ନୂଆଦିଲ୍ଲୀ: ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ନୂଆ ଯୋଜନା କରିଛି। ନିକଟରେ ନୂଆ କରି କେନ୍ଦ୍ର କ୍ୟାବିନେଟ୍ରେ ସ୍ଥାନ ପାଇଥିବା ୩୯ ଜଣ ମନ୍ତ୍ରୀ ୧୯,୫୬୭ କିମିର ଜନ ଆଶୀର୍ବାଦ ଯାତ୍ରା କରି ଲୋକଙ୍କ ନିକଟବର୍ତ୍ତୀ ହେବେ। ଅଗଷ୍ଟ ୧୬ରୁ ଆରମ୍ଭ ହେବାକୁ ଥିବା ଏହି ବିଶାଳ ଯାତ୍ରା ୨୨ଟି ରାଜ୍ୟର ୨୧୨ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ। ଏହି ସମୟରେ ମନ୍ତ୍ରୀମାନେ ଯାତ୍ରାରେ ସାମିଲ ହୋଇ ଲୋକଙ୍କୁ ନିଜର ପରିଚୟ ଦେବେ।
ସୂଚନାନୁସାରେ, ୨୬୫ଟି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏହି ଯାତ୍ରା ସମୟରେ ୧୬୬୩ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ରାଷ୍ଟ୍ରମନ୍ତ୍ରୀମାନେ ପ୍ରଥମେ ୧୬ ତାରିଖରୁ ନିଜ ନିଜର ଲୋକସଭା ନିର୍ବାଚନ ମଣ୍ଡଳୀ ସହ ଆଖପାଖ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିବେ। କ୍ୟାବିନେଟ ମନ୍ତ୍ରୀମାନଙ୍କ ଜନ ଆଶୀର୍ବାଦ ଯାତ୍ରା ୨୦ ତାରିଖରୁ ଆରମ୍ଭ କରିବେ।
ନୂଆ କରି ମନ୍ତ୍ରୀ ପଦ ସମ୍ଭାଳିଥିବା ସଦସ୍ୟମାନେ ଶପଥ ନେବା ପରଠାରୁ ଘରକୁ ଯାଇ ନାହାନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଶେଷ ହେବା ଯାଏ ଦିଲ୍ଲୀରେ ରହିବାକୁ କହିଥିଲେ। ଏପରି କି ସେମାନେ ଘରକୁ ଯିବା ପୂର୍ବରୁ ପ୍ରଥମେ ଲୋକଙ୍କୁ ଭେଟିବେ ବୋଲି ମୋଦି ନିର୍ଦ୍ଦେଶ ଦେଇଛନ୍ତି।
ଏଥିପାଇଁ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବ। ଯାତ୍ରାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ୨୦ ଜଣ ମନ୍ତ୍ରୀଙ୍କୁ ଭେଟିଥିଲେ। ସେହିପରି ସେ ମଙ୍ଗଳବାର ଆଉ ୯ ଜଣ ଓ ବୁଧବାର ୧୧ ଜଣ ମନ୍ତ୍ରୀଙ୍କୁ ଭେଟି ଯାତ୍ରାକୁ କେମିତି ସଫଳ କରାଯିବ, ତା’ ଉପରେ ଆଲୋଚନା କରିଛନ୍ତି।
ଯାତ୍ରାରେ ୧୯ଟି ରାଜ୍ୟର ମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ମନ୍ତ୍ରୀ ସେମାନଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବ୍ୟତୀତ ଅନ୍ୟ ତିନିଟି ନିର୍ବାଚନ ମଣ୍ଡଳୀକୁ ଯିବେ। ସେହିପରି ନିଜ ଜିଲ୍ଲା ବ୍ୟତୀତ ଆଉ ୪ଟି ଜିଲ୍ଲାରେ ମନ୍ତ୍ରୀମାନେ ଜନ ଆଶୀର୍ବାଦ ଯାତ୍ରା କରିବେ।
The post ୧୯,୫୬୭ କିମି ଜନ ଆଶୀର୍ବାଦ ଯାତ୍ରା କରିବେ ବିଜେପିର ନୂଆ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3sbbGCX
No comments:
Post a Comment