କାବୁଲ: ଦେଶ ଛାଡ଼ୁଥିବା ଆଫଗାନିସ୍ତାନବାସୀଙ୍କ ବିରୋଧରେ ବଡ଼ ପଦକ୍ଷେପ ନେଇଛି ତାଲିବାନ। ତାଲିବାନ ଭୟରେ ଆଫଗାନବାସୀ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇବା ସହ ଦେଶ ଛାଡ଼ିବାକୁ ଚାହୁଁଛନ୍ତି। ହେଲେ ତାଲିବାନ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ। ତେଣୁ ସଂଗଠନ ପକ୍ଷରୁ ଆଫଗାନବାସୀଙ୍କ ଦେଶ ଛାଡ଼ିବା ପରେ ରୋକ ଲଗାଇ ଦିଆଯାଇଛି।
ଏଣିକି କାବୁଲ ଏୟାରପୋର୍ଟକୁ କୌଣସି ଆଫଗାନ ନାଗରିକଙ୍କୁ ଛଡ଼ା ଯିବ ନାହିଁ ବୋଲି ତାଲିବାନ ଘୋଷଣା କରିଛି। ତେବେ ବିଦେଶୀ ନାଗରିକଙ୍କ ଉପରେ ଏହି ନିୟମ ଲାଗୁ ହେବନି ବୋଲି ସଂଗଠନ ସ୍ପଷ୍ଟ କରିଛି।
ତାଲିବାନର ମୁଖପାତ୍ର ଜୈବିହୁଲ୍ଲା ମୁଜାହିଦ କହିଛନ୍ତି, ଏୟାରପୋର୍ଟକୁ ଯାଉଥିବା ରାସ୍ତାକୁ ଆମ ସଦସ୍ୟମାନେ ବ୍ଲକ କରିଛନ୍ତି। ଆଫଗାନ ନାଗରିକ ଏହି ରାସ୍ତାକୁ ବ୍ୟବହାର କରି ଆଉ ବିମାନବନ୍ଦରକୁ ଯାଇପାରିବେ ନାହିଁ। କିନ୍ତୁ ବାହାର ଦେଶର ନାଗରିକଙ୍କୁ ଏୟାରପୋର୍ଟକୁ ଯିବାରେ କୌଣସି କଟକଣା ନାହିଁ।
ସେହିପରି କାବୁଲ ଏୟାରପୋର୍ଟରେ ପଡ଼ି ରହିଥିବା ଆଫଗାନବାସୀ ନିଜ ନିଜ ଘରକୁ ଫେରି ଆସନ୍ତୁ। ସେମାନଙ୍କୁ ଏଠାରେ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ। ତାଲିବାନ କାହା ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଆମେ ଆଉ ଆଫଗାନବାସୀଙ୍କୁ ଏୟାରଲିଫ୍ଟ ହେବାକୁ ଦେବୁନାହିଁ।
ଆମ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟାରେ ଆମେ ଆଦୌ ଖୁସିନାହୁଁ। ଡାକ୍ତର ଓ ଶିକ୍ଷାବିତମାନେ ଦେଶ ଛାଡ଼ିବା ଠିକ ନୁହେଁ। ଏଠାରେ ସେମାନେ ନିଜ ନିଜର ସ୍ୱତନ୍ତ୍ର ରୁଚି ରଖିଥିବା କ୍ଷେତ୍ରରେ କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ତାଲିବାନର ଏପରି ଘୋଷଣା ପରେ ଦେଶ ଛାଡ଼ିବାକୁ ଥିବା ଲୋକମାନେ ଅଡ଼ୁଆରେ ପଡ଼ିଛନ୍ତି। ସେମାନେ କଳବଳ କୌଶଳେ କାବୁଲ ଏୟାରପୋର୍ଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଏବେ ତାଲିବାନ ସେମାନଙ୍କ ରାସ୍ତାରେ କଣ୍ଟା ହୋଇ ଛିଡ଼ା ହେବାର ଆଶଙ୍କା ପ୍ରକାଶ ପାଇଛି।
The post ଆଫଗାନବାସୀଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇଲା ତାଲିବାନ appeared first on Odisha Reporter.
from Odisha Reporter https://ift.tt/3muaERo
No comments:
Post a Comment