ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଅବସରରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଇଥିଲେ ଏହି ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।
ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମଙ୍ଗଳବାର ଦିନ ସ୍ଥିତିକୁ ବିଚାର କରି ଜିଲ୍ଲାପାଳମାନେ ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ନା ବନ୍ଦ କରାଯିବା ଉଚିତ୍, ସେ ନିଷ୍ପତ୍ତି ନେବେ।
ଏସ୍ଆର୍ସି ଆହୁରି କହିଛନ୍ତି ଯେ ବାତ୍ୟା ଯୋଗୁ ଯେପରି କୌଣସି ସ୍ଥାନରେ ଗୋଟିଏ ବି ଜୀବନ ନଯାଏ, ସେଥିପ୍ରତି ପୂରା ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳ ଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ଜେନା କହିଛନ୍ତି, ବାତ୍ୟା ଜନିତ ସମସ୍ୟାର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସକାଳ ୮ଟା ସୁଦ୍ଧା ପ୍ରାୟ ୫୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆଜି ଅପରାହ୍ଣ ୪ଟା ବା ସାଢ଼େ ୪ଟା ସୁଦ୍ଧା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପ୍ରକ୍ରିୟାକୁ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବନ୍ୟା ସମ୍ଭାବନା ଥିବା ତଳିଆ ଅଞ୍ଚଳ, ଭୂସ୍ଖଳ ହେବାର ସମ୍ଭାବନା ଥିବା ଅଞ୍ଚଳ, କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ କୁହାଯାଇଛି।
The post ୧୧ଟି ଜିଲ୍ଲାରେ କାଲି ବନ୍ଦ ରହିବ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ appeared first on Odisha Reporter.
from Odisha Reporter https://ift.tt/3lXlj5n
No comments:
Post a Comment