କଟକ(ଓଡ଼ିଶା ରିପୋର୍ଟର): ବିଧାନସଭା ସମ୍ମୁଖରେ ଜଗତସିଂହପୁର ଜିଲ୍ଲାର ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଗତକାଲି ଏସସିବି ଜରୁରୀକାଳୀନ ଅଧିକାରୀ ଦେଇଥିବା ସ୍ପଷ୍ଟୀକରଣକୁ ଦୋହରାଇଛନ୍ତି ଏସସିବି କର୍ତ୍ତୃପକ୍ଷ । ଏସସିବିର ୭ ଜଣିଆ ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ସରକାରଙ୍କୁ ଗତକାଲି ଏ ସମ୍ପର୍କୀତ ରିପୋର୍ଟ ପ୍ରଦାନ କରିଛନ୍ତି। ଏସସିବିର ତ୍ରୁଟିପୂର୍ଣ୍ଣ ଚିକିତ୍ସା ତଥା ଡାକ୍ତରଙ୍କ ଅବହେଳା ଯୋଗୁ ସେ ଆତ୍ମହତ୍ୟା କରୁଥିବା ଦୁଷ୍ମନ୍ତ ମୃତ୍ୟୁ ପୂର୍ବରୁ କହିଥିବା ବେଳେ ଏହାକୁ ରିପୋର୍ଟରେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି।
ଏସସିବି ମେଡିକାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି, ୨୦୨୦ ମସିହାରେ ଦୁଷ୍ମନ୍ତ ଦୁର୍ଘଟଣାର ଶିକାର ହୋଇ କଟକ ବଡ଼ ମେଡ଼ିକାଲ ଆସିଥିଲେ । ତାଙ୍କୁ ପ୍ରଥମେ ଅର୍ଥୋପେଡିକ ବିଭାଗ ଓ ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅପରେସନ କରାଯାଇଥିଲା । ତାଙ୍କର ଗୋଟିଏ ଗୋଡ କଟାଯିବା ଅବସ୍ଥାରେ ଥିବା ବେଳେ ଡାକ୍ତରମାନଙ୍କ ଉଦ୍ୟମରେ ଏହାକୁ ରଖାଯାଇ ପାରିଥିଲା । ତାଙ୍କୁ ମେଡିକାଲ ତରଫରୁ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଇଥିଲା ।
ତେବେ ତାଙ୍କ ଗୋଡର ନର୍ଭ ନଷ୍ଟ ହୋଇଯାଇଥିବାରୁ ତାଙ୍କୁ ଫିଜିଓଥେରାପି କରିବା ଓ ସ୍ୱତନ୍ତ୍ର ଅର୍ଥୋପେଡିକ ଜୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ସେ ଏହା ନ କରି ଅପରେସନ ହୋଇଥିବା ଗୋଡ଼ଟି ଅନ୍ୟ ଗୋଡ଼ ଭଳି ସ୍ୱାଭାବିକ ହୋଇଯାଉ ବୋଲି ଆଶା କରିଥିଲେ । ଯାହା ଅସମ୍ଭବ ଥିଲା ।
ଏହାବାଦ ରିପୋର୍ଟରେ ଉଲ୍ଲେଖ ଅଛି, ଦୁଷ୍ମନ୍ତଙ୍କୁ ମାନସିକ ବିଭାଗକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ସେ ମାନସିକ ବିଭାଗକୁ ଯାଇ ନ ଥିଲେ। । ତେବେ ଦୁଷ୍ମନ୍ତ ଉନ୍ନତ ମାନର ଚିକିତ୍ସା ପାଇଁ ନିଜେ ଇଛା ପ୍ରକାଶ କରିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ଗତ ୬ ତାରିଖରେ ଡିସଚାର୍ଜ ରେଫର କରାଯାଇଥିଲା ।
ହେଲେ ଏସସିବିରେ ଚିକିତ୍ସାରେ ଅବହେଳା ଅଭିଯୋଗକୁ ରିପୋର୍ଟରେ ସମ୍ପୂର୍ଣ ଖଣ୍ଡନ କରାଯାଇଛି । ଏସସିବିରେ ଦୁଷ୍ମନ୍ତଙ୍କୁ ମାଗଣାରେ ବେଷ୍ଟ ଚିକିତ୍ସା ଯୋଗାଇ ଦିଆଯାଇଥିବା ଗତକାଲି ଜରୁରୀକାଳୀନ ଅଧିକାରୀ କହିଥିଲେ। ତେବେ ବେଷ୍ଟ ଚିକିତ୍ସା ପାଉଥିବା ଜଣେ ଯୁବକ କ’ଣ ପାଇଁ ଇଚ୍ଛାମୃତ୍ୟୁ ନିମନ୍ତେ ଆବେଦନ କରିବ ଓ ଶେଷରେ ନିଜ ଜୀବନ ହାରିଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅକାଳରେ ଜଣେ ଯୁବକ ନିଜ ଜୀବନ ହାରିବା ପରେ ସମସ୍ତେ ନିଜ ଉପରୁ ଦୋଷ ଖସାଇବାରେ ବ୍ୟସ୍ତ ଅଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଦୁଇ ଥର ଅପରେସନ୍ କରାଯାଇଥିଲା। ତେବେ କରୋନା ଆଳରେ ୨୦୨୦ ଜୁଲାଇ ୧୫ ତାରିଖରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏମିତିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ରେ ଚିକିତ୍ସା ପାଇବା ପାଇଁ ସେ ଦୁଇଟି ଘରୋଇ ହସ୍ପିଟାଲ୍କୁ ଯାଇଥିଲେ। କିନ୍ତୁ ସେହି ହସ୍ପିଟାଲ୍ ଗୁଡ଼ିକ ବିଏସ୍କେୱାଇ କାର୍ଡ ଗ୍ରହଣ କରିବାକୁ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ ଲଗାଇବା ପରେ ନିରାଶ ହୋଇ ସେ ଗତକାଲି ବିଧାନସଭା ସମ୍ମୁଖରେ ହାତ କାଟି ଦେବା ସହିତ ବିଷ ପିଇ ଦେଇଥିଲେ। ଆଉ ସନ୍ଧ୍ୟାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଏହାପରେ ପ୍ରଶାସନ ତରଫରୁ ତରବରିଆ ଭାବେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥିଲା। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାତାରାତି କୁଜଙ୍ଗ ବିଡିଓ ମୃତ ଦୁଷ୍ମନ୍ତଙ୍କ ପତ୍ନୀଙ୍କ ଲକ୍ଷେ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ତାଙ୍କୁ ଆଉ ୧୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବାକୁ ମୌଖିକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତ । ହେଲେ ବଞ୍ଚିଥିବା ବେଳେ ଚିକିତ୍ସା ପାଇଁ ଗୁହାରୀ କରୁଥିବା ଯୁବକଙ୍କ ଦୁଃଖ ସରକାର ଶୁଣୁ ନ ଥିବା ବେଳେ ମରୁ ମରୁ କିପରି ସହାୟତା ଅଜାଡ଼ି ଦେଲେ ତାକୁ ନେଇ ନାନା ଆଲୋଚନା ହେଉଛି।
The post ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଏସସିବି ଟିମ୍ ରିପୋର୍ଟ- ‘କଟାଯିବା ଗୋଡ଼କୁ ବଞ୍ଚାଇଥିଲୁ’ appeared first on Odisha Reporter.
from Odisha Reporter https://ift.tt/3hjG6Pb
No comments:
Post a Comment