ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) OSSCର କୁବେର ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣାରେ ଭିଜିଲାନ୍ସ ତଦନ୍ତକୁ ଆହୁରି ଦୃଢ କରିଛି । ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ ମାମଲା ରୁଜୁ କରିଛି । ଟଙ୍କା ନେବା ଓ ରଖିବା ମାମଲାରେ ସହଯୋଗ କରିଥିବାରୁ ଏହି ମାମଲା ରୁଜୁ କରିଛି ଭିଜିଲାନ୍ସ। ଏହାସହ ବିରଞ୍ଚିଙ୍କ ଭୁବନେଶ୍ୱର ସ୍ଥିତ କୋଳଥିଆ ନିକଟରେ ଥିବା ଘରେ ଟଙ୍କା ଡିଲ୍ ନେଇ ଯାଂଚ କରାଯିବ। ଖୁବଶୀଘ୍ର ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି। ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ଆର. ପ୍ରକାଶ ସୂଚନା ଦେଇଛନ୍ତି । ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ । ଏହାସହ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟ ଦାମୀ ସାମଗ୍ରୀ ବି ଜବତ ହୋଇଥିଲା । ଚାକିରି କରାଇ ଦେବେ କହି ଆବେଦନକାରୀଙ୍କଠାରୁ ବିପୁଳ ଟଙ୍କା ଆଦାୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।
୧୯୯୭-୯୮ରେ ସବ୍ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିଥିବା ଜଣେ ଯୁବକ ବିରଞ୍ଚିଙ୍କ ଟଙ୍କା ଆଦାୟର ଚାଲ୍ ସଂପର୍କରେ କହିଛନ୍ତି । ସେ କହିଛନ୍ତି, ସେ ବର୍ଷ ପ୍ରାୟ ୮୦ ହଜାର ପିଲା ସବ୍ଇନ୍ସପେକ୍ଟର ଚାକିରି ପାଇଁ ଆବେଦନ କରିଥାନ୍ତି। ଯେଉଁ ପରୀକ୍ଷାର୍ଥ ପାସ୍ ହେଉଥିଲେ, ରେଜଲ୍ଟ ବାହାରିବା ପୂର୍ବରୁ ବିରଞ୍ଚିଙ୍କ ପାଖରେ ସେମାନଙ୍କ ତାଲିକା ପହଞ୍ଚି ଯାଉଥାଏ। ଆଉ ସେମାନଙ୍କୁ ଯୋଗାଯୋଗ କରି ବିରଞ୍ଚି ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ ଏବଂ ଆବେଦନକାରୀଙ୍କଠାରୁ ୫୦ରୁ ୬୦ ହଜାର ଟଙ୍କା ନେଉଥିଲେ। ଯୋଗ୍ୟତା ଆଧାରରେ ପିଲା ଚାକିରି ପାଉଥିଲେ ମଧ୍ୟ ଅଧ୍ୟକ୍ଷ, ସଦସ୍ୟଙ୍କୁ ଧରାଧରି କରି ସେ ଚାକିରି କରାଉଥିବା କହୁଥିଲେ।
The post କୁବେର ପିଏସ୍ ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/3ljxZ80
No comments:
Post a Comment