- ସୁଧୀର ମିଶ୍ର
ଅନେକ ଦିନ ତଳର କଥା। ଭାରତରେ ଦୁଇଟି ପ୍ରସିଦ୍ଧ ଗାଁ ଥିଲା।
ପ୍ରସିଦ୍ଧିର କାରଣ ଥିଲା ଦୁଇ ଗାଁରେ ଦୁଇଜଣ ମହା କୃପଣ ରହୁଥିଲେ। କୃପଣତାରେ ଅନ୍ୟ କେଉଁ ଗାଁର ଲୋକ କୋଉ ଗୁଣରେ ସେମାନଙ୍କ ସମକକ୍ଷ ନଥିଲେ।
ଧୀରେ ଧୀରେ ଗୋଟିଏ ଗାଁର କୃପଣର ଖ୍ୟାତି ବଢ଼ିବାକୁ ଲାଗିଲା। ପାଖଆଖ ସବୁ ଗାଁର ଲୋକ ସେଇ କୃପଣର ଗୁଣଗାନ କରିବାକୁ ଲାଗିଲେ। ପରିସ୍ଥିତି ଏମିତି ହେଲା, ଦ୍ଵିତୀୟ କୃପଣର ବରଦାସ୍ତ କରିବା ସୀମା ଟପିଗଲା। ଦ୍ଵିତୀୟ କୃପଣ ଭାବିଲା ପରୀକ୍ଷା କରି ଜାଣିବା ଦରକାର ମୋଠାରୁ କେଉଁ ଗୁଣରେ ସେ କୃପଣ ଅଧିକ।
ପରୀକ୍ଷା ପାଇଁ କୃପଣ ଗୋଟିଏ ଉପାୟ ଚିନ୍ତା କଲା। ଗୋଟିଏ କାଗଜରେ ଦୁଇଟି ଦୁଧିଆଳୀ ଗାଈ ଚିତ୍ର କରି ନିଜ ସବା ସାନ ପୁଅକୁ ଦେଲା ଓ କହିଲା, ଅମୁକ ଗାଁର ଅମୁକ ଲୋକ ପାଖକୁ ଯିବୁ। ପରିଚୟ ଦେବୁ। ମୁଁ ପଠାଉଥିବା ଏ ଭେଟି ସ୍ଵୀକାର କରିବାକୁ ଅନୁରୋଧ କରିବୁ।
କୃପଣ ବାପର କଥା ମାନି ପୁଅ ଗଲା। ତାଙ୍କ ଘରେ ପହଞ୍ଚିଲା। କିନ୍ତୁ ସେତେବେଳେ ଗୃହସ୍ଥ କୃପଣ ଘରେ ନଥିଲେ। କୌଣସି ଏକ ସଭାରେ ଭାଷଣ ଦେବାକୁ ଯାଇଥିଲେ। ତାଙ୍କ ପୁଅ ଏକଥା ଆସିଥିବା କୃପଣ ପୁଅକୁ କହିଲା। ଅନୁରୋଧ କଲା ଆଜି ଆମ ଘରେ ରହିଯାଆନ୍ତୁ। କାଲି ସକାଳେ ବାପା ଆସିଲେ ସାକ୍ଷାତ କରି ଯିବେ। ଏକ ତ ଉଭୟ କୃପଣ ପରିବାର। ତେଣୁ ଅନ୍ୟକୁ କେମିତି ବ୍ୟବହାର କରିବା କଥା ଉଭୟଙ୍କୁ ଭଲ ଭାବରେ ଜଣା। ତେଣୁ ଆଗନ୍ତୁକ କୃପଣର ପୁଅ କହିଲା ମୋର ଅନ୍ୟ କାମ ଅଛି। ପରେ କେବେ ଆସି ଦେଖା କରିବି। ହେଲେ ମୋ ବାପା ତୁମ ବାପାଙ୍କ ପାଇଁ କିଛି ଭେଟି ପଠାଇଥିଲେ। ସେତିକି ସ୍ଵୀକାର କରିନେଲେ ମୋତେ ଆନନ୍ଦ ମିଳନ୍ତା। ପଥଶ୍ରମ ଲାଘବ ହୁଅନ୍ତା। ଅନ୍ୟ କୃପଣର ପୁଅ ମଥା ହଲେଇ ସମ୍ମତ୍ତି ଜଣାଇବାରୁ ଆଗନ୍ତୁକ କୃପଣର ପୁଅ ନିଜ ମୁଣିରୁ ଗାଈ ଛବିର କାଗଜଟିକୁ ବଢାଇଦେଇ କହିଲା ମୋ ବାପା ତୁମ ବାପାଙ୍କ ପାଇଁ ଏ ଦୁଇଟି ଦୁଧିଆଳୀ ଗାଈ ପଠାଇଥିଲେ। ଦୟାକରି ଗ୍ରହଣ କର ଓ ତୁମ ବାପା ଆସିଲେ ଏକଥା ଜଣାଇଦେବାକୁ ଅନୁରୋଧ।
ଅନ୍ୟ କୃପଣର ପୁଅ କାଗଜଟିକୁ ଗ୍ରହଣ କରି କହିଲା, ଇଏ କେମିତି କଥା! ତୁମ ବାପା ମୋ ବାପାଙ୍କୁ କେତେ ଭଲ ପାଆନ୍ତି ସେକଥା ଏଇ ଗୋ ଦାନରୁ ମୁଁ ବୁଝିପାରୁଛି। ବାପା ଏ ଦାନରେ ବହୁତ ଖୁସି ହେବେ। ମୁଁ ଯଦି ପ୍ରତିବଦଳରେ କିଛି ନଦିଏ ତେବେ ତାଙ୍କ ମନ ଦୁଃଖ ହେବ,ମୋ ବୁଦ୍ଧି ବିବେକ ଉପରେ ବିରକ୍ତି ପ୍ରକାଶ କରିବେ। ତେଣୁ ମୋର ପ୍ରତିଦାନ ଗ୍ରହଣ କରିବା ପାଇଁ ତୁମ ମୁଣି ମୋ ସମ୍ମୁଖରେ ଖୋଲିରଖ।
ଆଗନ୍ତୁକ କୃପଣ ପୁଅ ମୁଣି ଖୋଲିଲା, ଅନ୍ୟ କୃପଣଟିର ପୁଅ ଶୂନ୍ୟରେ ଆମ୍ଵ ଚିତ୍ର କରେ, ଆଞ୍ଜୁଳା କରି ଆଣେ, ମୁଣିରେ ପୂରାଏ। ଏମିତି ଭାବରେ ସିଏ ଚାରି ଛଅ ଆମ୍ଵ ତା ମୁଣିରେ ଦେଇ ବିଦାୟ କରିଦେଲା।
ଆମ୍ଵ ମୁଣି କାନ୍ଧରେ ବୋହି ଫେରିବା ବାଟରେ ପ୍ରଥମ କୃପଣ ପୁଅ ଭାବିଲା, ମୋ ବାପା ତ କାଗଜ କାଳି ଖର୍ଚ୍ଚ କରି ଦାନ ଦେଇଥିଲେ। ଏ କୃପଣ ପୁଅତ ଶୂନ୍ୟରେ ଶୂନ୍ୟରେ ଦାନ ଦେଇ ଦେଲା। ତା ବାପ ତେବେ ମୋ ବାପା ଠାରୁ କେତେ ଅଧିକ କୃପଣ!
ସେପଟେ ପରଦିନ ସକାଳୁ କୃପଣ ପୁଅ ବାପ ହାତକୁ ଚିତ୍ର ଗାଈର ଫଟୋ ବଢ଼େଇ ସବୁକଥା ଟିକିନିଖି ଗାଇଗଲା। ସବୁ ଶୁଣିସାରି କୃପଣ ଠାଏ କରି ଗୋଟିଏ ଚଟକଣି ପୁଅ ଗାଲରେ ବସେଇ ଦେଇ କହିଲା, ଏତେ ବଡ଼ ବଡ଼ ଆମ୍ଵ ଦେବା କଣ ଦରକାର ଥିଲା!
ଏଇ ଗପ ପରି ଚାଲିଛି କେନ୍ଦ୍ର ରାଜ୍ୟ ସମ୍ପର୍କ। ଏଇ ଗପର ଧାରାରେ ଚାଲିଛି ରାଜ୍ୟ। ରାଜ୍ୟ ସରକାର କେତେବେଳେ କୋଉଠି, କୋଉ ଜିଲ୍ଲାକୁ କେତେ ଅନୁଦାନ ଦେଉଛନ୍ତି, ସେସବୁ ଅନୁଦାନ କେଉଁବାଟେ ଯାଉଛି, କେଉଁଠି, କେତେବେଳେ କେମିତି ଖର୍ଚ୍ଚ ହେଉଛି ସେକଥା କାହାକୁ ଜଣା ନାହିଁ। ଯେତେବେଳେ ଘୋଷଣା ହେଉଛି କୋଟି କୋଟିର। ପ୍ରକୃତରେ ସେଗୁଡ଼ିକ ସତ ଅନୁଦାନ ନା ଗପର ଗୋଦାନ ଓ ଆମ୍ଵଦାନ କହିବା ମୁସ୍କିଲ। ଗଣମାଧ୍ୟମ ହେଡଲାଇନ ଛାପି ସରକାରୀ ସହାୟତା ହାତେଇବାରେ ବ୍ୟସ୍ତ। ଲୋକ ହିସାବ କିତାବ ନପାଇ ଚା, ପାନ, ମଦ ଦୋକାନରେ ସରକାରଙ୍କୁ ଧନ୍ୟବାଦରେ ପୋତି ପକାଉଛନ୍ତି।
ବାରିପଦା
The post କୃପଣର ଦାନ appeared first on Odisha Reporter.
from Odisha Reporter https://ift.tt/3k4qVLv
No comments:
Post a Comment