ନୂଆଦିଲ୍ଲୀ: ତିନିଟି ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ଅକ୍ଟୋବର ୩୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଭାରତର ମୁଖ୍ୟ ନିର୍ବାଚନ କମିଶନ ନିର୍ଘଣ୍ଟ ଜାରି କରିଛନ୍ତି। ନିର୍ଘଣ୍ଟ ଅନୁସାରେ ନଭେମ୍ବର ୨ ତାରିଖରେ ଏହି ଉପନିର୍ବାଚନର ଭୋଟ ଗଣତି ହେବ।
ମଙ୍ଗଳବାର ସେପ୍ଟେମ୍ବର ୨୮ ତାରିଖରେ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଘୋଷିତ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର ହରିଆନା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗର ୩୦ଟି ବିଧାନସଭା ଆସନ ଖାଲି ପଡ଼ିଛି। ଏଥିପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ହିମାଚଳ ପ୍ରଦେଶ ଓ ମଧ୍ୟ ପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନାଗର ହାବେଳି ଏବଂ ଦାମନ ଓ ଡିଉରେ ଖାଲିଥିବା ତିନିଟି ଲୋକସଭା ଆସନ ନିମନ୍ତେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ।
ଏହି ଉପନିର୍ବାଚନ ନିମନ୍ତେ ଅକ୍ଟୋବର ୧ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିଦିନଠାରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ଅକ୍ଟୋବର ୧୧ ତାରିଖ ଦିନ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଆସାମ, ବିହାର ଓ ପଶ୍ଚିମ ବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ଅକ୍ଟୋବର ୧୬ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଅନ୍ୟ ସବୁ ରାଜ୍ୟ ପାଇଁ ଅକ୍ଟୋବର ୧୩ ତାରିଖ ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀମାତ୍ର ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିପାରିବେ। ଅକ୍ଟୋବର ୩୦ ତାରିଖ ଦିନ ସମସ୍ତ ଆସନରେ ଭୋଟଗ୍ରହଣ ହେବ ଓ ନଭେମ୍ବର ୨ ତାରିଖରେ ଭୋଟ ଗଣତି ହେବ।
ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା କୋଭିଡ ନିର୍ଦ୍ଦେଶାବଳି ଅନୁସାରେ ଅନୁଷ୍ଠିତ ହେବ। ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଆଦି କୋଭିଡ ସଂକ୍ରାନ୍ତ ସମସ୍ତ ନିୟମ ମାନିବାକୁ ହେବ। ସେହିପରି ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ସମସ୍ତ ଅଧିକାରୀ ଦୁଇ ଡୋଜ ଯାକ କୋଭିଡ ଟୀକା ନେବା ଦରକାର ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଯେଉଁ ପ୍ରାର୍ଥୀ ବା ଦଳ କୋଭିଡ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କମିଶନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତାରକା ପ୍ରଚାରକ ଯଦି କୋଭିଡ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ଆଉ ପ୍ରଚାର କରିବାକୁ ଅନୁମତି ମିଳିବ ନାହିଁ। ପ୍ରାର୍ଥୀଙ୍କ ଡ୍ରାଇଭର, ପୋଲିଂ ଏଜେଣ୍ଟ, କାଉଣ୍ଟିଂ ଏଜେଣ୍ଟ ପ୍ରମୁଖ ଦୁଇ ଡୋଜ ଟୀକା ନେଇଥିବା ଦରକାର। ପ୍ରତି ବୁଥ୍ ପାଇଁ ଜଣେ ସ୍ୱାସ୍ଥ୍ୟ କର୍ମୀ କୋଭିଡ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଦାୟିତ୍ୱ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେମାନେ ନିର୍ବାଚନକୁ ହିଂସାମୁକ୍ତ ରଖିବାକୁ ସବୁ ପ୍ରକାର ବ୍ୟବସ୍ଥା କରିବେ ବୋଲି କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।
The post ଅକ୍ଟୋବର ୩୦ରେ ୩୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ଉପନିର୍ବାଚନ appeared first on Odisha Reporter.
from Odisha Reporter https://ift.tt/3kOBe6O
No comments:
Post a Comment