କାବୁଲ: ଆଫଗାନିସ୍ତାନକୁ ଦଖଲ କରିନେଇଛି ତାଲିବାନ। ହେଲେ ଏହି ସଙ୍ଗଠନ ଆଫଗାନିସ୍ତାନର ପଞ୍ଜଶିର ଅଞ୍ଚଳକୁ ଏଯାଏଁ ଦଖଲ କରିପାରି ନାହିଁ। ଏହାକୁ ଦଖଲ କରିବାକୁ ଏବେ ତାଲିବାନ ଆଗକୁ ବଢ଼ୁଛି। ହେଲେ ତାଲିବାନକୁ ମୁହଁତୋଡ଼ ଜବାବ ଦେବାକୁ ସେଠାକାର ସ୍ଥାନୀୟ ଲୋକେ ନର୍ଦ୍ଦନ ଆଲିଆନ୍ସ ସହ ପୂରା ପ୍ରସ୍ତୁତ ହୋଇଛନ୍ତି।
ଶେର୍-ଏ-ପଞ୍ଜଶିର ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲିଆନ୍ସ ତାଲିବାନକୁ କଡ଼ା ଚେତାବନୀ ଦେଇଛି। ସେପଟେ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ତାଙ୍କ ଲୋକଙ୍କ ସହ ସେଠାରେ ଅଛନ୍ତି। ବର୍ତ୍ତମାନ ତାଲିବାନ ବିରୋଧୀ ଯୁଦ୍ଧରେ ନର୍ଦ୍ଦନ ଆଲିଆନ୍ସକୁ ଅଧିକ ଶକ୍ତି ମିଳିଛି। ଆଫଗାନିସ୍ତାନ ସେନାର ପୂର୍ବତନ କମାଣ୍ଡୋମାନେ ବର୍ତ୍ତମାନ ପଞ୍ଜଶିରରେ ପହଞ୍ଚି ଅହମ୍ମଦ ମାସୁଦଙ୍କ ସୈନ୍ୟବାହିନୀ ସହ ହାତ ମିଳାଇଛନ୍ତି। ସେମାନେ ଏବେ ତାଲିବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛନ୍ତି।
ରିପୋର୍ଟ ମୁତାବକ, ତାଲିବାନ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ପଞ୍ଜଶିରକୁ ସହାୟତା କରିବା ପାଇଁ ହେଲିକପ୍ଟରରେ ହତିଆର ପଠାଯାଇଛି। ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଜିଆ ମାସୁଦ ଏବଂ ନର୍ଦ୍ଦନ ଆଲିଆନ୍ସ ପୂର୍ବତନ କମାଣ୍ଡର ଅମାନୁଲ୍ଲା ଗୁଲଜାର ତାଲିବାନ ବିରୋଧୀ ଦଳକୁ ସାହାଯ୍ୟ କରିବା ପାଇଁ ତାଜାକିସ୍ତାନ ଦେଇ ପଞ୍ଜଶିରରେ ପହଞ୍ଚିଛନ୍ତି। ତାଙ୍କ ସହ ତାଙ୍କ ସମର୍ଥକ ଏବଂ ସଂଗ୍ରାମୀମାନେ ଅଛନ୍ତି। ବର୍ତ୍ତମାନ ସମସ୍ତେ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲିଆନ୍ସକୁ ସମର୍ଥନ କରିବେ।
ହେଲିକପ୍ଟର ମାଧ୍ୟମରେ ତାଜାକିସ୍ତାନରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଅଣାଯାଇଛି। ତାଜାକିସ୍ତାନ ତରଫରୁ ଲଗାତର ନର୍ଦ୍ଦନ ଆଲିଆନ୍ସକୁ ସହାୟତା ଯୋଗଇ ଦିଆଯାଉଛି। ହାତିଆର ବ୍ୟତୀତ ତାଜାକିସ୍ତାନ ହେଲିକପ୍ଟର ମଧ୍ୟ ଯୋଗାଇ ଦେଇଛି।
ସୂଚନାଯୋଗ୍ୟ ଯେ, ପଞ୍ଜଶିର କେବେ ହେଲେ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ତାଲିବାନ ପଞ୍ଝାକୁ ଯାଇନାହିଁ। ଏଥର ତାଲିବାନ ଆଫଗାନର ସବୁ ଅଞ୍ଚଳ ଦଖଲ କରିସାରିଥିବା ବେଳେ ପଞ୍ଜଶିର ଏଯାଏ ସ୍ୱାଧୀନ ପ୍ରଦେଶ ଭାବେ ରହିଛି। ପଞ୍ଜଶିର, ଆଣ୍ଡ୍ରାବ, ବାଗଲାନ୍ ସମେତ କେତେକ ଅଞ୍ଚଳରେ ନର୍ଦ୍ଦନ ଆଲିଆନ୍ସର ସୈନିକମାନେ ତାଲିବାନକୁ କଡ଼ା ଆହ୍ୱାନ ଦେଇଛନ୍ତି। ଖବର ଅନୁଯାୟୀ, ଏହି ସ୍ଥାନରେ ୩୦୦ରୁ ଅଧିକ ତାଲିବାନୀ ମଧ୍ୟ ନିହତ ହୋଇଛନ୍ତି। ଏଥିଯୋଗୁଁ ତାଲିବାନକୁ ବଡ଼ ଝଟକା ଲାଗିଛି।
The post ହେଲିକପ୍ଟରରେ ଗଲା ହତିଆର, ତାଲିବାନକୁ ଟକ୍କର ଦେବ ନର୍ଦ୍ଦନ ଆଲିଆନ୍ସ appeared first on Odisha Reporter.
from Odisha Reporter https://ift.tt/3z8R290
No comments:
Post a Comment