ନୂଆଖାଇ ଜୁହାର ଭେଟ- ମଣିଷ ସଭ୍ୟତାର ଉଦ୍ଭାବନର ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

ନୂଆଖାଇ ଜୁହାର ଭେଟ- ମଣିଷ ସଭ୍ୟତାର ଉଦ୍ଭାବନର ଉତ୍ସବ

ତ୍ରିଜୀବ କୁମାର ନନ୍ଦ

ଓଡ଼ିଶାର ପଶ୍ଚିମାଞ୍ଚଳର ପ୍ରଧାନ ପର୍ବ ‘ନୂଆଖାଇ ଜୁହାର ଭେଟ’ ଆଦିମ କାଳରୁ ପ୍ରଚଳିତ। ଆକ୍ଷରିକ ଭାଷାର ଉଦ୍ଭାବନର ଅନେକ ପୂର୍ବରୁ ପ୍ରଚଳିତ ଏହି ପର୍ବର କୌଣସି ନିର୍ଦ୍ଦିଷ୍ଟ ଲିପିବଦ୍ଧ ରୀତିନୀତି ନାହିଁ। ବର୍ଷର ନୂଆ ଧାନ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇଥିଲେ ହେଁ ଆଜିକାଲି ଭାଦ୍ରବ ମାସରେ ଧାନ ଅମଳ ହୋଇପାରୁନାହିଁ। ପରିବାରରେ ଏକତ୍ରିତ ଭୋଜନ କରିବା ଓ ସାମାଜିକ ସ୍ତରରେ ଜୁହାର ଭେଟ ହେବାର ପ୍ରଥା କିନ୍ତୁ ଆଜି ମଧ୍ୟ ପ୍ରଚଳିତ। ମାଟିର କଳା ଓ ସଂସ୍କୃତିର ପରିବେଷଣ ମଧ୍ୟ ହେଉଛି। କାଳକ୍ରମେ ଏହି ଗଣପର୍ବର ମହତ୍ଵ ବଢିଛି ନା କମିଛି ତାହା ଅଞ୍ଚଳବାସୀ ଜାଣିଥିବେ। ଆଜିର ମଣିଷ ଜାତି କୃଷି କାମରୁ ଦୂରରେ ଯାଉଥିଲେ ହେଁ ଦୂର ଦୂରାନ୍ତରେ ରହୁଥିବା ପଶ୍ଚିମାଞ୍ଚଳର ଅଧିବାସୀମାନେ ନୂଆଖାଇ ପାଳିବା ପାଇଁ ନିଜର ଜନ୍ମମାଟିକୁ ଫେରି ଆସନ୍ତି।

ମାଟି ମା’ର ମମତାକୁ ଅଞ୍ଚଳବାସୀଙ୍କ ହୃଦୟରେ ଉଦ୍‌ଘାଟନ କରୁଥିବା ଏହି ପର୍ବର ମହତ୍ଵ ଅନନ୍ୟ। କାଳକ୍ରମେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ ନୂତନତାର ଆଗମନ ହୋଇଛି। ଶରୀରର କ୍ଷୁଧା ମେଣ୍ଟାଇବା ପାଇଁ ଆଦିବାସୀମାନେ କୃଷି କାମ କରି ଖାଦ୍ୟ ଉତ୍ପାଦନ ଏବଂ ସଂଗ୍ରହ କରୁଥିଲେ। ସେମାନେ ନୂତନ ଅନ୍ନର ଭୋଜନ ପୂର୍ବରୁ ଜଗତ ଜନନୀ ବସୁଧାର ପୂଜା କରୁଥିଲେ। ଆଜି ମଧ୍ୟ ଗ୍ରାମାଞ୍ଚଳର ଚାଷୀମାନେ ବିଲରେ ଭୂମି ପୂଜା କରନ୍ତି। ଗଡ଼ଜାତ ଶାସନ ସମୟରେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ କିଛି ନୂତନ ନିୟମ କାନୁନ ଲାଗୁହେଇଛି। ସେଗୁଡ଼ିକ କେତେ ଯୁକ୍ତି ଯୁକ୍ତ ତାହା ଅଞ୍ଚଳବାସୀ ବିଚାର କରିବେ। ଲେଖକଙ୍କ ଉଦ୍ଦେଶ୍ୟ ହେଲା ପଶ୍ଚିମାଞ୍ଚଳ ଆଦିବାସୀଙ୍କ ବିଶେଷ ଜ୍ଞାନରୁ ଜନ୍ମ ହୋଇଥିବା ନୂଆଖାଇ ଜୁହାର ଭେଟର ମହତ୍ଵକୁ ଅଞ୍ଚଳବାସୀଙ୍କ ହୃଦୟରେ ପୁନଃ ଉଦ୍‌ଘାଟନ କରିବା।

ପୁରାତନ ସଭ୍ୟତାର ପଦଚିହ୍ନଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ସୀମିତ ଜୀବ ଜଗତରେ ମଣିଷ ଜାତି ସର୍ବ ଶ୍ରେଷ୍ଠ। ସୃଷ୍ଟିର ବିଭିନ୍ନ ଗୁଣକୁ ଅନୁସରଣ କରି ଭାରତର ଆଦିବାସୀମାନେ ଆବଶ୍ୟକ ଅନୁସାରେ ଅନେକ ଆବିଷ୍କାର ଏବଂ ଉଦ୍ଭାବନ କରି ଅନ୍ୟ ଜୀବଜନ୍ତୁଠାରୁ ଭିନ୍ନ ଏକ ମଣିଷ ଜଗତ ସୃଷ୍ଟି  କରିପାରିଥିଲେ। ଭୂମିର ପ୍ରଜନନ ଗୁଣର ଆବିଷ୍କାର ଏବଂ ପରିବେଶର ସଠିକ ସମୀକ୍ଷା କରି ଭାରତର ଆଦିବାସୀମାନେ ଚାଷର ଉଦ୍ଭାବନ କରିଥିଲେ। ଚାଷ ଦ୍ଵାରା ଖାଦ୍ୟ ଉତ୍ପାଦନ କରି ଆଦିବାସୀମାନେ ଆତ୍ମନିର୍ଭର ହେଲେ ଏବଂ ସମତଳ, ଉପକୂଳ, ପାହାଡ଼ୀ, ମରୁଭୁମି ଆଦି ବିଭିନ୍ନ ପରିବେଶରେ ବସବାସ କରି ବିଭିନ୍ନତାର ବିଚିତ୍ର ଏକ ସଭ୍ୟତା ଗଠନ କରିଥିଲେ। ପଶ୍ଚିମାଞ୍ଚଳ ସମତଳ ଭୂମି ଧାନ ଚାଷ ପାଇଁ ଅନୁକୂଳ। ଚାଷ ପାଇଁ ଯାଯାବର ମଣିଷ ଜାତି ସ୍ଥାୟୀ ବସତି ସ୍ଥାପନ କଲା। କାଳକ୍ରମେ ଭାବର ଆଦାନ ପ୍ରଦାନ ପାଇଁ ଭାଷାର ଉଦ୍ଭାବନରୁ ଆରମ୍ଭ କରି ବସ୍ତ୍ର, ବାସଗୃହ ତଥା ପରିବେଶର ଅବସ୍ଥିତି ଅନୁସାରେ ଅନୁକୂଳ ଜୀବନ ଶୈଳୀ ଓ ସଂସ୍କୃତିର ଉଦ୍ଭାବନ କରିପାରିଲା। ଆଦିବାସୀଙ୍କ ଅମଳରୁ ପ୍ରଚଳିତ ନୂଆଖାଇ ପର୍ବ ପଶ୍ଚିମାଞ୍ଚଳର ପୁରାତନ ସଭ୍ୟତାର ପଦଚିହ୍ନ।

ଏକତା ଓ ଉଦାରତା ର ପ୍ରତୀକ:  ଆଜିର ମଣିଷ ଜାତି, ବର୍ଣ୍ଣ, ଧର୍ମ, କର୍ମ ଆଦି ବିଭିନ୍ନ ପ୍ରକାରେ ବିଭାଜିତ। ସୃଷ୍ଟିର ଆରମ୍ଭରୁ ଜାତ ଆଦିବାସୀ ସଭ୍ୟତା ଏକତାର ପ୍ରତୀକ। ଏକତ୍ରିତ ବସବାସ କରି ସେମାନେ ଉନ୍ନତିର ଶିଖରକୁ ପହଞ୍ଚି ପାରିଥିଲେ। ବିଭିନ୍ନତା ନିର୍ବିଶେଷରେ ପଶ୍ଚିମାଞ୍ଚଳର ପ୍ରତ୍ୟକ ବ୍ୟକ୍ତି ନୂଆଖାଇ ପର୍ବ ପାଳନ କରିବା ଏହି ମାଟିର ପୂର୍ବପୁରୁଷଙ୍କ ଏକ ଅମୂଲ୍ୟ ଅବଦାନ। ନୂତନ ଅନ୍ନର ଭୋଜନ ପରେ ପାଖ ପଡ଼ିଶା ତଥା ଅଖପାଖରେ ରହୁଥିବା ଲୋକଙ୍କ ସହ ଜୁହାର ଭେଟ କରିବା ଏହି ପର୍ବର ଅଭିନ୍ନ ଅଂଶ। ଏକତାର ମୂଲ୍ୟକୁ ହୃଦୟଙ୍ଗମ କରିଥିବା ଏହି ଅଞ୍ଚଳର ଅଧିବାସୀ ଉଦାରବାଦୀ ଥିଲେ। ରାଗ ଅହଂକାରରୁ ଜାତ ପୂର୍ବ ଶତ୍ରୁତାକୁ ଜୁହାର ଭେଟରେ ସମାପ୍ତ କରି ମିତ୍ରତାର ସମ୍ପର୍କ ପୁନଃସ୍ଥାପନ କରୁଥିଲେ। ବୁଝାମଣା ଦ୍ୱାରା ମତାନ୍ତରରୁ ଜାତ ମକଦ୍ଦମାର ସମାଧାନ ଆଧୁନିକ ଯୁଗର ଉନ୍ନତ ଆଇନ ବ୍ୟବସ୍ଥାରେ ମଧ୍ୟ ଆଜି ସ୍ୱାଗତଯୋଗ୍ୟ।

ସାଙ୍କେତିକ ହେଲେ ମଧ୍ୟ ନୂଆଖାଇ ପାଳନରେ ପଶ୍ଚିମାଞ୍ଚଳରେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ। ବିଭିନ୍ନ ବିଭାଜକ ତତ୍ତ୍ୱର ଶିକାର ହୋଇ ମନାନ୍ତର ଯୋଗୁଁ ମିଳାମିଶା ହେଉ ନଥିବା ପରିବାର ମଧ୍ୟ ନୂଆଖାଇ ହସ ଉଲ୍ଲାସର ସହ ପାଳନ କରିଥାନ୍ତି। ସେପଟେ ବିଭିନ୍ନ ପ୍ରାନ୍ତରେ ଭିନ୍ନ ପରିସ୍ଥିତିରେ ଅବସ୍ଥିତ ପ୍ରବାସୀମାନେ ନୂଆଖାଇରେ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। ଏପଟେ ପରିବାରର ଜଣେ ବି ସଦସ୍ୟ ଅନୁପସ୍ଥିତ ରହିଲେ ସମ୍ପୂର୍ଣ୍ଣ ପରିବାର ନୂଆ ଖାଏ ନାହିଁ। ଗ୍ରାମାଞ୍ଚଳରେ ଆଜି ମଧ୍ୟ ଜୁହାର ଭେଟ ଜରିଆରେ ଅନେକ ସମ୍ପର୍କର ପୁନଃ ସ୍ଥାପନ ହୋଇଥାଏ।

ଭାରତର ବିଜ୍ଞାନମୟ ଇତିହାସର ପରିଚୟ: ବିଭିନ୍ନତାରେ ଏକତାର ଅଳଙ୍କାରରେ ଭୂଷିତ ଭାରତବର୍ଷର ବିଚିତ୍ର ସଭ୍ୟତାର ଗଠନ ବୈଜ୍ଞାନିକ ବିଚାରଧାରା ଦ୍ୱାରା ପ୍ରଭାବିତ। ନୂଆଖାଇ ଭଳି ପୋଙ୍ଗଲ, ବୈଶାଖୀ, ଲୋହରି, ଓନାମ, ବିହୁ, ଉଗାଡ଼ି ଆଦି କୃଷିଭିତ୍ତିକ ପର୍ବ ଦେଶର ବିଭିନ୍ନ ପ୍ରାନ୍ତରେ ପାଳନ ହୋଇଥାଏ। ଭିନ୍ନ ତାପମାତ୍ରା ଏବଂ ଆର୍ଦ୍ରତା ତଥା ଜଳର ଅବସ୍ଥିତି ଅନୁସାରେ ଭାରତର ବିଭିନ୍ନ ପ୍ରାନ୍ତର ଖାଦ୍ୟ ପାନୀୟ ଭିନ୍ନ। ଆଦିବାସୀମାନେ ପ୍ରାକୃତିକ ଅବସ୍ଥିତି ଅନୁସାରେ ଖାଦ୍ୟ ପଦାର୍ଥର ଉଦ୍ଭାବନ କରିଥିଲେ।  ଉଦାହରଣ ସ୍ଵରୂପ ଓଡ଼ିଶାର ପଶ୍ଚିମାଞ୍ଚଳର ତାପମାତ୍ରା, ଆର୍ଦ୍ରତା ଓ ଜଳବାୟୁ ଆଦି ଜନବସତି ପାଇଁ ଅତି ଅନୁକୂଳ ଏବଂ ଖଣିଜ ପଦାର୍ଥରେ ପୂର୍ଣ୍ଣ ଏହି ଅଞ୍ଚଳର ଜଳ ଶରୀର ପାଇଁ ଉପଯୋଗୀ ହୋଇଥିବାରୁ ଅଞ୍ଚଳବାସୀ ଭାତ ସହ ଖୁବ କମ ରାଗ, ଲୁଣ, ମସଲା ଯୁକ୍ତ ଖାଦ୍ୟ ଖାଇଥାନ୍ତି। ସେପଟେ ଉପକୂଳ ଅଞ୍ଚଳରେ ଆର୍ଦ୍ରତା ବେଶୀ ରହୁଥିବାରୁ ଖାଦ୍ୟ ପାନୀୟରେ ଲୁଣର ପରିମାଣ ବେଶୀ ଥାଏ ଏବଂ ଆବଶ୍ୟକତା ଅନୁସାରେ ନଡ଼ିଆ ଆଦିର ଚାଷ ହୋଇଥାଏ। ସେହିପରି ମରୁଭୂମି ଏବଂ ପାହାଡ଼ୀ ଅଞ୍ଚଳର ଖାଦ୍ୟ ପାନୀୟ ଭିନ୍ନ। ଖାଦ୍ୟ ଭଳି ଭାଷା, ବସ୍ତ୍ର ଏବଂ ଜୀବନଶୈଳୀ ମଧ୍ୟ ଭିନ୍ନ। କିନ୍ତୁ ପରିବେଶ ଅନୁସାରେ ଅନୁକୂଳ।

ପାଶ୍ଚାତ୍ୟ ସଭ୍ୟତାରେ ଆଦି ମାନବକୁ ଅନୁନ୍ନତ ଘୋଷଣା କରିଥିବା ବେଳେ ଭାରତର ଆଦିବାସୀ ବିଶେଷ ଜ୍ଞାନର ସଦୁପଯୋଗ ଦ୍ୱାରା ଖାଦ୍ୟ, ବସ୍ତ୍ର, ବାସଗୃହ ସହ ମଣିଷ ସମାଜର ସୌନ୍ଦର୍ଯ୍ୟର ପ୍ରତୀକ ଭାଷାର ଉଦ୍ଭାବନ କରିବାରେ ସକ୍ଷମ ହୋଇଥିଲେ। ଆଦିବାସୀମାନେ ବିଶେଷ ଜ୍ଞାନର ବ୍ୟବହାର କରି ଅନେକ ସୁନ୍ଦର ସଭ୍ୟତା ଗଠନ କରିପାରିଥିଲେ। ଆଜିର ବୈଜ୍ଞାନିକ ବିଚାରଧାରା ଲାଭକ୍ଷତିର ଆକଳନର ଦାସ। ବିଜ୍ଞାନକୁ ଲାଭକ୍ଷତିର ନିକିତିରେ ରଖି ଆଜିର ମଣିଷ ଜାତି ଏକ ସ୍ଵାର୍ଥୀ ସଭ୍ୟତା ଆଡ଼କୁ ଗତି କରୁନାହିଁ ତ? ପାଶ୍ଚାତ୍ୟ ଜୀବନଶୈଳୀରେ ପ୍ରଭାବିତ ଆଜିର ଯୁବ ଏବଂ ବୟସ୍କ ସମାଜକୁ ଏହି ଭୂମିର ସୁପୁତ୍ର ଓଡ଼ିଆ ଭାଷା ସାହିତ୍ୟରେ ସ୍ଵଭାବ କବି ରୂପେ ପରିଚିତ ଗଙ୍ଗାଧର ମେହେରଙ୍କ ନିମ୍ନ ଲିଖିତ ମହତ ବାଣୀ ସହ ନୂଆଖାଇର ଜୁହାର!

‘ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ?’

ସିଭିଲ କୋଟ, ବରପାଲି

ମୋ- ୯୬୫୮୮୮୯୩୪୫

The post ନୂଆଖାଇ ଜୁହାର ଭେଟ- ମଣିଷ ସଭ୍ୟତାର ଉଦ୍ଭାବନର ଉତ୍ସବ appeared first on Odisha Reporter.



from Odisha Reporter https://ift.tt/2X8eV2z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages