ନୂଆଦିଲ୍ଲୀ: ଦେଶର ୧୨ଟି ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦଗୁଡ଼ିକ ପାଇଁ ୬୮ ଜଣଙ୍କ ନାଁ ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଏପରି ରେକର୍ଡ ସଂଖ୍ୟକ ବିଚାରପତିଙ୍କ ନାଁରେ ମୋହର ମାରିଛନ୍ତି।
ଏକାଧିକ ହାଇକୋର୍ଟରେ ୫୦%ରୁ ଅଧିକ ବିଚାରପତି ପଦ ଖାଲି ପଡ଼ିଥିବାରୁ କଲେଜିୟମ ଏପରି ନିଷ୍ପତ୍ତି ନେଇଛନ୍ତି। ବିଚାରପତି ହେବାକୁ କଲେଜିୟମ ଯେଉଁ ୬୮ ଜଣଙ୍କ ନାଁରେ ମୋହର ମାରିଛନ୍ତି, ସେମାନଙ୍କ ମଧ୍ୟରେ ୪୪ ଜଣ ଆଇନଜୀବୀ ରହିଛନ୍ତି।
ପ୍ରଧାନ ବିଚାରପତିଙ୍କ ବ୍ୟତୀତ କଲେଜିୟମରେ ଥିବା ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଏଏମ ଖାନୱିଲକର ଦୀର୍ଘ ଦିନ ଧରି ୧୧୩ ଜଣଙ୍କ ନାଁ ଉପରେ ବିଚାରବିମର୍ଶ କରିଥିଲେ।
ଏହାପରେ ବିଚାରପତି ହେବାକୁ ସେମାନଙ୍କ ମଧ୍ୟରୁ ୬୮ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିଛନ୍ତି। ଆହ୍ଲାବାଦ, ରାଜସ୍ଥାନ, ପଶ୍ଚିମବଙ୍ଗ, ଝାରଖଣ୍ଡ, ଜମ୍ମୁ-କଶ୍ମୀର, ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକା, ପଞ୍ଜାବ ଓ ହରିଆଣା, କେରଳ, ଛତିଶଗଡ଼ ଓ ଆସାମ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦଗୁଡ଼ିକରେ ଏମାନେ ନିଯୁକ୍ତି ପାଇବେ।
୬୮ ଜଣଙ୍କ ମଧ୍ୟରୁ ୪୪ ଜଣ ଓକିଲ ଭାବେ କାର୍ଯ୍ୟ କରୁଥିବା ବେଳେ ୨୪ ଜଣ ଜିଲ୍ଲା ଜଜ୍ ରାଙ୍କର ବରିଷ୍ଠ ଜୁଡିସିଆଲ ଅଫିସର। ବର୍ତ୍ତମାନ ଦେଶର ବିଭିନ୍ନ ହାଇକୋର୍ଟରେ ୬୦ ଲକ୍ଷରୁ ଅଧିକ କେସ୍ ପେଣ୍ଡିଂ ହୋଇ ରହିଛି। ହାଇକୋର୍ଟର ବିଚାରପତି ପଦସଂଖ୍ୟା ୧୦୮୯ ହୋଇଥିବା ବେଳେ ଏବେ ପ୍ରାୟ ୪୩% ଅର୍ଥାତ ୪୬୫ଟି ପଦ ଖାଲି ପଡ଼ିଛି। ତେଣୁ କଲେଜିୟମ ଏକାଥରକେ ୬୮ ଜଣଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
The post ବିଚାରପତି ପଦ ପାଇଁ ରେକର୍ଡ ୬୮ ଜଣଙ୍କ ନାଁରେ ମୋହର ମାରିଲେ କଲେଜିୟମ appeared first on Odisha Reporter.
from Odisha Reporter https://ift.tt/3yDRgUJ
No comments:
Post a Comment