ୱାଶିଂଟନ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ବିରୋଧରେ ପୂରା ବିଶ୍ୱ ଏକାଠି ହୋଇଛନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ସମୂହ ଏକାଠି ହୋଇଥିଲେ ହେଁ ବର୍ତ୍ତମାନ ତାଲିବାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନପାରେ। କିନ୍ତୁ ସଂଗଠନର କାର୍ଯ୍ୟକଳାପ ଉପରେ ସମସ୍ତଙ୍କ ନଜର ରହିବ। ଯାହା ବି ପଦକ୍ଷେପ ଗ୍ରହଣ କରାଯିବ, ସମସ୍ତେ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ଜଣାପଡ଼ିଛି।
ସେହିପରି ଆଜି ବିଶ୍ୱ ବ୍ୟାଙ୍କ ଆଫଗାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଇ ଦେଇଛି। ଆଫଗାନର ସ୍ଥିତି ଖରାପ ଥିବାରୁ ବିଶ୍ୱବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ବିଶ୍ୱ ବ୍ୟାଙ୍କର ମୁଖପାତ୍ର କହିଛନ୍ତି, ଆଫଗାନ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ତାଲିବାନ ସେଠାରେ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଅଧିକାର ସବୁଠାରୁ ଅଧିକ ଚିନ୍ତାଜନକ ରହିଛି।
ଏହାକୁ ଦୃଷ୍ଟିରେ ରଖି ଆମେ ଆଫଗାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଉଛୁ। ଆମେ ବେଶ ଗମ୍ଭୀରତାର ସହ ସ୍ଥିତି ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି।ଏହାପୂର୍ବରୁ ଆମେରିକା ଓ ଆଇଏମଏଫ ମଧ୍ୟ ଆଫଗାନର ସମସ୍ତ ସମ୍ପତ୍ତି ବ୍ୟବହାର ଉପରେ ରୋକ ଲଗାଇଥିଲେ।
ଅନ୍ୟପକ୍ଷରେ ସାରା ବିଶ୍ୱ ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି। ହ୍ୱାଇଟ ହାଉସରେ ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଜି-୭, ୟୁରୋପୀୟ ୟୁନିୟନ, ନାଟୋ ଓ ମିଳିତ ଜାତିସଂଘ ତାଲିବାନ ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ସହମତ ହୋଇଛନ୍ତି।
ସେମାନଙ୍କ କାର୍ଯ୍ୟକଳାପ ଉପରେ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିବ। ତାଲିବାନର କାର୍ଯ୍ୟକଳାପ ଦେଖିବା ପରେ ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ, ତା’ ଉପରେ ନିଷ୍ପତ୍ତି ହେବ। ସମସ୍ତେ ପରସ୍ପର ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ସେ କହିଛନ୍ତି।
ଏୟାରଲିଫ୍ଟ ପ୍ରକ୍ରିୟା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ତାଲିବାନ ଚେତାବନୀ ଦେଇଛି। ଯଦି ଏହାପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିବ, ତା’ହେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ମୁଖପାତ୍ର କହିଥିଲେ। ଏସମ୍ପର୍କରେ ବାଇଡେନ କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଭାବେ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛୁ।
କିନ୍ତୁ ଏଥିରେ ତାଲିବାନ କେମିତି ସହାୟତା କରୁଛି, ତା’ ଉପରେ ସବୁ କିଛି ନିର୍ଭର କରେ। ଯଦି ତାଲିବାନ ସ୍ଥାନାନ୍ତର ପ୍ରକ୍ରିୟାରେ ବାଧା ସୃଷ୍ଟି ନ କରିବ ଓ ଲୋକମାନଙ୍କୁ ଏୟାରପୋର୍ଟ ଆସିବାକୁ ଦେବ, ତା’ହେଲେ ଆମେ ସବୁ କିଛି ଧାର୍ଯ୍ୟ ସମୟ ଅନୁଯାୟୀ ଶେଷ କରିପାରିବୁ ବୋଲି ସେ କହିଛନ୍ତି।
The post ତାଲିବାନକୁ ଚେକ୍ ଦେବା ପାଇଁ ଏକାଠି ହେବାକୁ ନିଷ୍ପତ୍ତି, ବିଶ୍ୱ ବ୍ୟାଙ୍କ ବି ନେଲା ବଡ଼ ପଦକ୍ଷେପ appeared first on Odisha Reporter.
from Odisha Reporter https://ift.tt/3gxZyHg
No comments:
Post a Comment