ଟୋକିଓ: ଇତିହାସ ରଚିଛନ୍ତି ଆଇଏଏସ୍ ଅଫିସର ସୁହାସ ୟାଥିରାଜ। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସେ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଜିତିଛନ୍ତି ପଦକ। ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସେ ଜିତିଛନ୍ତି ରୌପ୍ୟ ପଦକ।
ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍ ମ୍ୟାଚ୍ରେ ଟପ୍ ସିଡ୍ ତଥା ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି। ସେ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥଲେ।
ସେମି ଫାଇନାଲ୍ରେ ସୁହାସ ଇଣ୍ଡୋନେସିଆର ଫ୍ରେଡି ସେତିୱାନଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ ଓ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ।
ଟୋକିଓ ପାରାଲିମ୍ପିକ୍ସରେ କେବଳ ବ୍ୟାଡ୍ମିଣ୍ଟନରେ ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ପଦକ ଜିତି ସାରିଛି। ପୁରୁଷ ଏକକ ଏସ୍ଏଲ୍ ୪ ବର୍ଗରେ ସୁହାସ ରୌପ୍ୟ ପଦକ ଜିତିଥିବା ବେଳେ ଗତକାଲି ଓଡ଼ିଆ ପୁଅ ପ୍ରମୋଦ ଭଗତ ଏସ୍ଏଲ୍ ୩ ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ମନୋଜ ସରକାର ବ୍ରୋଞ୍ଜ ପଦକ ଜିତିଥିଲେ। ଅନ୍ୟପକ୍ଷରେ ଭାରତ ବର୍ତ୍ତମାନ ସୁଦ୍ଧା ୧୮ଟି ପଦକ ଜିତି ସାରିଲାଣି। ଏଥିମଧ୍ୟରେ ରହିଛି ୪ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ।
ସୁହାସଙ୍କ ଘର କର୍ଣ୍ଣାଟକାରେ। ଇଞ୍ଜିନିୟରିଂ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବା ବେଳେ ଏବେ ସେଠାକାର ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୬ରେ ଆଜମଗଡ଼ର ଜିଲ୍ଲାପାଳ ଥିବା ବେଳେ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ବିଷୟରେ ଏକ ମଜାଦାର କଥା ରହିଛି। ୨୦୧୬ରେ ଆଜମଗଡ଼ ଜିଲ୍ଲାପାଳ ଥିବା ବେଳେ ତାଙ୍କୁ ଏକ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି କରି ନିମନ୍ତ୍ରଣ କରାଯାଇଥିଲା। ତେବେ ମୁଖ୍ୟ ଅତିଥି ହେବା ବଦଳରେ ସେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଚାହିଁଥିଲେ ଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପାରାଲିମ୍ପିକ୍ସରେ ଏହି ସଫଳତା ପାଇଁ ସୁହାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
The post ଇତିହାସ ରଚିଲେ ଯୁବ ଆଇଏଏସ୍ ଅଫିସର, ପାରାଲିମ୍ପିକ୍ସରେ ଜିତିଲେ ପଦକ appeared first on Odisha Reporter.
from Odisha Reporter https://ift.tt/3ttxbj3
No comments:
Post a Comment