ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍ରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ତେଣୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ସାମାନ୍ୟ କମିଥିବା ବେଳେ ଫୁଲୁଛି ମହାନଦୀ । ହୀରାକୁଦ ଡ୍ୟାମ୍ରୁ ଛଡ଼ା ଯାଇଥିବା ବନ୍ୟା ଜଳ ମହାନଦୀରେ ପହଞ୍ଚିବା ପରେ ନରାଜଠାରେ ବଢୁଛି ନଦୀର ଜଳସ୍ତର ।
ହୀରାକୁଦ ଡ୍ୟାମ୍ର ଜଳ ଧାରଣ କ୍ଷମତା ହେଉଛି ୬୩୦ ଫୁଟ। ହୀରାକୁଦ ଜଳ ଭଣ୍ଡାରରେ ୫,୦୪,୮୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪,୭୬,୨୯୪ କ୍ୟୁସେକ୍ ଜଳ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୮୩ ଫୁଟ ଥିବା ବେଳେ ସକାଳ ୮ ସୁଦ୍ଧା ତାହା ଖସି ୬୨୮.୮୧ ଫୁଟରେ ପହଞ୍ଚିଛି। ହେଲେ ସକାଳ ୬ଟାରେ ନରାଜରେ ମହାନଦୀ ଜଳସ୍ତର ୨୫.୫୦ ମିଟର ଥିବା ବେଳେ ସକାଳ ୯ଟାରେ ତାହା ବୃଦ୍ଧି ପାଇ ୨୫.୬୭ ମିରେ ପହଞ୍ଚିଛି। ।
ମହାନଦୀ ଜଳସ୍ତର ବଢ଼ିବାରୁ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ପଶିଲା ମହାନଦୀ ଜଳ । ମନ୍ଦିରର ମୁଖ୍ୟଦ୍ୱାରକୁ ପାଣି ଛୁଇଁବାରୁ ମନ୍ଦିର ମୁଖଶାଳାକୁ ବନ୍ଦ କରାଯାଇଛି। ମନ୍ଦିରର ନୀତିଦ୍ୱାର ଦେଇ ଦର୍ଶନ କରୁଛନ୍ତି ଭକ୍ତ । ଜଳସ୍ତର ଅଧିକ ବଢ଼ିଲେ ମନ୍ଦିର ଭିତରକୁ ପାଣି ପଶିବା ସହ ମା’ ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ହୀରାକୁଦ ଡ୍ୟାମ୍ରୁ ବନ୍ୟା ଜଳ ଛଡ଼ାଯିବା ପରେ ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି। ଓରବରସିଂହ, ବ୍ରଜମୋହନପୁର, ନରଣଗଡ଼ ପଞ୍ଚାୟତ ଏବେ ପାଣି ଘେରରେ ଥିବା ବେଳେ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ଯାଇଛନ୍ତି। ତଳିଆ ଗାଁଗୁଡ଼ିକରେ ରାଜୁଆ, ମଲାଗୁଣୀ, ଓ ଦୟାନଦୀ ପାଣି ପଶି ଚାରିଆଡ଼େ ଜଳମଗ୍ନ ହୋଇଗଲାଣି। ଏଥିଯୋଗୁ ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ହିରିମୂଳ ଗାଁରେ ଯାତାୟତ ପାଇଁ ଡଙ୍ଗା ହିଁ ଏବେ ଏକମାତ୍ର ଭରସା।
ଏହାବାଦ ରାଜଘାଟରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ସକାଳ ୬ଟାରେ ସୁବର୍ଣ୍ଣରେଖା ଜଳସ୍ତର ୧୦.୩୬ ମିଟର ଥିବା ବେଳେ ସକାଳ ୯ଟାରେ ତାହା ୧୦.୫୧ ମିଟରରେ ପହଞ୍ଚିଛି।
The post ହୀରାକୁଦରେ କମୁଛି, ମହାନଦୀରେ ବଢ଼ୁଛି ଜଳସ୍ତର appeared first on Odisha Reporter.
from Odisha Reporter https://ift.tt/3EucvfU
No comments:
Post a Comment