେ ପରିଚିତ ହୋଇଥିବା ଯାଜପୁରର ନଗଡା ଏବେ ପୁଣି ଥରେ ଚର୍ଚ୍ଚାରେ । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ୍ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପୁଣି ସେହି ସମାନ ରାସ୍ତାକୁ ଆଉ ଥରେ ତିଆରି କରାଯାଉଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଅଧିକାରୀ, ଠିକାଦାରଙ୍କ ପୁଷ ମାସ ଚାଲିଥିବା ବେଳେ ଡିଏମଏଫ ଫଣ୍ଡର ଖୁଲମଖୁଲା ଦୂରୁପଯୋଗ ହେଉଛି।
ନଗଡାର ସର୍ବାଙ୍ଗୀନ ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇ ରାସ୍ତା, ଡ୍ରେନ୍, ସ୍କୁଲ, ମେଡ଼ିକାଲ, ବିଦ୍ୟୁତ୍ ଆଦିର ବ୍ୟବସ୍ଥା ହୋଇଥିଲା । ହେଲେ ଟେଣ୍ଡର ନାଁରେ କାମ ବାବଦକୁ ଏଠି ଲକ୍ଷଲକ୍ଷ ଟଙ୍କାର ସ୍କାମ ଚାଲିଥିବା ନେଇ ଅଭିଯୋଗ ହୋଇଛି । ପାହାଡି ଇଲାକାରେ ଏହିସବୁ କାମର ତଦାରଖ କରିବାକୁ କେହି ନ ଥିବାରୁ ହରିଲୁଟର ସୁରାକ ମଧ୍ୟ କେହି ପାଇପାରୁନାହାନ୍ତି । ତେବେ ଅଭିଯୋଗ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।
ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପୁଣି ସେହି ସମାନ ରାସ୍ତାକୁ ଆଉ ଥରେ ତିଆରି କରାଯାଉଥିବା ଅଭିଯୋଗ ହୋଇଛି । ନଗଡା ପାଦଦେଶ ଅଶୋକଝରଠାରୁ ତଳନଗଡା ପର୍ଯ୍ୟନ୍ତ ରାସ୍ତାକୁ ଗୁପ୍ତ ଟେଣ୍ଡର କରି ପାଖାପାଖି ୪୫ ଲକ୍ଷ ଟଙ୍କା ହଡ଼ପ କରାଯାଇଛି । ଖାଲି ଏତିକି ନୁହେଁ, ଏହି ସବୁ କାମ ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ପୁରୁଣା ଡ୍ରେନ୍, ରାସ୍ତାକୁ ଦେଖାଇ ତାହାର ବିଲ୍ କରାଯାଉଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଉ । ଟେଣ୍ଡର କରାଯାଇ କାମ ହେବା ଦରକାର ବୋଲି ପ୍ରସନ୍ନ ସାମଲ ନାମକ ସମାଜସେବୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୫ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ହେଲେ ତାହାର ଟେଣ୍ଡର ଡକାଯାଇଥାଏ। ହେଲେ ୫ ଲକ୍ଷରୁ କମ୍ ବିଲ୍ ହେଲେ ହାତଲେଖା ମାଧ୍ୟମରେ ସେହି କାମ ଠିକାଦାରଙ୍କୁ ଦିଆଯାଇଥାଏ। ମୁଖ୍ୟତଃ ସରକାରଙ୍କ ଏପରି ନିୟମ ଯୋଗୁ ଉଭୟ ଅଧିକାରୀ, ଠିକାଦାର ମାଲେମାଲ ହେଉଛନ୍ତି। ତେଣୁ ନଗଡା ପାଦଦେଶ ଅଶୋକଝରଠାରୁ ତଳନଗଡା ପର୍ଯ୍ୟନ୍ତ ରାସ୍ତାକୁ ଭାଗ ଭାଗ କରି ବିଭିନ୍ନ ସମୟରେ ୫ ଲକ୍ଷରୁ କମ୍ ଟଙ୍କାର କାମ କରାଯାଇ ବିଲ୍ କରାଯାଉଛି। ହେଲେ କେବଳ ଏହି ରାସ୍ତାକୁ ଭାଗ ଭାଗ କରି ଏ ଯାବତ ପ୍ରାୟ ୪୫ ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି।
ଅପରପକ୍ଷେ, ୨୦୧୬ ମସିହାରୁ ନଗଡ଼ାକୁ ରାସ୍ତା କାମ ଚାଲିଥିବା ବେଳେ ଏ ଯାବତ ତାହା ସରିବା ନାଁ ଧରୁନି। ପାହାଡ଼ିଆ ଅଞ୍ଚଳ ଯୋଗୁ ବର୍ଷାରେ ରାସ୍ତା ଧୋଇ ହୋଇଯାଉଥିବା ବେଳେ ପୁଣି ଥରେ ବିଲ୍ ପାସ୍ କରାଇ ରାସ୍ତା କାମ କରାଯାଉଛି। ଯାହାକି ଅଧିକାରୀ, ଠିକାଦାରଙ୍କୁ ବେଶ୍ ସୁହାଉଛି । ଅଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଅଧିକାରୀ ମାଲେମାଲ ହେବାରେ ବ୍ୟସ୍ତ।
କେବଳ କାମରେ ଅନିୟମିତତା ଓ ଟଙ୍କା ହଡ଼ପ ଅଭିଯୋଗ ନୁହେଁ, ବରଂ ନଗଡା ବାସିନ୍ଦାଙ୍କୁ ରାସ୍ତା କାମରେ ନିୟୋଜିତ ନ କରି ବାହାରୁ ଶ୍ରମିକ ଆଣି କାମ କରାଯାଉଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ନଗଡାବାସୀଙ୍କୁ ଦୈନିକ କାମ ଯୋଗାଇଦେବା ପ୍ରତିଶୃତି କେବଳ କାଗଜ କଲମରେ ସୀମିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଏଠାରେ ଠିକାଦାର ମାଟି ରାସ୍ତା କରୁଛନ୍ତି। ବର୍ଷା ହେଲେ ସବୁ ଧୋଇ ହୋଇଯିବ। ଆମକୁ କାମ କିଛି ମିଳୁନି ବୋଲି କହିଛନ୍ତି ତଳ ନଗଡାର ରବି ପ୍ରଧାନ। ସେହିପରି ବାହାର ଲୋକ ଆସି କାମ କରୁଛନ୍ତି। ଆମେ କିଛି କାମ ପାଉନୁ ବୋଲି କହିଛନ୍ତି ନଗଡାର ଦେଶ ପ୍ରଧାନ।
ଏନେଇ ଯାଜପୁର ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି, ଆରଆଣ୍ଡବି ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କଠାରୁ ତଦନ୍ତ କରି କୈଫିୟତ ମଗାଯାଇଛି । ବିକାଶ ନାଁରେ ଲକ୍ଷଲକ୍ଷ ଟଙ୍କା ଚଳୁ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନଗଡ଼ା ବାସିନ୍ଦା ।
The post ଚର୍ଚ୍ଚାରେ ନଗଡ଼ା, ବିନା ଟେଣ୍ଡରରେ ଥରକୁ ଥର ରାସ୍ତା ନାଁରେ ହରିଲୁଟ୍ appeared first on Odisha Reporter.
from Odisha Reporter https://ift.tt/3mrUSq9
No comments:
Post a Comment