ଅଗରତାଲା: ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଏବେ ନୂଆ ପ୍ରକାରର ସ୍ୱାଇନ୍ ଫ୍ଲୁ ଜ୍ୱର ବ୍ୟାପିବାରେ ଲାଗିଛି। ଏହାକୁ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଭାଇରସ କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ରହୁଥିବା ୮୭ଟି ଘୁଷୁରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହା ମଧ୍ୟରୁ ୩ଟି ନମୁନାରେ ନୂଆଧରଣର ଆଫ୍ରିକୀୟ ସ୍ୱାଇନ ଫ୍ଲୁ ଭାଇରସ ଠାବ ହୋଇଛି।
ଏହି ଘଟଣା ପରେ ସଂକ୍ରମଣ ଯେଉଁ ସ୍ଥାନରେ ବ୍ୟାପିଛି ତା’ ଠାରୁ ୧ କିମି ପରିଧି ମଧ୍ୟରେ ଥିବା ଶହଶହ ଘୁଷୁରୀଙ୍କୁ ମାରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିଛି ସ୍ଥାନରେ ଘୁଷୁରୀ ମରା ଅଭିଯାନ ଆରମ୍ଭ ହୋଇଛି।
ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ କେ ଶଶି କୁମାର କହିଛନ୍ତି ଯେ ଉତ୍ତର ତ୍ରିପୁରାର କାଞ୍ଚନପୁର ଉପଖଣ୍ଡ ଅଞ୍ଚଳରେ ନୂଆ ଧରଣର ସ୍ୱାଇନ ଫ୍ଲୁ ଭାଇରସ ଘୁଷୁରୀଙ୍କ ଶରୀରରୁ ମିଳିଛି। ଘୁଷୁରୀମାନଙ୍କ ନମୁନା ଗୌହାଟୀରେ ଥିବା NERDDL ଲ୍ୟାବକୁ ପରୀକ୍ଷା ପାଇଁ ପଠା ଯାଇଥିଲା।
ଏହି ସମୟରେ କିଛି ଘୁଷୁରୀଙ୍କ ନମୁନାରୁ ଆଫ୍ରିକୀୟ ସ୍ୱାଇନ ଫ୍ଲୁ ଭାଇରସ ଠାବ ହୋଇଛି। ତ୍ରିପୁରା ପୂର୍ବରୁ ମିଜୋରାମରେ ମଧ୍ୟ ଏପରି ଭାଇରସ ଠାବ ହୋଇଥିଲା। ସଂକ୍ରମଣ ଠାବ ହେବା ପରେ ସ୍ଥାନୀୟ ପ୍ରଶାସନ ଏହାକୁ ରୋକିବାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି।
ସଂକ୍ରମଣ ସ୍ଥଳରୁ ୧୦ କିମି ପରିଧି ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ଏଠାରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯାଇଛି। ସେହିପରି ସଂକ୍ରମଣ ବ୍ୟାପିଥିବା ଅଞ୍ଚଳର ୧ କିମି ପରିଧି ମଧ୍ୟରେ ରହିଥିବା ସମସ୍ତ ଘଷୁରୀମାନଙ୍କୁ ମାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅଞ୍ଚଳରୁ କୌଣସି ଘୁଷୁରୀଙ୍କୁ ଜୀବନ୍ତ କିମ୍ବା ମୃତ ଅବସ୍ଥାରେ ବାହାରକୁ ନିଆଯାଇ ପାରିବ ନାହିଁ। ଏହା ଉପରେ କଟକଣା ଲଗାଯାଇଛି ବୋଲି ସେ କହିଛନ୍ତି।
The post ସ୍ୱାଇନ ଫ୍ଲୁର ନୂଆ ରୂପ, ଘୁଷୁରୀ ମରା ଅଭିଯାନ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3tYBxih
No comments:
Post a Comment