କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଦୀର୍ଘ ୪୧ ବର୍ଷ ହେବ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖର କାରଣ ପାଲଟିଛି ଡ୍ୟାମ । ଡ୍ୟାମ ତିଆରି ହେଲା, ହେଲେ କେନାଲ ଉପରେ ପୋଲଟିଏ ନିର୍ମାଣ ହୋଇପାରୁନି। ଏଥିଯୋଗୁ କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ହଜାର ହଜାର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜୀବନକୁ ବାଜି ଲଗାଇ ପ୍ରତିଦିନ ଦେଶୀ ଡଙ୍ଗା ଓ ଲଞ୍ଚ ସାହାଯ୍ୟରେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି।
୧୯୮୦ ମସିହାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦୁଆରଶୁଣୀ ପଞ୍ଚାୟତର ମୁରାନ ନଦୀରେ ନିର୍ମାଣ କରାଯାଇଥିଲା ଡ୍ୟାମ। ତେବେ ଆନ୍ତରିକତା ଅଭାବରୁ ୪୧ ବର୍ଷ ହେବ ଜଟିଆଗୁଡା ଘାଟ କେନାଲରେ ପୋଲଟିଏ ନିର୍ମାଣ ହୋଇପାରୁନାହିଁ।
ଏହି କେନାଲ ପାର ହୋଇ ୩ଟି ଜିଲ୍ଲାର ଲୋକମାନେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଆସିଥା’ନ୍ତି। ଏହି ଜିଲ୍ଲାଗୁଡ଼ିକୁ଼ ଯିବା ପାଇଁ ଅନ୍ୟ ରାସ୍ତା ରହିଛି। କିନ୍ତୁ ତାହା ଦୂର ହେଉଥିବାରୁ ଲୋକେମାନେ ଗଟିଆଗୁଡ଼ା ଘାଟ କେନାଲ ଦେଇ ଯାତାୟତ କରିଥାନ୍ତି ।
ଖରା ଓ ଶୀତ ଦିନ କଥା ଅଲଗା। କିନ୍ତୁ ବର୍ଷା ଦିନେ ଜୀବନକୁ ବାଜି ଲଗାଇ ଏପଟୁ ସେପଟକୁ ଯାଇଥାନ୍ତି ଅଞ୍ଚଳବାସୀ। ସେମାନେ ଉଛୁଳା କେନାଲରେ ଦେଶୀ ଡଙ୍ଗା ସାହାଯ୍ୟରେ ଜିନିଷ ପତ୍ର ଓ ଗାଡ଼ି ଲଦି ବିପଦପୂର୍ଣ୍ଣ ଭାବେ ଯାତାୟତ କରନ୍ତି। କେନାଲର ଆରପାଖରେ ସ୍କୁଲ ,କଲେଜ, ଡାକ୍ତରଖାନା ଓ ପାଞ୍ଚୟତ ଅଫିସ ରହିଛି। ତେଣୁ ବୃଦ୍ଧବୃଦ୍ଧାଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଗର୍ଭବତୀ ମଧ୍ୟ ବିପଦସଙ୍କୁଳ ଭାବେ କେନାଲ ପାର ହୋଇ ଯିବାଆସିବା କରିଥା’ନ୍ତି।
ବର୍ଷ ବର୍ଷ ଧରି ଲୋକେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ହେଲେ ଆଜି ଯାଏ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନେତା ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। କେନାଲ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଗାଁ ଲୋକେ ବିଡିଓ, ଜିଲ୍ଲାପାଳ, ବିଧାୟକ ତଥା ସାଂସଦଙ୍କ ନିକଟରେ ଅନେକ ଥର ଦାବି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପୋଲଟିଏ ତିଆରି ହୋଇପାରି ନାହିଁ।
ଗତବର୍ଷ ସରକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ନକ୍ସା ପ୍ରସ୍ତୁତ କରିଥିଲେ। କିନ୍ତୁ ଏବେ ଯାଏ ତାହା ଫାଇଲ ଭିତରେ ବନ୍ଧା ପଡିଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀ ଖଗପତି ଜାନୀ କହିଛନ୍ତି, ପୋଲଟିଏ ପାଇଁ ଦାବି କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ଜିଲ୍ଲାପାଳଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆସି ଦେଖି ପଳାଇଯାଉଛନ୍ତି। ଡଙ୍ଗାରେ ଗାଡ଼ି ମୋଟର ଓ ଜିନଷ ପତ୍ର ନେଇ ଗଲାବେଳେ ଡର ଲାଗୁଛି ।
କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀପ୍ରଭାକର ବେହେରା କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କିଛିଦିନ ତଳେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରିବା ପାଇଁ ଚିଠି କରିଛନ୍ତି। ଖୁବଶୀଘ୍ର ଜଟିଆ ଘାଟ କେନାଲରେ ପୋଲ ନିର୍ମାଣ ହେବ।
The post ଡ୍ୟାମ ଦେଉଛି ଦୁଃଖ: ଉଛୁଳା କେନାଲରେ ବାଜି ଲାଗୁଛି ଜୀବନ appeared first on Odisha Reporter.
from Odisha Reporter https://ift.tt/39Puvmz
No comments:
Post a Comment