ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ପୂର୍ବରୁ ୧୦୦ ମିଟର ଦୌଡ଼ରେ ନିରାଶ କରିଥିବା ଦୂତୀ ଆଜି ୨୦୦ ମିଟର ଦୌଡ଼ରେ ମଧ୍ୟ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ୍-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି।
୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତି ୨୩.୮୫ ସେକେଣ୍ଡ ସମୟ ନେଇଥିଲେ, ଯାହା ତାଙ୍କର ନିଜର ଶ୍ରେଷ୍ଠ ଟାଇମିଂ ଠାରୁ ଅଧିକ ଥିଲା। ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ୨୩.୦୦ ସେକେଣ୍ଡ ରହିଛି। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସରେ ସେ ଏହି ଟାଇମିଂ ହାସଲ କରିଥିଲେ।
ଆଜି ୨୦୦ ମିଟରରେ ହିଟ୍-୪ରେ ଦୂତୀଙ୍କ ସହିତ ଆମେରିକାର ଗାବ୍ରିଏଲ୍ ଥୋମାସ୍, ନାମିବିଆର କ୍ରିଷ୍ଟାଇନ୍ ବୋମା, ବ୍ରାଜିଲର ଭିକ୍ଟୋରିଆ କ୍ରିଷ୍ଟିନା ରୋସା, ନାଇଜେରିଆର ଆମିନାଟୁ ସେୟନୀ ଓ ଜର୍ମାନୀର ଜେ.ବି ୱେସୋଲୀ, ଜାମ୍ବିଆର ରୋଡା ଜୋଭବୁ ଦୌଡ଼ିଥିଲେ। ସେମାନଙ୍କ ମଧ୍ୟରୁ କ୍ରିଷ୍ଟାଇନ୍ ବୋମା ୨୨.୧୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକାର ଗାବ୍ରିଏଲ୍ ଥୋମାସ୍ ୨୨.୨୦ ସେକେଣ୍ଡ ସହ ଦ୍ୱିତୀୟ ଓ ଆମିନାଟୁ ସେୟନୀ ୨୨.୭୨ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲେ। ହିଟ୍-୪ରୁ ଏହି ତିନି ଜଣ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।
ଏହା ପୂର୍ବରୁ ଦୂତୀ ଜୁଲାଇ ୩୦ ତାରିଖରେ ୧୦୦ ମିଟର୍ ଦୌଡ଼ରେ ହିଟ୍-୫ରେ ସପ୍ତମ ସ୍ଥାନରେ ଓ ମୋଟ ଉପରେ ୪୫ତମ ସ୍ଥାନରେ ରହିଥିଲେ। ୧୦୦ ମିଟରରେ ମଧ୍ୟ ସେ ନିଜ ରେକର୍ଡ ଠାରୁ ଖରାପ ପ୍ରଦର୍ଶନ କରିଥିଲେ। ୧୦୦ ମିଟରରେ ଦୂତୀଙ୍କ ନିଜସ୍ୱ ରେକର୍ଡ ୧୧.୧୭ ସେକେଣ୍ଡ ରହିଛି, ଯାହା ଏକ ଜାତୀୟ ରେକର୍ଡ ମଧ୍ୟ। କିନ୍ତୁ ଅଲିମ୍ପିକ୍ସରେ ସେ ଏହି ଦୂରତା ଅତିକ୍ରମ କରିବାକୁ ୧୧.୫୪ ସେକେଣ୍ଡ ନେଇଥିଲେ।
ଦେଶର ଏକମାତ୍ର ଆଥ୍ଲେଟ୍ ଭାବେ ଦୂତି ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟ (ଶହେ ଓ ୨ଶହ ମିଟର ଦୌଡ଼)ରେ ଭାଗ ନେଇଥିଲେ। ଟୋକିଓ ଅଲିମ୍ପିକ୍ସକୁ ତାଙ୍କୁ ୱାର୍ଲ୍ଡ ରାଙ୍କିଙ୍ଗ୍ କୋଟାରେ ଟିକେଟ୍ ମିଳିଥିଲା। ଏହି ଅଲିମ୍ପିକ୍ସରେ ସେ ପ୍ରଥମ ଥର ପାଇଁ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ। ଏହା ପୂର୍ବରୁ ସେ ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ।
The post ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ appeared first on Odisha Reporter.
from Odisha Reporter https://ift.tt/3A1pAu0
No comments:
Post a Comment