ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଏହି ପଦକ ଜିତିଛନ୍ତି। ଆଉ ଏହା ସହିତ ସେ ଇତିହାସ ରଚିଛନ୍ତି। ସ୍ୱାଧୀନ ଭାରତରେ ସେ ପ୍ରଥମ ଆଥ୍ଲେଟ୍ ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ଭାରତରୁ କେହି ବି ଆଥଲେଟିକ୍ସରେ ପଦକ ଜିତି ନଥିଲେ।
ଅଲିମ୍ପିକ୍ସରେ ଭାରତ ପାଇଁ ଇତିହାସ ରଚିଥିବା ନୀରଜ ଚୋପ୍ରା ଗୁପ୍ଚୁପ୍ ଖାଇବାକୁ ଭଲ ପାଆନ୍ତି। ଫିଟ୍ ରହିବା ପାଇଁ ସେ ଜଙ୍କ୍ ଫୁଡ୍ ଖାଆନ୍ତି ନାହିଁ। କିନ୍ତୁ ଗୁପ୍ଚୁପ୍ ଠାରୁ ନିଜକୁ ଦୂରେଇ ରଖିପାରନ୍ତି ନାହିଁ। ଇସ୍ପିଏନ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି କଥା କହିଥିଲେ।
ନୀରଜ କହିଥିଲେ, ମୁଁ ଭାବେ ଗୁପ୍ଚୁପ୍ ଖାଇଲେ କିଛି କ୍ଷତି ନାହିଁ। ଏଥିରେ ମୁଖ୍ୟତଃ ପାଣି ଥାଏ। ଏହାକୁ ଖାଇଲେ ମୁଖ୍ୟତଃ ପାଣିରେ ହିଁ ପେଟ ଭର୍ତ୍ତି ହୋଇଯାଏ। ଗୁପ୍ଚୁପ୍ରେ ବ୍ୟବହୃତ ହେଉଥିବା ପାପଡ଼ି ବଡ଼ ଦେଖାଯାଉଥିଲେ ମଧ୍ୟ ଏହା ଖୁବ୍ କମ୍ ମଇଦାରେ ପ୍ରସ୍ତୁତ ହୋଇଥାଏ।
ସେ ଆହୁରି କହିଥିଲେ, ଯଦି ଆପଣ ଭାବୁଛନ୍ତି ଅଧିକ ଗୁପ୍ଚୁପ୍ ଖାଇ ଦେଇଛନ୍ତି, ତା’ହେଲେ ବି କିଛି ଅସୁବିଧା ନାହିଁ। ଏଥିରେ ମୁଖ୍ୟତଃ ପାଣି ଯୋଗୁ ପେଟ ପୂରି ଯାଏ। ଅବଶ୍ୟ ସବୁଦିନେ ଗୁପ୍ଚୁପ୍ ଖାଇବାକୁ ମୁଁ ପରାମର୍ଶ ଦେବି ନାହିଁ। ଆଥ୍ଲେଟ୍ମାନେ କେବେ କେମିତି ଅଳ୍ପ ଗୁପ୍ଚୁପ୍ ଖାଇଲେ କିଛି କ୍ଷତି ହେବ ନାହିଁ।
ନୀରଜ ଘରେ ତିଆରି ଚୁରମା (ରୁଟି, ଚିନି ଓ ଘିଅରେ ପ୍ରସ୍ତୁତ ହୁଏ) ଖାଇବାକୁ ଭଲ ପାଆନ୍ତି। ସେଥିପାଇଁ ତାଙ୍କ ମା’ ଗତକାଲି କହିଥିଲେ ଯେ ପୁଅ ଫେରିଲେ ତାକୁ ତା’ର ମନ ପସନ୍ଦର ଚୁରମା ଖାଇବାକୁ ଦେବେ।
ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପୂର୍ବରୁ ଅନେକ ବିଶ୍ୱସ୍ତରୀୟ ଇଭେଣ୍ଟରେ ନିଜର ଜଲୱା ଦେଖାଇ ସାରିଛନ୍ତି ନୀରଜ। ୨୦୧୬ ଦକ୍ଷିଣ ଏସିଆ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୬ ଅଣ୍ଡର-୨୦ ଚାମ୍ପିୟନଶିପରେ ବି ସେ ସୁନା ଜିତିଥିଲେ। ଏଥିସହ ସେ ଜୁନିୟର ବର୍ଗରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ତେବେ ୨୦୧୬ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ ସେ। କିନ୍ତୁ ଏଥିରେ ଭାଙ୍ଗି ନପଡ଼ି ଅଭ୍ୟାସ ଜାରି ରଖିଥିଲେ। ୨୦୧୭ରେ ଏସିଆନ ଆଥଲେଟିକ ଚାମ୍ପିୟନଶିପ୍ରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୬.୪୭ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ନୂଆ ରେକର୍ଡ କରିଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତା’ପରେ ୨୦୧୮ ଏସିଆନ ଗେମ୍ସରେ ସେ ୮୮.୦୬ ମିଟର ଥ୍ରୋ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଗତକାଲି ସେ ସ୍ୱର୍ଣ୍ଣ ଜିତିଥିଲେ ହେଁ ତାଙ୍କ ଜାଭେଲିନ ୮୭.୫୮ ମିଟର ଦୂରତାକୁ ଯାଇଥିଲା।
The post ଗୁପ୍ଚୁପ୍ ଖାଇବାକୁ ଭଲ ପାଆନ୍ତି ନୀରଜ appeared first on Odisha Reporter.
from Odisha Reporter https://ift.tt/3ju8PRs
No comments:
Post a Comment