ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। ୨୫ ଓ ୨୬ ତାରିଖରେ କେହି ଛୁଟିରେ ରହିପାରିବେନି ବୋଲି ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଅଫିସରମାନେ ହେଡକ୍ୱାଟର୍ସରେ ରହିବେ। ବିନା ଅନୁମତିରେ କେହି ହେଡକ୍ୱାଟର୍ସ ଛାଡ଼ିବେ ନାହିଁ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବାତ୍ୟାକୁ ନେଇ ସମସ୍ତେ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିଛନ୍ତି ।
ସେ କହିଛନ୍ତି, ୨୬ ଓ ୨୭ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୫୦ରୁ ୬୦ କିମି ବେଗରେ ପବନ ବୋହିପାରେ। ଗତକାଲି ମଧ୍ୟ ୭୦ରୁ ୮୦ କିମି ବେଗରେ ପବନ ବହିପାରେ।
ଜିଲ୍ଲାପାଳ ଆହୁରି କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ଗତକାଲି ଆମେ ଏକ ବୈଠକ କରିଥିଲୁ। ଆଜି ମଧ୍ୟ ଏକ ବୈଠକ ହୋଇଥିଲା। ଏହା ମାଧ୍ୟମରେ ବ୍ଲକ୍ ସ୍ତରରେ ଟିମ୍ ଗଠନ କରାଯାଇଛି। ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓଙ୍କୁ ସଜାଗ କରାଯାଇଛି। ପାହାଡ଼ିଆ ଓ ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଏହା କ୍ଷୟକ୍ଷତିର ଆକଳନ ପାଇଁ ଟିମ୍ ଗଠନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ସୋନାପୁର ଓ ଗୋପାଳପୁର ବିଚ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମସ୍ତେ ସତର୍କ ଓ ସଚେତନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିବେଦନ କରିଛନ୍ତି।
The post ‘ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ’ appeared first on Odisha Reporter.
from Odisha Reporter https://ift.tt/3EPGf6O
No comments:
Post a Comment