ଟୋକିଓ: ଶନିବାର ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡ୍ମିଣ୍ଟନର ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତ ଆଜି ମିକ୍ସଡ୍ ଡବଲ୍ସ (ଏସ୍ଏଲ୍୩-ଏସ୍ୟୁ୫ ବର୍ଗ)ରେ ବ୍ରୋଞ୍ଜ ଲଢ଼େଇରେ ହାରି ଯାଇଛନ୍ତି।
ପଲକ କୋହଲିଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଜାପାନର ଡାଇସୁକ୍ ଫୁଜିହାରା ଓ ଅକିକୋ ସୁଗିନୋଙ୍କ ଠାରୁ ୨୩-୨୧ ଓ ୨୧-୧୯ରେ ପରାସ୍ତ ହୋଇଛନ୍ତି।
ପ୍ରମୋଦ ସିଙ୍ଗଲ୍ସରେ ଭଲ ପ୍ରଦର୍ଶନ କରିଥିବାରୁ ମିକ୍ସଡ ଇଭେଣ୍ଟରେ ତାଙ୍କ ଠାରୁ ଦମଦାର ପ୍ରଦର୍ଶନର ଆଶା କରାଯାଉଥିଲା। କିନ୍ତୁ ସେମିରେ ପ୍ରମୋଦ ଓ ପଲକ ଯୋଡ଼ିଙ୍କୁ ଇଣ୍ଡୋନେସିଆର ଏସ୍. ହ୍ୟାରୀ ଓ ରାତ୍ରୀ ଯୋଡ଼ି ପରାସ୍ତ କରି ଫାଇନାଲ୍କୁ ଯାଇଥିଲେ।
ଗତକାଲି ପୁରୁଷ ଏକକ ଏସ୍ଏଲ୍୩ ବର୍ଗର ଫାଇନାଲ୍ରେ ପ୍ରମୋଦ ବ୍ରିଟେନ୍ର ଡାନିଏଲ ବେଥେଲଙ୍କୁ ୨୧-୧୪ ଓ ୨୧-୧୭ ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତା’ସହିତ ପାରାଲିମ୍ପିକ୍ସରେ ବ୍ୟାଡ୍ମିଣ୍ଟନ୍ରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ହାସଲ କରିଥିଲେ।
ଭାରତ ମୋଟ ୧୯ଟି ପଦକ ସହିତ ତା’ର ଟୋକିଓ ପାରାଲିମ୍ପିକ୍ସ ଅଭିଯାନ ଶେଷ କରିଛି। ପାରାଲିମ୍ପିକ୍ସ ଇତିହାସରେ ଭାରତ କେବେ ବି ଏତେ ସଂଖ୍ୟ ପଦକ ଜିତି ନଥିଲା। ଏହି ପଦକ ଗୁଡ଼ିକ ମଧ୍ୟରୁ କେବଳ ବ୍ୟାଡ୍ମିଣ୍ଟନରେ ୪ଟି ପଦକ ରହିଛି। ପୁଣି ସେହି ୪ଟି ପଦକରୁ ୨ଟି ହେଉଛି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ। ସେହିଭଳି ଆଥ୍ଲେଟିକ୍ସରୁ ୮ଟି ପଦକ ଆସିଥିବା ବେଳେ ଶୁଟିଂରୁ ୫ଟି, ତୀରନ୍ଦାଜୀ ଓ ଟେବଲ ଟେନିସ୍ରୁ ଗୋଟିଏ ଲେଖାଏଁ ପଦକ ଆସିଛି।
ଦେଶକୁ ଫେରିବା ପରେ ପାରା ଆଥ୍ଲେଟ୍ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବର୍ଦ୍ଧିତ କରିବେ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ତା’ସହିତ ସେ କହିଛନ୍ତି, ୨୦୧୬ରେ ୧୯ ଜଣ ଆଥ୍ଲେଟ୍ଙ୍କୁ ପାରାଲିମ୍ପିକ୍ସକୁ ପଠାଇ ଥିଲୁ। କିନ୍ତୁ ଏଥର ୧୯ଟି ପଦକ ଜିତିଛୁ, ଯାହା ୨୦୧୬ ତୁଳନାରେ ପାଞ୍ଚଗୁଣା ସଫଳତା।
ସୂଚନାଯୋଗ୍ୟ, ୨୦୧୬ ପାରାଲିମ୍ପିକ୍ସରେ ମୋଟ ୪ଟି ପଦକ ଜିତିଥିଲା। ସେଥି ମଧ୍ୟରେ ୨ଟି ସ୍ୱର୍ଣ୍ଣ ସହିତ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଥିଲା।
The post ବ୍ରୋଞ୍ଜ ଲଢ଼େଇରେ ହାରିଗଲେ ପ୍ରମୋଦ-ପଲକ ଯୋଡ଼ି appeared first on Odisha Reporter.
from Odisha Reporter https://ift.tt/3kYxtdA
No comments:
Post a Comment