ଇଏ କି ବିକାଶ; ତାର ଟାଣି ନଦୀ ପାର ହେଉଛନ୍ତି ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ଇଏ କି ବିକାଶ; ତାର ଟାଣି ନଦୀ ପାର ହେଉଛନ୍ତି ଲୋକେ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତ ଦେଇ ଯାଇଛି ବଗାଡ଼ି ନଦୀ। ଆଉ ବଗାଡ଼ି ନଦୀ ଉପରେ ପୋଲଟିଏ ନଥିବାରୁ ହଇରାଣ ହେଉଛନ୍ତି ବୁଞ୍ଜିବାଡ଼ି ପଞ୍ଚାୟତର ବଗାଡ଼ି, ବଦାଲୀ, ଶ୍ରକପାଙ୍ଗା, ମିନାମିଲୁ, ମାଦୀରାହା, ପୁଡ୍ରିପଡ଼ା, ସୁଗାମାହା ଏବଂ ବଣ୍ଡିସପଦ ଗାଁର ପ୍ରାୟ ୧୦୦୦ରୁ ଅଧିକ ଲୋକ। ଏହି ଗାଁ ଗୁଡ଼ିକୁ ପାହାଡ଼ ପର୍ବତ ଘେରି ରହିଥିବାରୁ ଗ୍ରାମବାସୀମାନେ ବଗାଡ଼ି ନଦୀ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ମୁଖ୍ୟ ରାସ୍ତାକୁ ଆସିଥା’ନ୍ତି । ମୁଖ୍ୟ ରାସ୍ତାକୁ ବାହାରିବା ପାଇଁ ଅନ୍ୟ ଏକ ରାସ୍ତା ରହିଛି। କିନ୍ତୁ ତାହା ଦୂର ହେଉଥିବାରୁ ଗ୍ରାମବାସୀମାନେ ଯିବା ଆସିବା କରିବା ପାଇଁ ଏହି ନଦୀକୁ ବ୍ୟବହାର କରନ୍ତି।

ଏହି ନଦୀ ଉପରେ ପୋଲ ନାହିଁ। ଖରା ଓ ଶୀତ ଦିନ କଥା ଅଲଗା। କିନ୍ତୁ ବର୍ଷା ଦିନେ ଏ ସବୁ ଗାଁର ଲୋକେ ଭାରି ହଇରାଣ ହୁଅନ୍ତି। ସେମାନେ ପାଣିରେ ପଶି ନଦୀ ପାର ହୁଅନ୍ତି। ବର୍ଷା ଦିନେ ସେମାନେ ୩୦/୪୦ ଫୁଟରୁ ଅଧିକ ଏହି ଚଉଡ଼ା ନଦୀର ଦୁଇ ପାର୍ଶ୍ଵରେ ଥିବା ଗଛରେ ଏକ ତାର ବାନ୍ଧି ଦିଅନ୍ତି। ଆଉ ସେହି ତାରକୁ ଧରି ବିପଦ ସଙ୍କୁଳ ଭାବେ ନଦୀ ପାର ହୋଇଥା’ନ୍ତି। ବନ୍ୟା କିମ୍ଭା ବଢ଼ି ପାଣି ଆସିଲେ ନଦୀ ଫୁଲି ଉଠେ। ସେତେବେଳେ ଗ୍ରାମବାସୀମାନେ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥାନ୍ତି। ଅତି ଜରୁରୀ କାମ ପଡ଼ିଲେ ସେହି ତାର ସାହାଯ୍ୟରେ ନଦୀ ପାର ହୋଇଥା’ନ୍ତି ।

ତାର ଧରି ନଦୀ ପାର ହେଉଛନ୍ତି ଜଣେ ବ୍ୟକ୍ତି।

ନଦୀର ଆରପାଖରେ ସ୍କୁଲ ,କଲେଜ, ଡାକ୍ତରଖାନା ଓ ପାଞ୍ଚୟତ ଅଫିସ ରହିଛି। ତେଣୁ ବୃଦ୍ଧବୃଦ୍ଧାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତେ ବିପଦସଙ୍କୁଳ ଭାବେ ନଦୀ ପାର ହୋଇ ଯିବାଆସିବା କରିଥା’ନ୍ତି।

ବର୍ଷ ବର୍ଷ ଧରି ଏହି ୮ଖଣ୍ଡ ଗାଁର ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ହେଲେ ଆଜି ଯାଏ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନେତା ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଗାଁ ଲୋକେ ବିଡିଓ, ଜିଲ୍ଲାପାଳ, ବିଧାୟକ ତଥା ସାଂସଦଙ୍କ ନିକଟରେ ଅନେକ ଥର ଦାବି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପୋଲଟିଏ ତିଆରି ହୋଇପାରି ନାହିଁ।

ତାର ଧରି ବଗାଡ଼ି ନଦୀ ପାର ହେଉଛନ୍ତି ଜଣେ ବୃଦ୍ଧ।

ଗ୍ରାମବାସୀ ଭୂତେଶ୍ଵର ବୁର୍ଗୀ କହିଛନ୍ତି, ନଦୀରେ ପୋଲ ନ ଥିବାରୁ ବହୁତ ହଇରାଣରେ ଯିବାଆସିବା କରୁଛୁ। ପିଲାମାନେ ପାଠପଢ଼ିବା ପାଇଁ ବହୁତ ଅସୁବିଧାରେ ନଦୀ ପାର ହୋଇ ଯାଉଛନ୍ତି। ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ। ରୋଗୀମାନେ ଡାକ୍ତରଖାନା ନ ଯାଇ ପାରି ମରିଯାଉଛନ୍ତି।

ଆଶା କର୍ମୀ ପ୍ରିୟତମା ପ୍ରଧାନ କହିଛନ୍ତି, ବଗାଡ଼ି ନଦୀରେ ପୋଲ ନଥିବାରୁ  ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ପାଠପଢ଼ିବାକୁ ଆସିବାରେ ହଇରାଣ ହେଉଛନ୍ତି। ଗର୍ଭବତୀ ମହିଳାଙ୍କୁ ଟିକା ଦେବା ପାଇଁ  ନଦୀ ପାର ହୋଇ ଯିବାକୁ ଆମମାନଙ୍କୁ ଅସୁବିଧା ହେଉଛି।  ଗର୍ଭବତୀ ମହିଳାମାନଙ୍କୁ ଠିକ୍ ସମୟରେ ଡାକ୍ତରଖାନା ମଧ୍ୟ ନିଆଯାଇପାରୁନି।

ପୋଲ ନାହିଁ, ତେଣୁ ପାଣିରେ ପଶି ନଦୀ ପାର ହେଉଛନ୍ତି ଲୋକେ।

କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର କହିଛନ୍ତି, ବଗାଡ଼ି ନଦୀ ଉପରେ ଏକ  ବଡ଼ ପୋଲ ତିଆରି ହେବ। ସେଥିପାଇଁ  ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପୋଲ ତିଆରି କରିବା ପାଇଁ ପ୍ରୋପଜାଲ୍‌ ପ୍ରସ୍ତୁତ କରି ରଖିଛୁ। ଏହାସହିତ ଜିଲ୍ଲା ଗସ୍ତରେ ଆସିଥିବା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଏହି ବିଷୟରେ ଜଣାଇଛୁ। ପଞ୍ଚାୟତରାଜ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ବିଷୟରେ କୁହାଯାଇଛି। ଖୁବଶୀଘ୍ର ଏହି ନଦୀ ଉପରେ ପୋଲ ନିର୍ମାଣ କରାଯିବ।

The post ଇଏ କି ବିକାଶ; ତାର ଟାଣି ନଦୀ ପାର ହେଉଛନ୍ତି ଲୋକେ appeared first on Odisha Reporter.



from Odisha Reporter https://ift.tt/3tm4u7z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages