ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ ସ୍କୁଲରୁ ୩୪ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖବର ପ୍ରଚାରିତ ହେବା ପରେ ଅଭିଭାବକମାନେ ଆଶଙ୍କିତ ହୋଇ ପଡ଼ିଛନ୍ତି। ହେଲେ ସ୍କୁଲ ଖୋଲାଯିବା ଦିନଠୁ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ଏନେଇ ସେ କହିଛନ୍ତି, କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, ସେମାନଙ୍କ ମଧ୍ୟରୁ କେତେ ଜଣ ଗୁରୁତର ଅଛନ୍ତି ଦେଖିବାକୁ ପଡ଼ିବ। ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅଲଗା ବାଟ ନାହିଁ । ଯଦି ଶିଶୁଙ୍କ ପାଖରେ ଲକ୍ଷଣ ରହୁଛି ସ୍କୁଲ ନ ଆସିବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ଅଛି ସେମାନେ ଘରେ ରୁହନ୍ତୁ। ଅଭିଭାବକ ସେମାନଙ୍କ ଯତ୍ନ ନିଅନ୍ତୁ। ସବୁବେଳେ ଆମ ଉପରେ ବିପଦ ରହିଛି। ତେଣୁ ଆମେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର।
ICUରେ ୦.୨% ଶିଶୁ ଚିକିତ୍ସାଧୀନ ଥିବା ବେଳେ ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ, ଟ୍ୱିନ୍ସିଟିରେ ଆର୍ ଭ୍ୟାଲୁ ୧ ପ୍ରତିଶତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ପିଲାମାନେ କରୋନା କଟକଣା କଡ଼ାକଡ଼ି ପାଳନ କରିବା କଷ୍ଟକର। ସେମାନଙ୍କୁ ଶିକ୍ଷକ ତଥା ଅଭିଭାବକ ଏଥିନିମନ୍ତେ ପରାମର୍ଶ ଦେବା ଉଚିତ। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବାକୁ ସବୁବେଳେ ଚେତାଇ ଦେବା ଉଚିତ। ପରିସ୍ଥିତି ବିଗିଡ଼ିଲେ ସ୍କୁଲ ବନ୍ଦ ହେବ। ପିଲାଙ୍କ ଭବିଷ୍ୟତ ପାଇଁ ଅଭିଭାବକ ଓ ଶିକ୍ଷକ ଯତ୍ନବାନ ହେବା ଉଚିତ।
ଏଥିସହ ସେ କହିଛନ୍ତି, ପିଲାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରାଥମିକ ଦାୟିତ୍ୱ ହେଉଛି ଅଭିଭାବକଙ୍କର। ସେମାନେ କିଛି ଲୁଚାଇବା କଥା ନୁହେଁ। ପିଲାଙ୍କ କାଶ, କଫ, ଥଣ୍ଡା ହେଲେ ତୁରନ୍ତ ଜଣାନ୍ତୁ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।
ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ଅଛି । ବହୁ ଜାଗାରେ ଅକ୍ସିଜେନ ପ୍ଲାଟ କାମ ଚାଲିଛି। ତୃତୀୟ ଲହର ଆସିଲେ ତାହାର ମୁକାବିଲା କରିହେବ।
ସୂଚନାଯୋଗ୍ୟ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲର କେବଳ ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଶିକ୍ଷକ ଓ ଜଣେ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି।
The post ‘ପିଲାଙ୍କ ସୁରକ୍ଷା ଅଭିଭାବକଙ୍କ ଦାୟିତ୍ୱ, କିଛି ଲୁଚାନ୍ତୁ ନାହିଁ’ appeared first on Odisha Reporter.
from Odisha Reporter https://ift.tt/2WTxlEv
No comments:
Post a Comment